କଟକ : ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଟିକସ କମ୍‌, ଆଉ ଆରାମଦାୟକ ଦ୍ରବ୍ୟ ଉପରେ ଅଧିକ ଟିକସ ସାଧାରଣ ଭାବେ ରହିଥାଏ। ଏ ହେଉଛି ଜନକଲ୍ୟାଣ ରାଷ୍ଟ୍ରର ଅର୍ଥନୀତିର ମୂଳ ଆଧାର। କିନ୍ତୁ ଏବେ ଖାଇବା ତେଲ ଦରକୁ ଦେଖିଲେ, ଆମେ ଜନକଲ୍ୟାଣ ରାଷ୍ଟ୍ରରେ ରହୁଛେ ବୋଲି ମନେ ହେଉନାହିଁ। ଗଲା ୪ମାସରେ ସୋରିଷ ତେଲ ଦାମ ପଖାପାଖି ଦୁଇ ଗୁଣ ବଢି ଥିବାବେଳେ ବିଭିନ୍ନ କମ୍ପାନିର ସନ୍‌ଫ୍ଲାୱାର ତେଲ, ପାମୋଲିନ୍ ତେଲ ଦର ମଧ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଖାଇବା ତେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଟିକସ ବସାଉଥିବାରୁ ଏପରି ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀମାନେ କହିଛନ୍ତି। ସବୁଠୁ ବଡ଼ କଥା ହେଉଛି, ଖାଇବା ତେଲର ଚାହିଦା ବଢ଼ି ନ ଥିବାବେଳେ ଏହାର ଦାମ୍‌ ହଠାତ ବଢ଼ି ଯିବା ଖାଉଟିମାନଙ୍କୁ ଚକିତ କରିଛି।

ଚଳିତ ବର୍ଷ ଜାନୁଆରି ମାସରେ ବିଭିନ୍ନ କମ୍ପାନିର ସୋରିଷ ତେଲ ଲିଟର ପିଛା ୯୦ ରୁ୧୦୦ ଟଙ୍କା ମଧ୍ୟରେ ବଜାରରେ ଉପଲବ୍ଧ ହେଉଥିଲା। କିନ୍ତୁ ଏବେ ସୋରିଷ ତେଲ ଲିଟର ପିଛା ୧୭୦ରୁ ୧୮୫ ଟଙ୍କା ରହିଥିବା ସୂଚନା ମିଳିଛି। ମାଲଗୋଦାମ ଜଗନ୍ନାଥ ଡିଷ୍ଟ୍ରିବ୍ୟୁଟର ପରିଚାଳନା ଦାୟିତ୍ବରେ ଥିବା ବସନ୍ତ କୁମାର ସାହୁ କହିଛନ୍ତି ଯେ, ଏପ୍ରିଲ୍ ମାସରେ ସୋରିଶ ତେଲ ଦର ଯାହା ରହିଥିଲା ଏବେ ଲିଟର ପିଛା ୩୦ ରୁ ୪୦ ଟଙ୍କା ବୃଦ୍ଧି ପାଇଛି। ଏପ୍ରିଲ୍‌ ମାସରେ ‌ଇଞ୍ଜିନ୍‌ କମ୍ପାନି ସୋରିଷ ତେଲ ଲିଟରକୁ ୧୪୩ ଟଙ୍କା ରହିଥିବାବେଳେ ଏବେ ୧୮୩ ଟଙ୍କା ରହିଛି। ସେହିପରି ଏପ୍ରିଲ୍‌ରେ ଡବଲ ହରିଣ କମ୍ପାନି ସୋରିଷ ତେଲର ଦାମ୍‌ ଲିଟରକୁ ୧୩୮ଟଙ୍କା ରହିଥିବାବେଳେ ଏବେ ୧୭୪ଟଙ୍କାରେ ବିକ୍ରି ହେଉଛି। ଏପ୍ରିଲରେ ସାଲୋନୀ କମ୍ପାନିର ସୋରିଷ ତେଲ ଲିଟରକୁ ୧୩୩ ଟଙ୍କା ରହିଥିବା ବେଳେ ଏବେ ଲିଟର ପିଛା ୧୬୮ଟଙ୍କା ରହିଛି। ସନ୍‌ଫ୍ଲାୱାର ତେଲର ଦାମ ମଧ୍ୟ ବଢ଼ିଛି। ଏପ୍ରିଲ୍‌ରେ ସନ୍‌ଫ୍ଲାୱାର କମ୍ପାନିର ତେଲ ୧୯୩ ଟଙ୍କା ରହିଥିବା‌ ବେଳେ ଏବେ ଏହାର ଦାମ୍‌ ୨୦୪ଟଙ୍କା ଅଛି। ଏପ୍ରିଲ୍‌ରେ ଫ୍ରିଡମ୍ ତେଲ(ସନ୍‌ଫ୍ଲାୱାର) ଲିଟରକୁ ୧୫୨ଟଙ୍କା ରହିଥିବା ବେଳେ ଏବେ ୧୬୫ଟଙ୍କା, ଏପ୍ରିଲ୍‌ରେ ଫର୍ଚୁନ୍‌ ତେଲ ଲିଟରକୁ ୧୫୩ଟଙ୍କା ରହିଥିବା ବେଳେ ଏବେ ୧୬୬ଟଙ୍କା ରହିଛି। ଏପ୍ରିଲ୍‌ ମାସ ତୁଳନାରେ ପାମୋଲିନ୍ ତେଲ ଲିଟର ପିଛା ୧୫ରୁ ୨୯ଟଙ୍କା ବୃଦ୍ଧି ଘଟିଛି।

