ଆନନ୍ଦପୁର/ କାଳିଆପାଣି : ଚୋରି କରୁକରୁ ଘର ଭିତରେ ଚୋର ଶୋଇପଡ଼ି ଲୋକଙ୍କ ହାତରେ ଧରାପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହି ଚୋରି ଘଟଣାରେ ଦୁଇଜଣଙ୍କୁ ପୁଲିସ୍ ଗିରଫ କରିଛି। ଦୁଇଦିନ ଧରି ରାତି ଅନିଦ୍ରା ହୋଇ ଲୁଟ୍‌ପାଟ୍‌ କାର୍ଯ୍ୟରେ ଥକି ପଡ଼ିଥିବା ଲୁଟେରାକୁ ଉକ୍ତ ଘର ଭିତରୁ କାବୁ କଲା ପରେ ପୁଲିସ ଏହାର ମାଷ୍ଟର ମାଇଣ୍ଡ୍‌ ପାଖରେ ପହଞ୍ଚିଛି। ମାଷ୍ଟରମାଇଣ୍ଡ୍‌ ଜଣକ ସେହି ଗାଁର ପୂର୍ବତନ ସମିତିସଭ୍ୟା ଲୀଳାବତୀ ପୃଷ୍ଟି ଓ ବ୍ରଜ କିଶୋର ପୃଷ୍ଟିଙ୍କ ପୁଅ ପ୍ରଶାନ୍ତ(୩୦) ଓ ସହଯୋଗୀ ଜଣକ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଢିଙ୍କିଆ ଗ୍ରାମର ଗୁଣନିଧି ଦାସଙ୍କ ପୁଅ ସତ୍ୟାନନ୍ଦ ଓରଫ୍‌ ଚଗୁଲୁ(୨୦) ବୋଲି ସୂଚନା ମିଳିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଟମକା ଥାନା ଅନ୍ତର୍ଗତ ଉଚ୍ଚବାଲି ନୂଆସାହିରେ ଇଂ ସୁରେଶ କୁମାର ସାହୁଙ୍କ ପରିବାର ରହନ୍ତି। ଶ୍ରୀ ସାହୁ ଭୁବନେଶ୍ବରସ୍ଥିତ ଖଣି ଓ ଇସ୍ପାତ ନିର୍ଦେଶାଳୟରେ ଜଣେ ପଦସ୍ଥ ଖଣି ଅଧିକାରୀ ଭାବେ ‌କାର୍ଯ୍ୟରତ। ଉଚ୍ଚବାଲିସ୍ଥିତ ଘରେ ସପରିବାର ଅନୁପସ୍ଥିତ ରହିବା ସୁଯୋଗରେ ଲୁଟେରା ଦ୍ବୟ ତାଙ୍କ ଘରକୁ ଟାର୍ଗେଟ୍ କରିଥିଲେ। କଳାକନା ବୁଲେଇ ଦେଇଥିଲେ। ୧୫ ତାରିଖ ରାତିରୁ ସମ୍ମୁଖ ଭାଗ ତାଲା ଭାଙ୍ଗି ଦୁଇଦିନ ଧରି ସମସ୍ତ ଦାମୀ ଆସବାବପତ୍ର, ସୌଖୀନ ସାମଗ୍ରୀ, ଲୁଗାପଟା ଓ ବାସନକୁସନ ଲୁଟି ଚାଲିଥିଲେ। ଗତକାଲି ସକାଳ ଜଣେ ପଡ଼ୋଶୀ ଫୁଲ ତୋଳୁଥିବା ବେଳେ ତାଙ୍କ ଘର ତାଲା ଭଙ୍ଗା ଯାଇଥିବା ଓ ପଛପଟ ଦ୍ବାର ମେଲା ଥିବା ନେଇ ଶ୍ରୀ ସାହୁଙ୍କୁ ଜଣାଇଥିଲେ। ଏ ସଂପର୍କରେ ଶ୍ରୀ ସାହୁ ଥାନାକୁ ଯୋଗାଯୋଗ କରିଥିଲେ। ପୁଲିସ ଓ ଗୃହକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘର ଭିତରୁ ଚଗୁଲୁକୁ ଶୋଇଥିବା ଅବସ୍ଥାରେ ଠାବ କରିଥିଲେ।

ଚଗୁଲୁକୁ ଜେରା କରିବାରେ ସେ ଘର ଭିତରେ ରହି ବିଭିନ୍ନ ବ୍ୟାଗ୍‌ ଓ ବସ୍ତାରେ ଜିନିଷ ପ୍ୟାକିଂ କରୁଥିଲା ଓ ପ୍ରଶାନ୍ତ ଏସବୁକୁ ବୋହି ଚାଲୁଥିଲା ବୋଲି ସର୍ବ ସମ୍ମୁଖରେ ସ୍ବୀକାର କରିଛି। ଏଥିସହ ଲୁଟ୍ ଯୋଜନାରେ ସେହି ଘର ଭିତରେ ୧୦ ରୁ ଅଧିକ ବ୍ୟାଗ୍‌ରେ ବହୁ ସାମଗ୍ରୀ ରଖା ଯାଇଥିବା ଦେଖିବାକୁ ମିଳିଛି। ଚଗୁଲୁ ସୂଚନା ଆଧାରରେ ପ୍ରଶାନ୍ତ ଘର ବାଡ଼ି ପଛପଟ ବିଭିନ୍ନ ବୁଦା ମୂଳରୁ ବହୁ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ତା’ ଘର ଉପ‌ରେ ଚଢ଼ଉ କରାଯାଇ ପ୍ରଶାନ୍ତକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଦ୍ବୟଙ୍କୁ କେସ୍ ନଂ ୬୫/୨୧ ଓ ଦଫା ୩୮୦/୩୪ ଆଇପିସି ଆଧାରରେ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାରାଧୀନ ବନ୍ଦୀ ଭାବେ ଜେଲ୍‌ ପଠାଇ ଦିଆଯାଇଛି।

The post ଚୋରି କରିବାକୁ ଯାଇ ଶୋଇ ପଡ଼ିଲା ଚୋର; ଦୁଇ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2SNCBam