
ତିଗିରିଆ: ମହାମାରୀ କରୋନା ଗତ ପ୍ରାୟ ଦୁଇବର୍ଷ ଭିତରେ ତିଗିରିଆ ବ୍ଲକ୍ର ବୁଣାକାରଙ୍କ ଆର୍ଥିକ ସ୍ଥିତିକୁ ଶୋଚନୀୟ କରିଦେଲାଣି। ବିଶେଷ କରି, କରୋନାର ଦ୍ବିତୀୟ ଲହର ଆସିବା ପରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଜାରି କରାଯାଇ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଆଠଗଡ଼ ବୟନ ମଣ୍ଡଳ ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତର ୩ ହଜାର ବୁଣାକାର ପରିବାର ତଥା ପ୍ରାୟ ୧୦ ହଜାର ବୁଣାକାର ପ୍ରଭାବିତ ହୋଇଛନ୍ତି। କରୋନା ପ୍ରଭାବରେ ହାତ ବାନ୍ଧି ବସିଥିବା ଏହି ବୁଣାକାରଙ୍କ ଆର୍ଥିକ ସ୍ଥିତି ବର୍ତ୍ତମାନ ଦୁର୍ବିସହ ହୋଇପଡ଼ିଥିବା ଦେଖାଯାଇଛି। ହସ୍ତତନ୍ତ ଗ୍ରାମ ଭାବେ ପ୍ରସିଦ୍ଧ ତିଗିରିଆ ବ୍ଲକ୍ ଅନ୍ତର୍ଗତ ନୂଆପାଟଣା ପଞ୍ଚାୟତର ମୋଟ୍ ଜନସଂଖ୍ୟାର ୯୦ ଭାଗରୁ ଅଧିକ ଲୋକ ବୁଣାକାର୍ଯ୍ୟ କରି ପରିବାର ପ୍ରତିପୋଷଣ କରନ୍ତି। ଗତବର୍ଷ କରୋନା ମହାମାରୀର ପ୍ରଥମ ଲହରରେ ପ୍ରଭାବିତ ହୋଇଥିବା ନୂଆପାଟଣାର ଏହି ବୁଣାକାରମାନେ ବର୍ଷସାରା ଘରେ ହାତ ବାନ୍ଧି ବସିଥିଲେ। ଚଳିତବର୍ଷ ପ୍ରାରମ୍ଭରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା।
ଏହାପରେ ବୁଣାକାରମାନେ ନିଜର ଅସଜଡ଼ା ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। କିଛିମାସର ବ୍ୟବଧାନ ପରେ କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ମାରାତ୍ମକ ରୂପ ନେଇ ଫେରିଥିଲା। ଫଳରେ ସରକାର ଲକ୍ଡାଉନ୍, ସଟ୍ଡାଉନ୍ ଲାଗୁ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଏହି ଲହରକୁ ସାମ୍ନା କରିବା ପାଇଁ ଆର୍ଥିକସ୍ତରରେ ସମ୍ପୂର୍ଣ୍ଣ ଅପ୍ରସ୍ତୁତ ଥିବା ବୁଣାକାର ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳୁଛି। ନୂଆପାଟଣାରେ ବୁଣାକାରଙ୍କ ପାଇଁ ଥିବା ୩୬ଟି ସେବା ସମବାୟ ସମିତିରେ ଏବେ କଞ୍ଚାମାଲର ଘୋର ଅଭାବ ଦେଖାଯାଇଛି। ବୁଣାକାରମାନେ କାମ ପାଉନାହାନ୍ତି।
ସମିତିଗୁଡ଼ିକର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀର ପାଉଣା ମଧ୍ୟ ଦିଆଯାଇପାରୁ ନାହିଁ। ବୁଣାକାରମାନଙ୍କ ଠାରୁ ସମିତି ଜରିଆରେ ପାଟଲୁଗା ବୟନିକା ମାଧ୍ୟମରେ ସରକାର ସଂଗ୍ରହ କରୁଥିଲେ। ବର୍ତ୍ତମାନ କରୋନା ସମୟରେ ବୟନିକା ସମିତିଗୁଡ଼ିକ ନିକଟରୁ ପାଟଲୁଗା ନେଉ ନ ଥିବା ଏବଂ ସମିତିଗୁଡ଼ିକୁ କଞ୍ଚାମାଲ ଦେଉ ନ ଥିବା ବୁଣାକାରମାନେ ଅଭିଯୋଗ କରିଛନ୍ତି। ଫଳରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ଜଣାପଡ଼ିଛି। ଗତବର୍ଷ କରୋନା ମହାମାରୀର ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ବୁଣାକାରଙ୍କୁ ସହାୟତା ନିମନ୍ତେ ବୟନିକାକୁ ୧୫ କୋଟି ଟଙ୍କା ଦିଆଯାଇଥିଲା। ଏହି ଅର୍ଥରେ ଆଠଗଡ଼ ବୟନ ମଣ୍ଡଳର ବୁଣାକାରମାନେ କିଛି ପରିମାଣରେ ଉପକୃତ ହୋଇଥିଲେ। ହେଲେ, ଚଳିତବର୍ଷ କରୋନା ମହାମାରୀର ଦ୍ୱିତୀୟ ଲହର ଆସିବା ପରେ ଆର୍ଥିକ ଦୁର୍ଗତି ଭୋଗୁଥିବା ବୁଣାକାର ପରିବାରକୁ ସରକାର କୌଣସି ଆର୍ଥିକ ସହାୟତା ପ୍ରଦାନ କରି ନ ଥିବା ସୂଚନା ମିଳିଛି।
ସେହିପରି ଆଠଗଡ଼ ବୟନ ମଣ୍ଡଳର ବୁଣାକାରଙ୍କର ଆର୍ଥିକ ଦୁର୍ଦ୍ଦିନରେ ସହାୟତା ପାଇଁ ଅକ୍ଷୟ କୋଷରେ ରହିଥିବା ଲକ୍ଷାଧିକ ଟଙ୍କା କୌଣସି କାର୍ଯ୍ୟରେ ଲାଗୁ ନ ଥିବା ଜଣାପଡ଼ିଛି। ଏ ନେଇ ବୁଣାକାରମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ସରକାର ବୁଣାକାରଙ୍କୁ ସହାୟତା ଯୋଗାଇଦେବା ସହ କଞ୍ଚାମାଲର ବ୍ୟବସ୍ଥା, ଉପଯୁକ୍ତ ବଜାର ବ୍ୟବସ୍ଥା ସହ ଅକ୍ଷୟ କୋଷରେ ରହିଥିବା ଅର୍ଥର ସଦୁପଯୋଗ କରିବା ପାଇଁ ଅଞ୍ଚଳର ବୁଣାକାରମାନେ ଦାବି କରିଛନ୍ତି।
The post କରୋନାରେ ବୁଣାକାରଙ୍କ ଆର୍ଥିକ ସ୍ଥିତି ଦୁର୍ବିସହ first appeared on Sambad.from ଜିଲ୍ଲା | Sambad https://ift.tt/3uARrxT
0 Comments