
କଟକ: କରୋନା ଆଳରେ ଜମାଦାରଙ୍କ ଦେଖାନାହିଁ। ସିଏମ୍ସି ସଫେଇ କର୍ମଚାରୀ ବି ଆସୁନାହାନ୍ତି। ଦୀର୍ଘ ୧୫ଦିନ ଗଦା ହୋଇଛି ଅଳିଆ। ଖାଲି ସେତିକି ନୁହେଁ କୌଣସି ଡ୍ରେନ୍ ମଧ୍ୟ ସଫା ହୋଇନାହିଁ। ଏ ହେଉଛି ସିଏମ୍ସି ୩୩ ନମ୍ବର ୱାର୍ଡ ଅନ୍ତର୍ଗତ ନାୟକସାହିର ଚିତ୍ର। ଖାଲି ନାୟକସାହି କାହିଁକି, ୱାର୍ଡର ଅନ୍ୟ ସାହିର ପରିମଳ ସ୍ଥିତି ମଧ୍ୟ ଅନୁରୂପ।
ସିଏମ୍ସି ୩୩ ନଂ ୱାର୍ଡରେ ନାୟକସାହି ସମେତ ବଣିଆସାହି, ଥୋରିଆସାହି, ଉଚ୍ଚସାହି, କେଶରପୁର, ଘାସିଆସାହି, ମଙ୍ଗଳାବାଗର କିଛି ଅଂଶ ଆଦି ରହୁଛି। ୫ମାସ ତଳେ ସିଏମ୍ସି କମିସନର ୱାର୍ଡ ଅନ୍ତର୍ଗତ ସବୁ ସାହିର ଡ୍ରେନ୍ ସଫା କରିବା ପାଇଁ ୫ଜଣ କୁଲିଙ୍କୁ ନିୟୋଜିତ କରିଥିଲେ। କିନ୍ତୁ ଆଜି ଯାଏ କୁଲିଙ୍କ ଦେଖାନାହିଁ କି କୌଣସି ଡ୍ରେନ୍ରୁ ପଙ୍କ ଗାଣ୍ଡୁଆଏ କଢ଼ାଯାଇ ନାହିଁ। କରୋନା ଆଳରେ ଜମାଦାର ଆସୁନଥିବାରୁ ଡ୍ରେନ୍ରୁ ମାଟି କାଢ଼ିବା ଦୂରର କଥା, ୱାର୍ଡରୁ ଅଳିଆ ମଧ୍ୟ ଠିକ୍ରେ ସଫା ହେଉନାହିଁ। ନାୟକସାହି ଭୂଦାନ ଅଫିସ ପାଖରେ ଗଦା ହୋଇଥିବା ଅଳିଆ ଏହାର ପ୍ରମାଣ ଦେଉଛି।
ନାୟକସାହିର ଜଣେ ବାସିନ୍ଦାଙ୍କ କହିବା ଅନୁସାରେ, ଦୁଇ ଦିନ ତଳେ ହୋଇଥିବା ବର୍ଷାରେ ନାୟକସାହି ରାସ୍ତାରେ ପାଣି ଜମା ହେବା ସହିତ କିଛି ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିଲା। ସାହିର ଭୂଦାନ ଅଫିସ୍ ସମ୍ମୁଖରେ ୧୫ଦିନ ହେଲା କୁଢ଼ କୁଢ଼ ଅଳିଆ ଗଦା ହୋଇଛି। ଏବେ ଅଳ୍ପ ବର୍ଷାରେ ସାହିର ଅବସ୍ଥା ଯଦି ଏମିତି, ଆଗକୁ ମୌସୁମୀ ବର୍ଷା ହେଲେ, ଲୋକେ କ’ଣ କରିବେ ବୋଲି ସଂପୃକ୍ତ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଏବେ ପୁଣି ସହରରେ ମହାମାରୀ କରୋନାର ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଥିବାରୁ ୱାର୍ଡରୁ ଅଳିଆ ଆବର୍ଜନା ଠିକ୍ରେ ସଫା କରି ପରିମଳ ପରିଚାଳନା ବ୍ୟବସ୍ଥା ସୁଧାରିବାକୁ ଦାବି ହେଉଛି।
The post କରୋନା ଆଳରେ ଆସୁନାହାନ୍ତି ସଫେଇ କର୍ମଚାରୀ first appeared on Sambad.from ଜିଲ୍ଲା | Sambad https://ift.tt/3oLHXP1
0 Comments