ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଜଙ୍ଗଲରେ ଚାଲିଛି ବେଧଡକ ଚୋରା କାଠକାରବାର। କାଠ ମାଫିଆମାନେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ଉଠାଉଛନ୍ତି ଭରପୁର ଫାଇଦା। ବନ ବିଭାଗ କର୍ମଚାରୀ, ସ୍ଥାନୀୟ ପୁଲିସ୍‌କୁ ଚକ୍‌ମା ଦେଇ ମାଫିଆମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ସଂରକ୍ଷିତ ଜଙ୍ଗଲ କାଟି ପଦା କରୁଛନ୍ତି। ମାଲେମାଲ୍‌ ହେଉଛନ୍ତି କାଠ ମାଫିଆ ଓ ସ୍ଥାନୀୟ ଅଞ୍ଚଳର କିଛି ଚୋରା କାଠ ବେପାରୀ।

ବିଶ୍ରା ବ୍ଳକ ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ଗତ ଦୁଇ ମାସ ଧରି ବେଆଇନ୍ କାଠ କାରବାର ବେଧଡକ ଚାଲିଛି। ଜଙ୍ଗଲରୁ ଲଗାତାର ଗଛ କାଟିବା ହେତୁ ଜଙ୍ଗଲ କ୍ଷେତ୍ର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏଥି ସହିତ ପ୍ରଦୂଷଣ ମଧ୍ୟ ବଡ଼ିବାକୁ ଲାଗିଛି। ଯାହା ମଣିଷ ଏବଂ କୃଷି କାର୍ଯ୍ୟ ସହିତ ବର୍ଷା ଉପରେ ପ୍ରଭାବ ପକାଉଛି। କାଠ ମାଫିଆ ଏବଂ ବନ୍ ବିଭାଗ କିଛି କରିତକର୍ମା କର୍ମଚାରୀଙ୍କ ମିଳିତ ଯୋଗୁଁ ଅଞ୍ଚଳରେ ବେଆଇନ୍ କାଠ କାରବାର ବଢ଼ିବାକୁ ଲାଗିଛି। ବିଶ୍ରା ଜଙ୍ଗଲ ଅଧୀନସ୍ଥ ମୋନକୋ ପଞ୍ଚାୟତ ଅନ୍ତର୍ଗତ ତାଲବାହାଲ, ଜରାଇକେଳା ପଞ୍ଚାୟତ ଅଧିନସ୍ଥ ଜମାଲ ଗ୍ରାମ, ତୁଲସିକାନି ପଞ୍ଚାୟତ ଅଧୀନସ୍ଥ ଝାଡବେଡ଼ା, କୋକେରାମା ଅଂଚଳ ଠାରେ କାଠ ମାଫିଆ ବେଆଇନ ଭାବେ ଜଙ୍ଗଲ କାଟୁଛନ୍ତି। ସେହି କାଠକୁ ଆସବାବପତ୍ର ତିଆରି କରି ବଜାରରେ ବିକ୍ରି କରୁଛନ୍ତି। ଚୋରା କାଠରେ ତିଆରି ହେଉଥିବା ଆସବାବପତ୍ରଗୁଡ଼ିକ ରାଉରକେଲା, ଜଗଦା, କୋଏଲନଗର, ଛେଣ୍ଡ ଇତ୍ୟାଦି ସ୍ଥାନକୁ ପଠାଯାଉଛି।

ସୂଚନାଯୋଗ୍ୟ ଯେ ଗୋଟିଏ ପଟେ ରାଜ୍ୟ ସରକାର ବୃକ୍ଷ ରୋପଣ ପାଇଁ ଅନେକ ପ୍ରକାରର ଯୋଜନା ଆଣିଛନ୍ତି। କାରଣ ରାଜ୍ୟ ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ପରିବେଶକୁ କୌଣସି ପ୍ରକାରେ ବଞ୍ଚାଇବା। କିନ୍ତୁ ପରିବେଶ ସଂରକ୍ଷଣ କରିବା ପରିବର୍ତ୍ତେ ଜଙ୍ଗଲ ବିଭାଗ କର୍ମଚାରୀ କାଠ ମାଫିଆଙ୍କ ସହିତ ହାତ ମିଶେଇ ପ୍ରତିଦିନ ବହୁମୂଲ୍ୟ ଜଙ୍ଗଲକୁ କ୍ଷତିଗ୍ରସ୍ତ କରୁଛି।

The post ସୀମାନ୍ତରେ ଚାଲିଛି ବେଧଡ଼କ ଚୋରା କାଠ କାରବାର, ଚାଲାଣ ହେଉଛି ଝାଡ଼ଖଣ୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/2TQ5YsY