ବାଲିଅନ୍ତା: ଶୁକ୍ରବାର ଠାରୁ ବାଳକାଟି ସାପ୍ତାହିକ ହାଟ ସ୍ଥାନୀୟ ପଞ୍ଚୁଦୋଳ ମେଳଣ ପଡ଼ିଆରେ ହେବା ପାଇଁ ସ୍ଥିର ହୋଇଛି। ଏନେଇ ଆଜି ବାଲିଅନ୍ତା ତହସିଲ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଳକାଟି ବଜାର ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟବସାୟୀମାନେ ବସି ବ୍ୟବସାୟ କରିବା ଦ୍ବାରା ଭାରୀଯାନ ଗୁଡ଼ିକ ପରସ୍ପରରକୁ ଅତିକ୍ରମ କରିବା ବେଳେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି , ଭିଡ଼ ଭିତରେ ରୋଗୀ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସକୁ ଘଣ୍ଟା ଘଣ୍ଟା ଧରି ଫସି ରହୁଛି। ଗତ ମଙ୍ଗଳବାର ହାଟପାଳି ଦିନ ଏଭଳି ସମସ୍ୟା ଦେଖାଦେଇଥିଲା। ଖାଲି ସେତିକି ନୁହେଁ ଶବ ବୁହା ଯାନ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଫଳରେ ଗାଡ଼ିମଟର ବଜାର ରାସ୍ତା‌ ଅତିକ୍ରମ କରାଇବାରେ ପୁଲିସ କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କୁ ନାକେଦମ ହେବାକୁ ପଡ଼ୁଛି। ସର୍ବ ସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ମେଳଣ ପଡ଼ିଆକୁ ହାଟ ସ୍ଥାନାନ୍ତର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ କରୋନା ଲକଡାଉନ ଉଠିବା ଯାଏ ହାଟ ବ୍ୟବସାୟୀମାନେ ସାପ୍ତାହିକ ହାଟ ସମ୍ମୁଖ ବଜାର ରାସ୍ତାରେ ବସି ବ୍ୟବସାୟ କରିପାରିବେ ନାହିଁ ବୋଲି କୁହଯାଇଛି। ବ୍ୟବସାୟୀମାନେ ସହଯୋଗ କରିବାକୁ ସରପଞ୍ଚ ଭାଗ୍ୟଧର ନନ୍ଦୀ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ହାଟ ବ୍ୟବସାୟୀମାନେ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରି ହାଟ ପରିସରରେ ଏକ ଜରୁରୀକାଳୀନ ବୈଠକରେ ଆଲୋଚନା କରିଛନ୍ତି।

The post ଏଣିକି ବାଳକାଟି ମେଳଣ ପଡ଼ିଆରେ ହେବ ସାପ୍ତାହିକ ହାଟ first appeared on Sambad.

from ଜିଲ୍ଲା | Sambad https://ift.tt/3ix3A4A