
କଟକ : ରାଉରକେଲାର ଜଣେ ଅଟୋ ଡ୍ରାଇଭରଙ୍କୁ ଜିଏସ୍ଟି କମିସନରଙ୍କ କାର୍ଯ୍ୟାଳୟରୁ ଜାରି ନୋଟିସ୍ରେ କର/ଜରିମାନା ବାବଦରେ ୪ କୋଟି ୩୧ ଲକ୍ଷ ୩୯ ହଜାର ୬୭୨ ଟଙ୍କା ପଇଠ ପାଇଁ କୁହାଯିବା ଘଟଣା ଗତବର୍ଷ ଆଲୋଚନାର ବିଷୟ ହୋଇଥିଲା। ଆବେଦନକାରୀ ପକ୍ଷ ରଖିବା ପରେ ଏହା ଉପରେ ଜିଏସ୍ଟି କର୍ତ୍ତୃପକ୍ଷ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ରାଜେନ୍ଦ୍ର ପଲାଇ ଜିଏସ୍ଟି କମିସନରଙ୍କ କାର୍ଯ୍ୟାଳୟରୁ ଜାରି ନୋଟିସ୍ ଉପରେ ଜୁଲାଇ ୧୯ ତାରିଖ ପୂର୍ବରୁ ଜବାବ ରଖିବେ। ଏହାପୂର୍ବରୁ ଜୁଲାଇ ୧ ତାରିଖ ଦିନ କଟକ ସିଟି ଜିଏସ୍ଟି (ଲ) କମିସନରେଟ୍ର ଡେପୁଟି କମିସନରଙ୍କ କାର୍ଯ୍ୟାଳୟରେ ଆବେଦନକାରୀଙ୍କୁ ଏ ସଂପର୍କିତ ନଥିପତ୍ର ଅନୁଧ୍ୟାନ କରିବାକୁ ଅନୁମତି ଦିଆଯିବ। ଚାରି ସପ୍ତାହ ଭିତରେ ଏହି ପ୍ରସଂଗରେ ଶୁଣାଣି ପାଇଁ ଜିଏସ୍ଟି କର୍ତ୍ତୃପକ୍ଷ ଏକ ତାରିଖ ଧାର୍ଯ୍ୟ କରିବେ ଓ ତାହା ଆବେଦନକାରୀଙ୍କୁ ଅବଗତ କରାଯିବ। ଏହାପରେ ଏ ପ୍ରସଂଗରେ ଶୁଣାଣି କରି ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ଜିଏସ୍ଟି କର୍ତ୍ତୃପକ୍ଷ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ। ସେପ୍ଟେମ୍ବର ୧୩ ସୁଦ୍ଧା ଆବେଦନକାରୀଙ୍କୁ ଏ ନେଇ ଅବଗତ କରାଯିବ। ଯଦି ଜିଏସ୍ଟି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ନେଇ ଆବେଦନକାରୀ ଅସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେଇପାରବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
The post ଗରିବ ଲୋକଙ୍କ ନାଁରେ ଜିଏସ୍ଟି ଠକେଇ ଅଭିଯୋଗ: ଉପଯୁକ୍ତ ପଦକ୍ଷେପ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ first appeared on Sambad.from ଜିଲ୍ଲା | Sambad https://ift.tt/3gXQfQy
0 Comments