ଅନୁଗୁଳ : ଦୀର୍ଘ ୪୦ ବର୍ଷ ପରେ ସାତକୋଶିଆ ପାଇଁ ଆସିଲା ଶୁଭ ଖବର। ଦୀର୍ଘ ବର୍ଷ ହେଲା ଯେଉଁ ପ୍ରାକୃତିକ ଆବାସସ୍ଥଳୀରେ ବିଲୁପ୍ତପ୍ରାୟ ଘଡ଼ିଆଳମାନେ ବଂଶ ବିସ୍ତାର କରୁନଥିଲେ ସେମାନେ ମହାନଦୀ ଗଣ୍ଡରେ ଫୁଟାଇଛନ୍ତି ଅଣ୍ଡା। ପ୍ରାୟ ୨୮ଟି ଘଡ଼ିଆଳ ଛୁଆ ମହାନଦୀ ଗଣ୍ଡରେ ମା ସାଥୀରେ ଖେଳୁଥିବା ବନବିଭାଗ ଫଟୋ ଉତ୍ତୋଳନ କରିଛି। ଦୀର୍ଘ ପ୍ରତୀକ୍ଷା ପରେ ଘଡ଼ିଆଳ ଶାବକଙ୍କ ଜନ୍ମକୁ ନେଇ ପରିବେଶବିତ୍‌ ଯେତିକି ଖୁସି ବ୍ୟକ୍ତ କରିଛନ୍ତି, ଛୁଆଙ୍କ ସାମ୍ନାରେ ହିଂସ୍ର ପ୍ରଜାତି ମଗର କୁମ୍ଭୀରଙ୍କ ଉପସ୍ଥିତିକୁ ନେଇ ସେତିକି ଆଶଙ୍କାବ୍ୟକ୍ତ କରିଛନ୍ତି। ଦୀର୍ଘବର୍ଷ ପରେ ମହାନଦୀ ଗଣ୍ଡରେ ଜନ୍ମ ନେଇଥିବା ଏହି ନୂଆ ଅତିଥିଙ୍କ ପାଇଁ ମଗର କୁମ୍ଭୀର ବିପଦ ହେବେ ନାହିଁ ତ? ଏହାକୁ ନେଇ ପରିବେଶବିତଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଲାଣି।

Dulcimer Tours

ଉଲ୍ଲେଖଯୋଗ୍ୟ, ବିସ୍ତୀର୍ଣ୍ଣ ମହାନଦୀ ଗଣ୍ଡରେ ମଗର କୁମ୍ଭୀରଙ୍କ ସଂଖ୍ୟା ତୁଳନାରେ ଘଡ଼ିଆଳଙ୍କ ସଂଖ୍ୟା ଅତି ନଗଣ୍ୟ। ଗଣ୍ଡରେ ଏବେ ପ୍ରାୟ ୧୦୦ରୁ ଅଧିକ ମଗର କୁମ୍ଭୀର ବସବାସ କରୁଛନ୍ତି। ଋତୁ ଅନୁସାରେ ବର୍ତ୍ତମାନର ଏହି ଟାଣ ଖରା କୁମ୍ଭୀର ପ୍ରଜନନ ପାଇଁ ପ୍ରକୃଷ୍ଟ ସମୟ। ଘଡ଼ିଆଳ କୁମ୍ଭୀର ଯେମିତି ଅଣ୍ଡା ଫୁଟାଇ ଛୁଆ ପ୍ରଜନନ କରିଛନ୍ତି, ମଗର କୁମ୍ଭୀର ମଧ୍ୟ ଶତାଧିକ ସଂଖ୍ୟାରେ ଅଣ୍ଡା ଫୁଟାଇ ଶାବକ ଜନ୍ମ ଦେଇଛନ୍ତି। କୁହାଯାଏ, କୁମ୍ଭୀର ଯେତିକି ଅଧିକ ସଂଖ୍ୟାରେ ଅଧିକ ଅଣ୍ଡା ଦିଏ, ସେହି ତୁଳନାରେ ଶାବକ ମୃତ୍ୟୁ ପ୍ରତିଶତ ମଧ୍ୟ ଅଧିକ ରହେ। ମହାନଦୀ ଗଣ୍ଡରେ ଯଦିଓ ଉଭୟ ମଗର ଓ ଘଡ଼ିଆଳ କୁମ୍ଭୀର ବସବାସ କରନ୍ତି, କିନ୍ତୁ ମଝିରେ ମଝିରେ ଏହି ପ୍ରାକୃତିକ ବାସସ୍ଥଳୀରେ ଉଭୟ କୁମ୍ଭୀରଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହେବାର ନଜିର ମଧ୍ୟ ରହିଛି। ବେଶିଦିନ ନୁହେଁ, ନିକଟ ଅତୀତରେ ପ୍ରାପ୍ତବୟସ୍କ କୁମ୍ଭୀରଙ୍କ ମଧ୍ୟରେ କାମୁଡ଼ାକୁମୁଡ଼ି ହେବାର ନଜିର ଦେଖିବାକୁ ମିଳିଥିଲା।

ନନ୍ଦନକାନନରୁ ଯେଉଁ ଘଡ଼ିଆଳ କୁମ୍ଭୀରକୁ ଆଣି ସାତକୋଶିଆ ଗଣ୍ଡରେ ଛଡ଼ାଯାଇଥିଲା ସେଥିରୁ ଗୋଟିଏ କୁମ୍ଭୀର କ୍ଷତାକ୍ତ ଅବସ୍ଥାରେ ଗଣ୍ଡରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଥିଲା। ଘଡ଼ିଆଳ କୁମ୍ଭୀର ସହିତ ମଗରର ସଂଘର୍ଷ ଯୋଗୁଁ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ବନବିଭାଗ ଆକଳନ କରିଥିଲା। ବିସ୍ତୀର୍ଣ୍ଣ ମହାନଦୀ ଗଣ୍ଡରେ ପ୍ରାପ୍ତ ବୟସ୍କ ଘଡ଼ିଆଳ ଯେଉଁଠି ମଗର ସହ ସଂଘର୍ଷ କରି ମୃତ୍ୟୁବରଣ କରୁଛି ସେଠି ଘଡ଼ିଆଳ ଶାବକମାନେ ମଗର ସାମ୍ରାଜ୍ୟରେ କେତେ ସୁରକ୍ଷିତ ରହିବେ ତାହାକୁ ନେଇ ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ହିଂସ୍ର ପ୍ରଜାତିର କୁମ୍ଭୀର କୁହାଯାଉଥିବା ମଗରଙ୍କଠାରୁ ଘଡ଼ିଆଳ ଶାବକଙ୍କୁ ସୁରକ୍ଷିତ ରଖିପାରିଲେ ହିଁ ଭାରତରେ ବିଲୁପ୍ତ ହେବାକୁ ଯାଉଥିବା ଘଡ଼ିଆଳ ବଂଶର ସୁରକ୍ଷା ମହାନଦୀର ଏହି ପ୍ରାକୃତିକ ଆବାସସ୍ଥଳୀ କୁହାଯାଉଥିବା ସାତକୋଶିଆ ଗଣ୍ଡରେ ହୋଇପାରିବ ବୋଲି ପରିବେଶବିତ୍‌ ମତପ୍ରକାଶ କରିଛନ୍ତି।

The post ଘଡ଼ିଆଳ ଶାବକକୁ ମଗର ବିପଦ! first appeared on Sambad.

from ଜିଲ୍ଲା | Sambad https://ift.tt/2RMGM5M