
ସୁନ୍ଦରଗଡ଼,: ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀଙ୍କ ବିକାଶ ଓ ହିତ ପାଇଁ ଆସିଥିବା ବିପୁଳ ଅର୍ଥ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର କିଛି ଅସାଧୁ କର୍ମଚାରୀ, ଠିକାଦାର ମିଳିତ ଭାବେ ହଡ଼ପ କରି ନେଇଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ପ୍ରକଳ୍ପରେ ବିନା କାମ ଓ ଅଳ୍ପ କାମ କରି ମିଥ୍ୟା ବିଲ୍ରେ କୋଟି କୋଟି ଟଙ୍କା ଚଳୁ କରାଯାଇଥିବା ପ୍ରକାଶ ପାଇଥିଲା। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଓ ପ୍ରଭାବିତ ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ‘ସମ୍ବାଦ’ରେ ନିୟମିତ ଖବର ପ୍ରକାଶ ପାଇବା ପରେ ଏହା ଜିଲ୍ଲା ବ୍ୟାପି ଚର୍ଚ୍ଚାକୁ ଆସିଥିଲା।
ଦୁର୍ନୀତିର ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିଧାୟକ ଯୋଗେଶ ସିଂ ସମେତ କଂଗ୍ରେସ ଦଳ ଓ ଅନ୍ୟ ରାଜନୈତିକ ଦଳ ଓ ସଂଗଠନ ସ୍ବର ଉଠାଇଥିଲେ। ଏପରିକି ପ୍ରଶାସନ ତଦନ୍ତକୁ ଏଡ଼ାଇ ଯିବାରୁ ଜଣେ ଯୁବ ସାମାଜିକକର୍ମୀ ସୁଶୀଳ ଗୁପ୍ତା ଅନଶନରେ ବସିଥିଲେ। ଏପରିକି ବିଧାୟିକା କୁସୁମ ଟେଟେ ଆଇଟିଡିଏ ଦୁର୍ନୀତିକୁ ଗତ ଜୁଲାଇ ୩୦ରେ ଲୋକାୟୁକ୍ତଙ୍କ ନିକଟରେ ପହଞ୍ଚାଇଥିଲେ। ଏହା ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ଅଭିଯୋଗକୁ ବର୍ଷେ ବିତିଗଲାଣି।
ତଦନ୍ତକାରୀ ଅଧିକାରୀ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳଙ୍କ ବଦଳି ପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଛି। କିନ୍ତୁ ତା’ ପରଠୁଁ ତଦନ୍ତ ଆଗକୁ ବଢ଼ିବାର ନାଁ ନେଉ ନାହିଁ, ଅଧାବାଟରେ ଅଟକି ଯାଇଛି। କେବେ ତଦନ୍ତ ହେବ, ସତ ସାମ୍ନାକୁ ଆସିବ ଓ କାର୍ଯ୍ୟାନୁଷ୍ଠାନ ହେବ ସେ ନେଇ ଲୋକେ ସନ୍ଦେହ ପ୍ରକାଶ କଲେଣି। ଦୁର୍ନୀତିକୁ କୌଣସି ମତେ ଚାପିଦେବାକୁ ଉଦ୍ୟମ ହେଉନି ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି। ସୂଚନାଯୋଗ୍ୟ, ଆଇଟିଡିଏର ବିଭାଗୀୟ (ଡିପାର୍ଟମେଣ୍ଟ)କାମରେ ହିଁ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ କେବଳ ଗତ ୨୦୧୭-୧୮ ଓ ୨୦୧୮-୧୯ ଆର୍ଥିକ ବର୍ଷରେ ୧୭୬ କୋଟି ୬୦ ଲକ୍ଷର ଟେଣ୍ଡର କାମ ହୋଇଥିବା ବେଳେ ସେହି ସମୟରେ ବିଭାଗୀୟ ସମ୍ପାଦନରେ ୧୦୯ କୋଟି ୭୭ ଲକ୍ଷର କାମ ହୋଇଥିଲା।
