କେନ୍ଦୁଝର: ଦିନକୁ ଦିନ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନର ଆବଶ୍ୟକତା ବଢ଼ି ଚାଲିଛି। ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବ ପଡୁଥିବା ନେଇ ଅଭିଯୋଗ ଆସୁଛି। ଏଭଳି ପରିସ୍ଥିତିରେ କେନ୍ଦୁଝର ସହରର ଜଣେ ବ୍ୟକ୍ତି ଅକ୍ସିଜେନ ମହଜୁଦ୍‌ ରଖି ଆବଶ୍ୟକ କରୁଥିବା ରୋଗୀଙ୍କୁ ମାଗଣାରେ ଯୋଗାଇ ଦେଉଛନ୍ତି।

କେନ୍ଦୁଝର ସହରର ଅଶୋକ ଶର୍ମା କରୋନା ରୋଗୀଙ୍କୁ ଅକ୍ସିଜେନ ଯୋଗାଇବାକୁ ମନସ୍ଥ କରିଥିଲେ। ବାପା ସ୍ବର୍ଗତ ବିଶ୍ବନାଥ ଶର୍ମାଙ୍କ ପଥ ଅନୁସରଣ କରି ଲୋକଙ୍କ ସେବା ପାଇଁ ପାଦ କାଢ଼ିଥିଲେ। ତାଙ୍କ ଘରେ ଥିବା ୨୩ଟି ପୁରୁଣା ସିଲିଣ୍ଡରରେ ଅକ୍ସିଜେନ୍‌ ଭର୍ତ୍ତି କରି ଆବଶ୍ୟକ କରୁଥିବା ଲୋକଙ୍କୁ ଯୋଗାଇବା ଆରମ୍ଭ କରିଥିଲେ। ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କ ପାଖରେ ସିଲିଣ୍ଡର ଥିବା ସଂପର୍କରେ ପ୍ରଚାର କରି ଏହି କାମକୁ ସହଜ କରିଥିଲେ। କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଅକ୍ସିଜେନ ଯୋଗାଇ ସେ ପ୍ରଶଂସା ସାଉଁଟୁଛନ୍ତି।

ତାଙ୍କ କହିବା ଅନୁସାରେ କେନ୍ଦୁଝର ସହରଠାରୁ ଅକ୍ସିଜେନ୍‌ ରିଫିଲିଙ୍ଗ ପ୍ଲାଣ୍ଟ ପ୍ରାୟ ୨୦ କିଲୋମିଟର ଦୂର। ଏହି ୨୦ କିଲୋମିଟର ଦୂର ଯାଇ ସେଠାରେ ଛୋଟ ସିଲିଣ୍ଡରକୁ ୧୦୦ ଟଙ୍କା ଏବଂ ବଡ଼ ସିଲିଣ୍ଡରକୁ ୩୦୦ ଟଙ୍କା ଖର୍ଚ୍ଚ କରି ସିଲିଣ୍ଡର ରିଫିଲିଙ୍ଗ କରାଉଛନ୍ତି। ଏହାପ‌ରେ ଯେଉଁମାନଙ୍କର ଆବଶ୍ୟକ ସେମାନଙ୍କୁ ଯୋଗାଉଛନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି, ଏହି ସମୟରେ ତାଙ୍କ ପାଖରୁ ପ୍ରାୟ ୩୦ ଜଣ କରୋନା ଆକ୍ରାନ୍ତ ଅକ୍ସିଜେନ୍‌ ସିଲିଣ୍ଡର ନେଇ ସୁସ୍ଥ ହୋଇ ସାରିଲେଣି। ଅଶୋକଙ୍କ ଏଭଳି ମାଗଣା ଅକ୍ସିଜେନ୍‌ ଯୋଗାଣ ପାଇଁ କେହି କେହି ତାଙ୍କୁ ‘ଅକ୍ସିଜେନ ମ୍ୟାନ’ ବୋଲି କହିବା ଆରମ୍ଭ କଲେଣି। ଅଶୋକ କୁହନ୍ତି, ତାଙ୍କୁ ଏହି କାମ ବେଶ୍‌ ଆତ୍ମସନ୍ତୋଷ ଦେଉଛି। ଯଦି ଆବଶ୍ୟକ ପଡେ, ଆହୁରି ସହଯୋଗ କରାଯିବ ବୋଲି ସେ କହିଛନ୍ତି।

The post ‘ଅକ୍ସିଜେନ୍‌ ମ୍ୟାନ୍‌’ ଅଶୋକ first appeared on Sambad.

from ଜିଲ୍ଲା | Sambad https://ift.tt/3tEoiBq