
କଟକ : ଦିନ ଥିଲା ଓପନ୍ ହାର୍ଟ ସର୍ଜରି ପାଇଁ ମାସ ମାସ ଧରି ଅପେକ୍ଷା କରୁଥିଲେ ରୋଗୀ। ଏବେ କିନ୍ତୁ କରୋନା ସଂକ୍ରମଣ ପାଇଁ ଏହି ବିଭାଗ ରୋଗୀ ଶୂନ୍ୟ। ଅସ୍ତ୍ରୋପଚାର ପାଇଁ ଆସୁ ନାହାନ୍ତି ରୋଗୀ। ଏଭଳି ସ୍ଥିତିରେ କଟକ ବଡ ଡାକ୍ତରଖାନାରେ ଏବେ ଦଶ ଦିନ ହେଲା ଓପନ୍ ହାର୍ଟ ସର୍ଜରି ବନ୍ଦ। ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ଏକମାତ୍ର ମେଡିକାଲ କଲେଜଭାବେ ଏସ୍ସିବି କାର୍ଡିଓଥୋରାସିସ୍ ବିଭାଗରେ ହିଁ ଓପନ୍ ହାର୍ଟ ସର୍ଜରି କରାଯାଉଛି।
ସୂଚନା ଅନୁସାରେ, ଏସ୍ସିବି ହୃଦ୍ବକ୍ଷଶଲ୍ୟ ବିଭାଗରେ ଓପନ୍ ହାର୍ଟ ସର୍ଜରି ପାଇଁ ସବୁବେଳେ ଲମ୍ବା ଅପେକ୍ଷାରେ ଥାଆନ୍ତି ରୋଗୀ। ବିଭାଗରେ ମାତ୍ର ଗୋଟିଏ ଦିନ ଓପିଡି ଅର୍ଥାତ୍ ଗୁରୁବାର ଦିନ ପଡୁଥିବାରୁ ଏହି ଦିନ ହିଁ ରୋଗୀଙ୍କର କେବେ ଅସ୍ତ୍ରୋପଚାର କରାଯିବ, କାହାକୁ ୱାର୍ଡରେ ଭର୍ତ୍ତି କରାଯିବ ସେ ସଂପର୍କରେ ନିଷ୍ପତ୍ତି ନିଆଯାଏ। ଫଳରେ ଓପନ୍ ହାର୍ଟ ସର୍ଜରି ପାଇଁ ଦିନ ଦିନ ଧରି କେବେ ତାରିଖ ପଡିବ ତାକୁ ଅପେକ୍ଷା କରିଥାନ୍ତି ରୋଗୀ । କିନ୍ତୁ ଏବେ କରୋନା ସଂକ୍ରମଣ ଏମିତି ଲୋକଙ୍କୁ ଆତଙ୍କିତ କରିଛି ଯେ, ରୋଗୀ ନିଜେ ଆସୁନାହାନ୍ତି ଅସ୍ତ୍ରୋପଚାର ପାଇଁ। ରୋଗୀ ଶୂନ୍ୟ ହୋଇଯାଇଛି ହୃଦ୍ବକ୍ଷଶଲ୍ୟ ବିଭାଗ। କେବଳ ଏହି ବିଭାଗ ନୁହେଁ ଏସ୍ସିବିର ମେଡିସିନ୍, ସ୍ତ୍ରୀ ରୋଗ ପ୍ରସୂତି ବିଭାଗ, ପଲ୍ୟୁମୁନାରୀ ମେଡିସିନ୍ ବିଭାଗ ଭଳି କିଛି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ଛାଡି ଦେଲେ ବାକି ବିଭାଗରେ ଏବେ ଏକ ପ୍ରକାର ରୋଗୀ ଶୂନ୍ୟ ହୋଇପଡିଛି।
ମାନସିକ ବିଭାଗର ଅବସ୍ଥା ବି ସମାନ। ଯେଉଁଠିକୁ ପୂର୍ବରୁ ଶହେ ଉପରେ ରୋଗୀ ଆସୁଥିଲେ ସେଠି ଏବେ ହାତଗଣତି ୧୦ଜଣ ଭିତରେ ରୋଗୀ ରହି ଥିବା ଜଣାପଡିଛି। ହୃଦ୍ବକ୍ଷଶଲ୍ୟ ବିଭାଗରେ ଏଭଳି ରୋଗୀ ଅଭାବ ଓ ସଂକ୍ରମଣ ଭୟରେ ଦଶ ଦିନ ହେଲା ଓପନ୍ ହାର୍ଟ ସର୍ଜରି ବନ୍ଦ ରହିଥିବା ଜଣାପଡିଛି। ଏଠାରେ ସୂଚନା ଯୋଗ୍ୟ ଯେ, ବିଭାଗରେ ଜଣେ ପ୍ରଫେସର, ଦୁଇ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ଚୁକ୍ତିଭିତ୍ତିକ ରକ୍ତସଂଚାଳକ ରହିଛନ୍ତି। କିନ୍ତୁ ଆସୋସିଏଟ୍ ପ୍ରଫେସର ପଦ ଖାଲି ରହିଛି। ରୋଗୀ ଆସୁ ନଥିବାରୁ ଅସ୍ତ୍ରୋପଚାର ବନ୍ଦ ଅଛି, ରୋଗୀ ଆସିଲେ ସ୍ବାଭାବିକ ଅସ୍ତ୍ରୋପଚାର ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
The post କରୋନା ଭୟରେ ଆସୁନାହାନ୍ତି ରୋଗୀ, ଏସ୍ସିବିରେ ଓପନ୍ ହାର୍ଟ ସର୍ଜରି ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/2TwS9Q9
0 Comments