
ନରସିଂହପୁର : ଅନୁଗୁଳ ଜିଲ୍ଲାରୁ ଅକ୍ସିଜେନ୍ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ଟ୍ୟାଙ୍କର କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବୁଢ଼ାବୁଢ଼ୀ ଠାକୁରାଣୀ ଘାଟିରେ ୩୦ଘଣ୍ଟା ଧରି ଅଟକି ରହିଥିଲା। ଘାଟିରେ ଫଶି ରହିଥିବା ଟ୍ୟାଙ୍କର୍ଟିକୁ ରବିବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ଏହାପରେ ଅକ୍ସିଜେନ୍ ଟ୍ୟାଙ୍କର୍ ଗନ୍ତବ୍ୟ ଅଭିମୁଖେ ବାହାରିଥିବା ସୂଚନା ମିଳିଛି।
ଗତ ୭ ତାରିଖ ଦିନ ଅନୁଗୁଳର ଭୂଷଣ କମ୍ପାନିରୁ ଅକ୍ସିଜେନ୍ ନେଇ ଦୁଇଟି ଟ୍ୟାଙ୍କର୍ ଆନ୍ଧ୍ରପ୍ରଦେଶ ଯିବା ପାଇଁ ବାହାରିଥିଲେ। ଟ୍ୟାଙ୍କରଦ୍ବୟ ନରସିଂହପୁର ବୁଢ଼ାବୁଢ଼ୀ ଠାକୁରାଣୀ ଘାଟି ଦେଇ ନୟାଗଡ଼ ବାଟରେ ଆନ୍ଧ୍ରପ୍ରଦେଶ ଯିବାର ଥିଲା। ଗୋଟିଏ ଟ୍ୟାଙ୍କର୍ ଘାଟି ପାର କରିଯାଇଥିଲା। ତେବେ ପଛରେ ଆସୁଥିବା ଅକ୍ସିଜେନ୍ ଟ୍ୟାଙ୍କର୍ର ଡ୍ରାଇଭର୍ ଜିପିଏସ୍ରେ ତ୍ରୁଟି ଯୋଗୁଁ ଭୁଲ୍ ରାସ୍ତାରେ ଯାଉଥିବା ସନ୍ଦେହ କରିଥିଲେ। ଏହାପରେ ସେ ଗାଡ଼ି ବୁଲାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଘାଟିର ଡ୍ରେନେଜ୍ ପାଚେରୀରେ ଟ୍ୟାଙ୍କର୍ ପଛ ଲାଖି ଯାଇଥିଲା। ଫଳରେ ଗାଡ଼ି ଆଉ ପଛକୁ ବୁଲି ନ ପାରି ଅଟକି ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ନରସିଂହପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲା। ପରେ ଭୂଷଣ କମ୍ପାନି କର୍ତ୍ତୃପକ୍ଷ ପହଞ୍ଚି ପ୍ରଶାସନ ସହଯୋଗରେ ଟ୍ୟାଙ୍କର୍କୁ ଘାଟିରୁ ବାହାର କରିଥିଲେ। ଏହାପରେ ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଅକ୍ସିଜେନ୍ ଟ୍ୟାଙ୍କର୍ଟି ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଥିଲା ବୋଲି ନରସିଂହପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି।
The post ୩୦ ଘଣ୍ଟା ଅଟକିଲା ଅକ୍ସିଜେନ୍ ଟ୍ୟାଙ୍କର୍ first appeared on Sambad.from ଜିଲ୍ଲା | Sambad https://ift.tt/3f3rv8t
0 Comments