
କଟକ : ରାଜ୍ୟରେ କୋଭିଡ୍ ସଂକ୍ରମଣ ସ୍ଥିତି ସଙ୍ଗିନ ହେବାକୁ ଲାଗିଥିବାବେଳେ ଫୁସ୍ଫୁସ୍ ସଂକ୍ରମଣ ଚିନ୍ତାର କାରଣ ପାଲଟିଲାଣି। କରୋନାର ୨ୟ ଲହରରେ ଅକ୍ସିଜେନ ଅଭାବ ଫୁସ୍ଫୁସ୍ ସଂକ୍ରମଣ ସହ ଫୁସ୍ଫୁସ୍ ଅକାମି ଭଳି ସ୍ଥିତି ମଧ୍ୟ ଉଦ୍ବେଗ ସୃଷ୍ଟି କଲାଣି। କିନ୍ତୁ ରାଜ୍ୟରେ ସରକାରୀ ବ୍ୟବସ୍ଥାରେ ଫୁସ୍ଫୁସ୍ ଟ୍ରାନ୍ସପ୍ଲାଣ୍ଟ୍ ଆଜି ପର୍ଯ୍ୟନ୍ତ ହୋଇପାରିନି। ଫୁସ୍ଫୁସ୍ ଅଧିକମାତ୍ରରେ ସଂକ୍ରମିତ ଓ ଅଚଳ ହୋଇପଡୁଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଏସ୍ସିବି ସମେତ ରାଜ୍ୟର ସରକାରୀ ବ୍ୟବସ୍ଥାରେ ଏକ୍ମୋ ବା କୃତ୍ରିମ ଫୁସ୍ଫୁସ୍ (ଏକ୍ସଟ୍ରା କର୍ପୋରିଏଲ୍ ମେମ୍ବ୍ରେନ୍ ଅକ୍ସିଜେନେସନ୍ ବା ଏକ୍ସଟ୍ରା କର୍ପୋରିଏଲ୍ ଲାଇଫ୍ ସପୋର୍ଟ ସିଷ୍ଟମ୍) ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ପାରିନି। ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଏକ୍ମୋ ଚିକିତ୍ସା ବ୍ୟବସ୍ଥା ହେଉ ନ ଥିବାରୁ ଅଧିକାଂଶ ଫୁସ୍ଫୁସ୍ ସଂକ୍ରମିତ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି, ଯାହା କି ଗତବର୍ଷ କୋଭଡ୍ ସମୟରୁ ଦେଖିବାକୁ ମିଳିଲାଣି।
ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୧୦ହଜାର ଟପିସାରିଲାଣି। ୨ୟ ଲହରରେ ସଂକ୍ରମିତଙ୍କ ଶରୀରରେ ଅକ୍ସିଜେନ୍ର ମାତ୍ରା କମି କମି ଯାଉଥିବାରୁ ଅଧିକ ମାତ୍ରାରେ ଅକ୍ସିଜେନ, ଆଇସିୟୁ ଓ ଭେଣ୍ଟିଲେଟରର ଆବଶ୍ୟକ ପଡୁଛି। କିନ୍ତୁ ରାଜ୍ୟରେ ଭେଣ୍ଟିଲେଟର୍ ପର ଅର୍ଥାତ୍ ଏକ୍ମୋ ବା କୃତ୍ରିମ ଲଙ୍ଗସ୍(ଏକ୍ସଟ୍ରା କର୍ପୋରିଏଲ୍ ମେମ୍ବ୍ରେନ୍ ଅକ୍ସିଜେନେସନ୍ ବା ଏକ୍ସଟ୍ରା କର୍ପୋରିଏଲ୍ ଲାଇଫ୍ ସପୋର୍ଟ ସିଷ୍ଟମ୍) ଚିକିତ୍ସା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ରାଜଧାନୀର ତିନୋଟି ଘରୋଇ ହସ୍ପିଟାଲକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ କୌଣସିଠାରେ ନାହିଁ। ଜଣେ କୋଭିଡ୍ ସଂକ୍ରମିତଙ୍କଠାରେ ଯଦି ଫୁସ୍ଫୁସ୍ ସଂକ୍ରମିତ ହୋଇ ଅଚଳ ହୋଇଯାଉଛି , ତା’ ହେଲେ ଭେଣ୍ଟିଲେଟର ଛଡ଼ା ଅନ୍ୟ କୌଣସି ବିକଳ୍ପ ଚିକିତ୍ସା ବ୍ୟବସ୍ଥା ହୋଇପାରୁନି। ଫୁସ୍ଫୁସ୍ ଯଦି