
ପୁରୀ : ମେ’ ୩। ପ୍ରଳୟଙ୍କରୀ ବାତ୍ୟା ‘ଫନି’ ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା। ବାତ୍ୟାର ପ୍ରହାର ଏତେ ଶକ୍ତ ଥିଲା ଯେ ୬ ମାସ ଧରି ସବୁକିଛି ଅଚଳ ହୋଇଯାଇଥିଲା। ପୂରା ପେଣ୍ଠକଟା ବସ୍ତି ଧ୍ବଂସସ୍ତୁପରେ ପାଲଟିଥିଲା। ବାଲୁଖଣ୍ଡ ନିକଟରେ ‘ଫନି’ ସ୍ଥଳଭାଗ ଛୁଇଁବାରୁ ଅତି ନିକଟରୁ ଏହାର ପ୍ରକୋପକୁ ଅନୁଭବ କରିଥିଲେ ପେଣ୍ଠକଟାବାସୀ। ଏମିତି ଗୋଟିଏ ବି ଘର ନ ଥିଲା, ଯାହା ମାଟିରେ ମିଶି ନଥିଲା। ସମୁଦ୍ର ଜୁଆର ଏତେ ଆଗକୁ ମାଡ଼ି ଆସିଥିଲା ଯେ ପେଣ୍ଠକଟା ବସ୍ତିର ସବୁ ଘର ଉପରକୁ ଶହ ଶହ ଡଙ୍ଗା ଉଠିଯାଇଥିଲା। ପ୍ରାୟ ୧୩ଶହ ମତ୍ସ୍ୟଜୀବୀ ସିଧାସଖଳ ପ୍ରଭାବିତ ହୋଇଥିଲେ। ୫ହଜାର ଲୋକ ବାସହରା ହୋଇଯାଇଥିଲେ।
ଏ ଭିତରେ ‘ଫନି’କୁ ଦୁଇବର୍ଷ ବିତିଛି ସତ, କିନ୍ତୁ ମନରୁ ଭୟ ଲିଭିନି। ଏବେ ପୁଣିଥରେ ପୁରୁଣା ଅନୁଭୂତିକୁ ତାଜା କରି ଦେଇଛି ବାତ୍ୟା ‘ୟାସ’। ପୁଣିଥରେ ଭୟର ବାଦଲ ଭିତରେ ରହିଛନ୍ତି ପେଣ୍ଠକଟାବାସୀ। ସ୍ଥିତି ଅନୁଧ୍ୟାନ ପାଇଁ ଆମେ ପେଣ୍ଠକଟା ଅଞ୍ଚଳକୁ ଯାଇଥିଲୁ। ଆଖି ଆଗରେ ସ୍ଥିତିକୁ ପରଖିଥିଲୁ। ସମସ୍ତେ ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ଥିଲେ। ମୁକାବିଲା ପାଇଁ ପ୍ରାକ୍ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। କିଏ ଭଙ୍ଗା ଘର ସଜାଡ଼ୁଥିଲା ତ’ କିଏ ଡଙ୍ଗାକୁ ବାନ୍ଧି ସଠିକ୍ ଭାବେ ରଖୁଥିଲା। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଆଉ ଏକ ଉଦାସ ଆଖିରେ ସମୁଦ୍ର ଆଡ଼କୁ ଅନାଇ ରହିଥିଲେ।
ସହକାରୀ ଜିଲ୍ଲା ମତ୍ସ୍ୟ ସଂପଦ ଅଧିକାରୀ(ମେରାଇନ୍) ରବୀନ୍ଦ୍ର ମହାନ୍ତି କହିଛନ୍ତି, ପେଣ୍ଠକଣାରେ ପ୍ରାୟ ୧୩ଶହ ମତ୍ସ୍ୟଜୀବୀ ବସବାସ କରୁଛନ୍ତି। ସେହିଭଳି କୋଣାର୍କ ନୋଳିଆ ବସ୍ତିରେ ପ୍ରାୟ ୩ଶହ ଓ ଅସ୍ତରଙ୍ଗରେ ପ୍ରାୟ ୬ଶହ ମତ୍ସ୍ୟଜୀବୀ ପରିବାର ବସବାସ କରୁଛନ୍ତି। ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ସମୁଦ୍ରରେ ମାଛ ମାରିବା ବାରଣ କରାଯାଇଥିବାବେଳେ ସମସ୍ତ ଡଙ୍ଗାକୁ ସୁରକ୍ଷିତ ନିଜ ନିଜ କେନ୍ଦ୍ରରେ ରଖାଯାଇଛି ବୋଲି ସେ କହିଛନ୍ତି।