ଏ ସଂକ୍ରାନ୍ତରେ ଜଗନ୍ନାଥ ଡିଷ୍ଟ୍ରିବ୍ୟୁଟର ମାଲିକ ତଥା କଟକ ବଣିକ ସଂଘ ସାଧାରଣ ସଂପାଦକ ପ୍ରଫୁଲ କୁମାର ଛାଟୋଇ କହିଛନ୍ତି ଯେ, ୭୦ ପ୍ରତିଶତ ଖ‌ାଇବା ତେଲ ବାହାରୁ ଆସୁଛି। ଆନ୍ତର୍ଜାତିକ ବଜାରରେ ତେଲ ଦର ଉଚ୍ଚା ରହିଛି। ଏହା ବ୍ୟତୀତ କେନ୍ଦ୍ର ସରକାର ତେଲ ଉପରେ ଇମ୍ପୋର୍ଟ ଡ୍ୟୁଟି, ସେସ୍‌, ସିଜିଏସ୍‌ଟି ଭଳି ଟିକସ ଲାଗୁ କରିବା ଦ୍ବାରା ଏହାର ଦର ଉଚ୍ଚା ରହୁଛି। ଏଥି ପାଇଁ ବଜାରରେ ଏହାର ଚାହିଦା ଏତେ ଅଧିକ ନଥିଲେ ବି ଉଚ୍ଚା ଦରରେ ବିକ୍ରି ହେଉଥିବା ସାଧାରଣ ସଂପାଦକ ଶ୍ରୀ ଛାଟୋଇ ସୂଚନା ‌ଦେଇଛନ୍ତି। ଶ୍ରୀ ପ୍ରକାଶ ଏଣ୍ଟର ପ୍ରାଇଜର୍ସର ମୁଖ୍ୟ ପ୍ରଭାସ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ପାମୋଲିଭ୍ ତେଲରେ ଆମକୁ ଇମ୍ପୋର୍ଟ ଡ୍ୟୁଟି, ସିଜିଏସ୍‌ଟି, ଜିଏସ୍‌ଟି, ଏକ୍ସାଇଜ୍ ବାବଦକୁ ୪୫ ପ୍ରତିଶତରୁ ଅଧିକ ଦେବାକୁ ପଡ଼ୁଛି। ଏଥି ପାଇଁ ବଜାରରେ ତେଲ ଦର ଉଚ୍ଚା ରହୁଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।

The post ବଢୁନି ଚାହିଦା; ହୁ ହୁ ହେଇ ବଢ଼ୁଛି ତେଲ ଦର, ମାସକରେ ଲିଟର ପିଛା ୪୦ ଟଙ୍କା ବଢ଼ିଲାଣି ସୋରିଷ ତେଲ first appeared on Sambad.

from ଜିଲ୍ଲା | Sambad https://ift.tt/3xMa2d6