
ବଣାଇଗଡ଼: ବଣାଇ ପୂର୍ତବିଭାଗ ଅଧୀନରେ ଥିବା ଖୁଣ୍ଟଗାଁରୁ ଭାୟା ଫୁଲଝର ଦେଇ କେଉଁଝରକୁ ସଂଯୋଗ କରୁଥିବା ରାସ୍ତାର ଗଦାପାଲିଠାରେ ଏକ ନିର୍ମାଣାଧୀନ ସେତୁ ଦୀର୍ଘ ୨ ବର୍ଷ ତଳେ କାମ ଆରମ୍ଭ ହୋଇ ମଧ୍ୟ ଶେଷ ହେବାର ନାମ ନେଉ ନାହିଁ। ସୁନ୍ଦରଗଡ଼ ଜିଲା ଖଣିଜ ସଂସ୍ଥାନ ପାଣ୍ଠି ପକ୍ଷରୁ ୫ କୋଟି ୩ ଲକ୍ଷ ୫୮ ହଜାର ୨୭୫ ଟଙ୍କା ବ୍ୟୟ ଅଟକଳରେ ଗଦାପାଲି ନାଳ ଉପରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଟେଣ୍ତର କରାଯାଇ ଗତ ୨୦୧୯ ନଭେମ୍ବର ପହିଲାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାକୁ ମେସର୍ସ ଚକାଡୋଳା କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ଠିକା ସଂସ୍ଥା କାର୍ଯ୍ୟାଦେଶ ପାଇବା ପରେ କାମ ଆରମ୍ଭ କରି ୨୦୨୦ ସେପ୍ଟେମ୍ବର ୩୦ ସୁଦ୍ଧା ସରିବା ପାଇଁ ଚୁକ୍ତିନାମା ହୋଇଥିଲା।
ତେବେ ସେତୁ ନିର୍ମାଣ ଅବଧି ଗତ ସେପ୍ଟେମ୍ବର ମାସରେ ସରିଯାଇଥିବାବେଳେ ଏହାମଧ୍ୟରେ ୯ ମାସ ବିତିଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ନିର୍ମାଣଧୀନ ସେତୁର ଏବେ ଗଦାପାଲି ଗ୍ରାମ ପାର୍ଶ୍ବର ଖମ୍ବ ନିର୍ମାଣ ସରିଥିଲେ ମଧ୍ୟ ଏହାର ଛାତ କଂକ୍ରିଟ ହୋଇପାରି ନାହିଁ। ସେହିପରି ଅପରପାର୍ଶ୍ବରେ ଖମ୍ବ ସହିତ କଂକ୍ରିଟ ଛାତ ନିର୍ମାଣ ଅଧପନ୍ତରିଆ ପଡି ରହିଛି। ଏହି ନିର୍ମାଣାଧୀନ ସେତୁର କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ହେଉଥିବାବେଳେ ଏହା କେବେ ଶେଷ ହେବ କିଛି ଜଣାପଡୁ ନାହିଁ।
ପ୍ରକାଶ ଯୋଗ୍ୟ ଗତ ୨୦୨୦ ବର୍ଷା ଋତୁରେ ବିକଳ୍ପ ରାସ୍ତାଭାବେ ବ୍ୟବହାର କରାଯାଉଥିବା ଅସ୍ଥାୟୀ ରାସ୍ତାଟି ପ୍ରବଳ ବର୍ଷାରେ ଭାସିଯାଇ ଫୁଲଝର ସହିତ ଖୁଂଟଗାଁର ଯୋଗାଯୋଗ ଦୀର୍ଘ ଦିନ ଧରି ବିଚ୍ଛିନ୍ନ ହୋଇଥିଲା। ନାଳରେ ଜଳସ୍ରୋତ ହ୍ରାସ ପାଇବାପରେ ପୁନର୍ବାର ଅସ୍ଥାୟୀ ନିର୍ମାଣ କରି ଯୋଗାଯୋଗ ବ୍ୟବସ୍ଥା କରାଯାଇଥିଲା। ଯଦି ଚଳିତ ବର୍ଷରେ ସେତୁର ନିର୍ମାଣ କାର୍ଯ୍ୟ ଶେଷ ନ ହେଲେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫୁଲଝର ବାହ୍ୟଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା କରାଯାଉଛି। ଏଣୁ ତୁରନ୍ତ ପୂର୍ତ ବିଭାଗର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ଏହି ନିର୍ମାଣଧୀନ ଗଦାପାଲି ସେତୁର କାର୍ଯ୍ୟ ସମ୍ପୂର୍ଣ୍ଣ କରି ସ୍ଥାୟୀ ଗମନାଗମନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି।
The post ଅବଧିର ୯ ମାସ ବିତିଲାଣି, ନିର୍ମାଣ ସରୁନି ଗଦାପାଲି ସେତୁ first appeared on Sambad.from ଜିଲ୍ଲା | Sambad https://ift.tt/2UIW393
0 Comments