ବିଶେଷ କରି ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କୋଟି କୋଟିର ବିଭାଗୀୟ କାମର କାର୍ଯ୍ୟାଦେଶ ଦେଇ ବିପୁଳ ଅର୍ଥ ହଡ଼ପ କରାଯାଇଥିଲା। ଏ ଦୁଇ ଆର୍ଥିକ ବର୍ଷରେ ଚୁକ୍ତିଭିତ୍ତିକ କନିଷ୍ଠ ଯନ୍ତ୍ରୀ ଶୁଭଶ୍ରୀ ମାହାଲିଙ୍କ ତଦାରଖରେ ୪୫.୮୮ କୋଟିର ଟେଣ୍ଡର କାମ ହୋଇଥିଲା। ଆଶ୍ଚର୍ଯ୍ୟର କଥା ଟେଣ୍ଡର କାମ ବାଦ୍ ୧୯.୮୨ କୋଟିର ବିଭାଗୀୟ କାମ ତାଙ୍କୁ ସମ୍ପାଦନ କରିବାକୁ ଦିଆଯାଇଥିଲା। ୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ରେ ରାଜଗାଙ୍ଗପୁର ବ୍ଲକରେ ୪ଟି ବିଦ୍ୟାଳୟ ଲାଇଙ୍ଗ ଏକଲବ୍ୟ, ମାଲିଡିହି ବାଳିକା ଉଚ୍ଚ ବିଦ୍ୟାଳୟ, ଜାମପାଲି ବାଳିକା ଉଚ୍ଚ ବିଦ୍ୟାଳୟ ସହ କାଂସବାହାଲ ମହାବିଦ୍ୟାଳୟରେ ୪.୧୪ କୋଟିର କାମ ସମ୍ପାଦିତ କରିଥିଲେ ସେ। ଲାଇଙ୍ଗ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଏହି ୩ ବର୍ଷରେ ୯୪.୪୧ ଲକ୍ଷର ବିଭାଗୀୟ କାମ ସମ୍ପାଦିତ ହୋଇଥିଲା।
ସେହିପରି ମାଲିଡିହିରେ ୩ ବର୍ଷରେ ୧.୦୬ କୋଟି ଓ ଜାମପାଲିରେ ୧.୨୧ କୋଟିର କେବଳ ବିଭାଗୀୟ କାମ କରିଥିଲେ ସେ। ସେହିପରି କାଂସବାହାଲ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆବାସ ପାଇଁ ୨୦୧୮-୧୯ରେ ୧୪.୯୧ ଲକ୍ଷ, ୨୦୧୯-୨୦ରେ ୯୨.୯୨ ଲକ୍ଷ ଟଙ୍କାର କାମ ବିଭାଗୀୟ କାମ କରିଥିଲେ। ସବୁଠାରୁ ବଡ଼ କଥା ହେଲା ଏ ୩ ବିଦ୍ୟାଳୟ ଓ ଛାତ୍ରାବାସରେ କୋଟି କୋଟି ଟଙ୍କାର ଟେଣ୍ଡର କାମ କରିବା ପରେ ପୁଣି ୪.୧୪ କୋଟିର ବିଭାଗୀୟ କାମ କରାଯାଇଥିଲା। ଟେଣ୍ଡର ଏଡ଼ାଇବାକୁ ସବୁ ପ୍ରକଳ୍ପର ଅଟକଳ ମୂଲ୍ୟ ରଖାଯାଇଥିଲା ୫ ଲକ୍ଷରୁ କାମ୍। ଏହା ବ୍ୟତୀତ ଏହି କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଅନ୍ୟ ବ୍ଲକ୍ର ବିଭିନ୍ନ ବିଦ୍ୟାଳୟ, ରାସ୍ତା, ଛାତ୍ରାବାସ ନିର୍ମାଣ ଓ ମରାମତି ପାଇଁ କୋଟି କୋଟିର ଟଙ୍କାର ଟେଣ୍ଡର ସହ ବିଭାଗୀୟ କାମ କରାଯାଇଥିବା ଜଣାପଡ଼ିଥିଲା।
କେବଳ ଏ ଜଣେ ନୁହନ୍ତି ଅନ୍ୟ ଯନ୍ତ୍ରୀମାନଙ୍କ ନାମରେ ମଧ୍ୟ ଏପରି କୋଟି କୋଟି ଟଙ୍କାର ବିଭାଗୀୟ କାମ କରାଯାଇଥିଲା। ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ତଦାରଖରେ ୨୦୧୭-୧୮ ଓ ୨୦୧୮-୧୯ ଏ ଦୁଇ ଆର୍ଥିକ ବର୍ଷରେ ୬୩.୭୫ କୋଟିର ଟେଣ୍ଡର କାମ ଓ ୫୭.୮୮ କୋଟିର ବିଭାଗୀୟ କାମ ସମ୍ପାଦନ ହୋଇଥିଲା। ସେହିପରି ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ସାହୁଙ୍କ ତଦାରଖରେ ୬୬.୮୫ କୋଟି ଟେଣ୍ଡର ଓ ୨୭.୪୫ କୋଟିର ବିଭାଗୀୟ କାମ କରାଯାଇଥିବା ବେଳେ କନିଷ୍ଠ ଯନ୍ତ୍ରୀ ଆଶିଷ ପାତ୍ର ଏ ଦୁଇ ଆର୍ଥିକ ବର୍ଷରେ ୧୦.୫୧ କୋଟିର ଟେଣ୍ଡର ଓ ୪.୬୧ କୋଟିର ବିଭାଗୀୟ କାମ ସମ୍ପାଦନ କରିଥିଲେ।
The post ଚପିଯିବ କି ଆଇଟିଡିଏ ଦୁର୍ନୀତି ! ଅଧାବାଟରେ ଅଟକି ଯାଇଛି ତଦନ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3v2SUx5
0 Comments