
ଯାଜପୁରସଦର : କରୋନା ମହାମାରୀ ସମୟରେ ଚିକିତ୍ସାଳୟରେ ଗହଳି କମାଇବା ସହ ଲୋକମାନଙ୍କୁ ଘରେ ବସି ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଗତବର୍ଷ ଠାରୁ ସାରା ରାଜ୍ୟରେ ଟେଲି ମେଡିସିନ ସେବା ଆରମ୍ଭ କରାଯାଇଥିଲା। ଯେଉଁ ବ୍ୟକ୍ତିମାନେ କରୋନା ସଂକ୍ରମିତ ହୋଇ ଗୃହ ସଂଗରୋଧରେ ରହିଛନ୍ତି ଅଥବା ଅନ୍ୟ କୌଣସି ରୋଗର ଚିକିତ୍ସା ସଂପର୍କରେ ଜାଣିବାକୁ ଚାହୁଁଛନ୍ତି ସେମାନେ ଟେଲି ମେଡିସିନର ଲାଭ ନେବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଯାଜପୁର ଜିଲ୍ଲାରେ ପ୍ରଚାର ପ୍ରସାର ଅଭାବରୁ ଟେଲି ମେଡିସିନ ସେବା ଲୋକଙ୍କ ମଧ୍ୟରେ ଆଦୃତ ହୋଇପାରିନାହିଁ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗତବର୍ଷ ଟେଲି ମେଡିସିନ୍ ସେଲ୍ ଖୋଲା ଯାଇଥିଲା। ଯେଉଁଥିରେ ଜଣେ ପୁରୁଷ ଓ ଜଣେ ମହିଳା ମୋଟ ୨ ଜଣ କର୍ମଚାରୀ ଉପସ୍ଥିତ ରହୁଥିଲେ। ଲୋକମାନଙ୍କ ବିଭିନ୍ନ ରୋଗ ସଂପର୍କରେ ଆସୁଥିବା କଲକୁ ସଂପୃକ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରାଇ ଚିକିତ୍ସା ସେବା ଯୋଗାଉଥିଲେ। କିଛିମାସ ବନ୍ଦପରେ ଚଳିତ ବର୍ଷ ଏପ୍ରିଲ ମାସରୁ ପୁଣି ଏହି ସେବା ଆରମ୍ଭ କରାଯାଇଛି। ହେଲେ ଏହା ଫଳପ୍ରଦ ହୋଇପାରିନାହିଁ। ଯାଜପୁର ଜିଲ୍ଲାରେ ଟେଲି ମେଡିସିନ କଲ୍ ପାଇଁ ୭୬୫୫୦୫୦୯୮୯ ଓ ୭୬୫୫୦୫୦୯୯୭ ନମ୍ବର ଜାରି କରାଯାଇଛି। ୧୫ ଦିନ ମଧ୍ୟରେ ଏହି ନମ୍ବରରେ ମାତ୍ର ୪୦ରୁ ୫୦ଟି କଲ୍ ଆସିଛି। ସେଗୁଡ଼ିକ ମଧ୍ୟରୁ ଅନେକ ରୋଗ ସଂର୍ପକୀୟ ହୋଇନଥିବା ଜଣାପଡ଼ିଛି। କିଛି ଲୋକ କାରଣ ନଥାଇ କଲ୍ କରି ଏଣୁତେଣୁ ଗପୁଥିବା ଅଭିଯୋଗ ହେଉଛି।
ଅନ୍ୟପକ୍ଷରେ ଏହି ସେଲ୍ରେ ମାତ୍ର ଜଣେ କର୍ମଚାରୀ ୯ ଘଣ୍ଟା ଧରି ଡ୍ୟୁଟି କରୁଛନ୍ତି। ଏଠାରେ ଅନ୍ୟଜଣେ ସହଯୋଗୀ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ଏହା ଏକ ଭଲ ବ୍ୟବସ୍ଥା ହୋଇଥିବା ବେଳେ ବ୍ୟାପକ ପ୍ରଚାର ପ୍ରସାର ହେଲେ ଲୋକମାନେ ଏହାର ଫାଇଦା ପାଇ ପାରିବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ଯୋଜନା କରିବାକୁ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
The post ଯାଜପୁର ଜିଲ୍ଲାରେ ଫଳପ୍ରଦ ହେଉନି ଟେଲି ମେଡିସିନ ସେବା, ଜଣେ କର୍ମଚାରୀରେ ଚାଲିଛି ୯ ଘଣ୍ଟିଆ ଡ୍ୟୁଟି first appeared on Sambad.from ଜିଲ୍ଲା | Sambad https://ift.tt/3xZPJJe
0 Comments