ସଂପୂର୍ଣ୍ଣ ଅଚଳ ହୋଇପଡ଼େ ତାହେଲେ ଏକ୍ମୋ ଏକ୍ସଟ୍ରା କର୍ପୋରିଏଲ୍ ମେମ୍ବ୍ରେନ୍ ଅକ୍ସିଜେନେସନ୍ ବା ଏକ୍ସଟ୍ରା କର୍ପୋରିଏଲ୍ ଲାଇଫ୍ ସପୋର୍ଟ ସିଷ୍ଟମ୍ ମାଧ୍ୟମରେ ରୋଗୀକୁ ଚିକିତ୍ସା କରାଯିବା ସହ ପରବର୍ତ୍ତୀ ସମୟରେ ଫୁସ୍ଫୁସ୍ ପ୍ରତିରୋପଣ ବ୍ୟବସ୍ଥା ମାଧ୍ୟମରେ ରୋଗୀ ନୂଆ ଜୀବନ ପାଇପାରିବ।
କଟକ ବଡ଼ ଡାକ୍ତରଖାନାରେ ଯେହେତୁ କାଡିଓଥୋରାସିସ୍ ବିଭାଗ ରହିଛି ଓ ଓପନ୍ ହାର୍ଟ ସର୍ଜରି କରାଯାଉଛି, ତେଣୁ ସେହି ବିଭାଗରେ ଫୁସ୍ଫୁସ୍ ପ୍ରତିରୋପଣ ବ୍ୟବସ୍ଥା ସମ୍ଭବ। ସେଥିପାଇଁ ଦୀର୍ଘବର୍ଷ ହେବ ପ୍ରସ୍ତାବ ପରେ ପ୍ରସ୍ତାବ ଯାଉଛି କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରୁନି। କିଛିମାସ ତଳେ ପୁଣି ଏହି ଫୁସ୍ଫୁସ୍ ପ୍ରତିରୋପଣ ବ୍ୟବସ୍ଥା ପାଇଁ ପୁଣି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବା ସହ ଏ ଦିଗରେ କିଛିଟା କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଏବେ ପୁଣି କରୋନା ମାଡ଼ରେ ଏସବୁ ଯୋଜନା ଓ ପ୍ରସ୍ତାବ ଶୀତଳଭଣ୍ଡାରରେ। କରୋନା ୨ୟ ସଂକ୍ରମଣରେ ଫୁସ୍ଫୁସ୍ ସଂକ୍ରମିତ ଓ ଅଚଳ କାରଣରୁ ଅନେକ ମୃତ୍ୟୁ ମଧ୍ୟ ଘଟୁଥିବାବେଳେ ଏବେ ରାଜ୍ୟରେ ଏକ୍ମୋ ମେସିନ୍ର ଆବଶ୍ୟକତା ଜରୁରୀ ହୋଇପଡିଛି। ଏହି ମେସିନ୍ର ଦାମ୍ ପାଖାପାଖି ୪୦ଲକ୍ଷ ଟଙ୍କା ହୋଇଥିବାବେଳେ ଏଥିପାଇଁ ଭିତ୍ତିଭୂମିର ଆବଶ୍ୟକତା ରହିଛି। ସରକାର ସରକାରୀ ବ୍ୟବସ୍ଥାରେ ଏକ୍ମୋ ସିଷ୍ଟମ୍ କାର୍ଯ୍ୟକାରୀ କଲେ ହୁଏତ କରୋନା ଦ୍ବାରା ବା ଫୁସ୍ଫୁସ୍ ସଂକ୍ରମଣରେ ଚାଲିଯାଉଥିବା ଅନେକ ଜୀବନ ବଞ୍ଚିଯାଇପାରନ୍ତା। ଏପରିକି ଆଗକୁ ରାଜ୍ୟ ସରକାର ଏସ୍ସିବିରେ କାର୍ଯ୍ୟକ୍ଷମ ପାଇଁ ଯୋଜନା କରିଥିବା ଫୁସ୍ଫୁସ୍ ପ୍ରତିରୋପଣ ବ୍ୟବସ୍ଥାର ବାଟ ଫିଟିପାରନ୍ତା ଏସ୍ସିବିର ଜଣେ ବରିଷ୍ଠ ବିଶେଷଜ୍ଞଙ୍କ ସୂଚନା ଅନୁସାରେ ଏକ୍ମୋ ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲେ ବହୁ ଗୁରୁତର ଫୁସ୍ଫୁସ୍ ସଂକ୍ରମିତଙ୍କ ଜୀବନ ବଂଚିଯାଇପାରନ୍ତା।
The post ଯୋଜନାରେ ଅଟକିଛି କୃତ୍ରିମ ଫୁସ୍ଫୁସ୍ ବ୍ୟବସ୍ଥା first appeared on Sambad.from ଜିଲ୍ଲା | Sambad https://ift.tt/3h3ikaL
0 Comments