The post ପେଣ୍ଠକଟାରେ ଘାରିଲା ବାତ୍ୟା ଭୟ first appeared on Sambad.ସଜଡ଼ାଯାଉଛି ‘ଫନି’ ବେଳର ଜେନେରେଟର୍
ପୁରୀ : ପୁରୀର ବାସିନ୍ଦାମାନେ ‘‘ଫନି’’ ବାତ୍ୟାର କଷ୍ଟକୁ ଭୁଲିନାହାଁନ୍ତି। ‘ଫନି’ ଯୋଗୁ ମାସ ମାସ ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେତେବେଳେ କଳାବଜାରରୁ ଜେନେରେଟର୍ କିଣା ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି କେତେକ ସ୍ବେଚ୍ଛାସେବୀ ସଂଗଠନ ଜେନେରେଟର କିଣିଆଣି ଲୋକମାନଙ୍କ ଘରେ ଘରେ ବୁଲି ସହଯୋଗ କରିଥିଲେ। ଘର ଛାତ ଉପରେ ଥିବା ପାଣିଟାଙ୍କିକୁ ପାଣି ଯୋଗାଇବା ପାଇଁ ଜେନେରେଟର୍କୁ ଲୋକେ ଭଡ଼ାରେ ମଧ୍ୟ ଆଣିବାକୁ ବାଧ୍ୟ ହେଉଥିଲେ। ତେବେ ଏବେ ବାତ୍ୟା ନାମ ଶୁଣିଲେ ପୁରୀବାସୀ ଛାନିଆ ହୋଇପଡ଼ୁଛନ୍ତି। ସମ୍ଭାବ୍ୟ ବାତ୍ୟା ‘ୟାସ’ କୁ ମୁକାବିଲା କରିବା ପାଇଁ ଲୋକେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।‘ଫନି’ ସମୟରେ କିଣିଥିବା ଜେନେରେଟର୍କୁ ସଫା କରି ସଜାଡ଼ୁଛନ୍ତି। କିରୋସିନ, ଡିଜେଲ ଏବଂ ପେଟ୍ରୋଲ ଆଦି କିଣି ଆଣି ଘରେ ରଖୁଛନ୍ତି। ଯେଉଁମାନଙ୍କର ଜେନେରେଟର ସୁବିଧା ନାହିଁ ସେମାନେ ସୋଲାର୍ ଟର୍ଚ୍ଚ, ସୋଲାର ଲାଇଟ୍ ଏବଂ ଡିବି, ଲଣ୍ଠନ ଆଦି ପୋଛାପୋଛି କରି ରଖୁଛନ୍ତି। ସେହିପରି ବଜାରରୁ ମହମବତି ମଧ୍ୟ କେତେକ କିଣି ଆଣି ରଖିବା ଆରମ୍ଭ କରିଦେଲେଣି। ଗତ ଦୁଇ ଦିନ ଧରି ସଟ୍ଡାଉନ୍ ରହିଥିବାରୁ କେତେକ ଲୋକଙ୍କର ପ୍ରସ୍ତୁତିରେ ମନ୍ଥର ହୋଇଛି।
from ଜିଲ୍ଲା | Sambad https://ift.tt/3fIqpiz
0 Comments