ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ତରତୁଆ ଠାରେ ଦୁଇ ଦିନ ପୂର୍ବେ ଏକ ଗ୍ୟାସ ସିଲିଣ୍ଡର ନେଇ ଯାଉଥିବା ଗାଡ଼ିକୁ ଲୁଟ କରିବା ସହ ଗ୍ୟାସ୍ ସିଲିଣ୍ଡର ଚୋରାଇ ନେଇଥିବା ଘଟଣାରେ ଆଜି ଖୋର୍ଦ୍ଧା ଟାଉନ୍ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ୧୫ ତାରିଖ ରାତିରେ ଅମ୍ଲଜାନ ସିଲିଣ୍ଡର ନେଇ ୨ଟି ଭ୍ୟାନ୍ ଭୁବନେଶ୍ୱରରୁ କନ୍ଧମାଳ ଯାଉଥିଲେ । ରାତି ପ୍ରାୟ ୧୦ଟା ବେଳେ ତରତୁଆ ଠାରେ କେତେକ ଦୁର୍ବୃତ୍ତ ସେମାନଙ୍କ ମଧ୍ୟରୁ ଗୋଟିଏ ଭ୍ୟାନକୁ ଅଟକାଇ ଡ୍ରାଇଭରକୁ ମାଡ଼ ମାରିବା ସହ ତାଙ୍କ ଠାରୁ ଟଙ୍କା, ଏଟିଏମ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ସହ ଅମ୍ଳଜାନ ସିଲିଣ୍ଡର ଆଦି ଲୁଟି ନେଇଥିଲେ । ଏନେଇ କନ୍ଧମାଳ ଖଜୁରୀପଡ଼ାର ବାସିନ୍ଦା ତଥା ଗାଡ଼ିଚାଳକ ସୀମାଂଚଳ ପ୍ରଧାନ (୨୨) ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏନେଇ ପୁଲିସ ୧୯୪/୨୦୨୧ରେ ଏକ ମାମଲା ରୁଜୁ କରିଥିଲା । ଅମ୍ଲଜାନ ସିଲିଣ୍ଡର ଲୁଟ ଭଳି ଗୁରୁତର ଘଟଣା ହୋଇଥିବାରୁ ଏସପି ରାଜକିଶୋର ଦୋରା ଏହାକୁ ଗୁରୁତର ସହ ଗ୍ରହଣ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଧରିବା ପାଇଁ ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରିଥିଲେ ।

ଆଜି ତଦନ୍ତ ପରେ ତରତୁଆ ମୁସଲିମ ସାହିର ଅବ୍ଦୁଲ୍ ମଜିଦ୍ ଖାଁ, କିଆ ଓରଫ କରିମ ଖାଁଙ୍କୁ ଗିରଫ କରିଥିଲା । ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସିଲିଣ୍ଡର, ପର୍ସ, ଡ୍ରାଇଭିଂ ଲାଇସେନ୍ସ, ଏଟିଏମ୍ କାର୍ଡ ଆଦି ଜବତ କରାଯାଇଛି । ସେମାନଙ୍କ ଡାକ୍ତର ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି ।

The post ଅମ୍ଲଜାନ ସିଲିଣ୍ଡର ଚୋରି ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3fv9PTA