ବେଗୁନିଆ: ଉତ୍କଳୀୟ ସଂସ୍କୃତି ଏବଂ ଗ୍ରାମ୍ୟ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ପୁରାତନ ବାଦ୍ୟଯନ୍ତ୍ର ଧିରେ ଧିରେ ଆଧୁନିକତାର ଛାପରେ ହଜିଯିବାକୁ ବସିଲାଣି। ଡିଜେ ଜମାନାରେ ଏହା ଏବେ ଲୁପ୍ତପ୍ରାୟ। ବେଗୁନିଆ ବ୍ଲକ ମଲ୍ଲିପଦର ଗାଁର ବାପି ମହାପାତ୍ର ପୁରାତନ ବାଦ୍ୟଯନ୍ତ୍ରକୁ ସଂଗ୍ରହ କରି ଏବେ ସାଇତି ରଖିଛନ୍ତି। ସରକାର ଯଦି ସହାୟତା ଦିଅନ୍ତେ ସଂଗ୍ରାହଳଟିଏ କରି ଆଗାମୀ ପିଢିଙ୍କି ଶିକ୍ଷାଦାନ ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତେ ବୋଲି ସେ କହିଛନ୍ତି।

କେତେବେଳେ ମୃଦଙ୍ଗର ଧ୍ବନି ତ ଆଉ କେତେବେଳେ ଖଂଜଣିର ସ୍ବର। ମଝିରେ ମଝିରେ କେନ୍ଦେରା ଶବ୍ଦ, ଦାସକାଠିଆ ବି କଥା କୁହେ। ନାଗରା ଓ ବୀଣା ସ୍ବର ମନ ମୋହି ନିଏ। ସକାଳ ପାଇଲେ ବାପିଙ୍କ ବସାଘରୁ ଛୁଟିଆସେ ଅତି ପରିଚିତ ପୁରଣା ବାଦ୍ୟଯନ୍ତ୍ରର ଧ୍ବନି। ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାର ସ୍ବର ଦେଉଥିବା ବାଦ୍ୟକଳାରେ ମସଗୁଲ ବାପି ମହାପାତ୍ର। ବାପି କେବଳ ପୁରାତନ ବାଦ୍ୟଯନ୍ତ୍ର ବଜାଇବାରେ ସିଦ୍ଧହସ୍ତ ନୁହନ୍ତି ତାକୁ ସଂଗ୍ରହ କରି ସାଇତି ରଖିବା ପାଲଟିଛି ତାଙ୍କର ବଡ଼ ନିଶା। ଦୀର୍ଘ ୧୦ବର୍ଷ ହେବ ଏମିତି ବାଦ୍ୟଯନ୍ତ୍ର ସଂଗ୍ରହ କରି ବଜାଇବାରେ ଆନନ୍ଦ ପାଇଥାନ୍ତି ବାପି।

ବାପିଙ୍କ ଜେଜେ ବାୟକ ଭୀଷ୍ମ କୁଳମଣି ମହାପାତ୍ର ଥିଲେ ପ୍ରସିଦ୍ଧ ମୃଦଙ୍ଗ ବାଦକ। ପିଲାଦିନୁ ଜେଜେଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ପୁରାତନ ବାଦ୍ୟଯନ୍ତ୍ର ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ପିଲାଦିନର ସେହି ଖୁସି ଓ ଆନନ୍ଦ ପାଲଟିଗଲା ଜୀବନର ନିଶା। ବାପି ଏବେ ଏକତାରା, ଧୁଡିକି, କେନ୍ଦେରା, ନାଗରା, ବଂଶୀ, ଦାସକାଠିଆ, ଖଂଜଣି, ମୃଦଙ୍ଗ ଭଳି ହଜିଯାଉଥିବା ୧୦ରୁ ଉର୍ଦ୍ଧ ବାଦ୍ୟଯନ୍ତ୍ର ସାଇତି ରଖିଛନ୍ତି। ଏହି ପୁରୁଣା ବାଦ୍ୟଯନ୍ତ୍ରର ଏକ ସଂଗ୍ରହାଳୟ କରି ଆଗାମୀ ପିଢି ପାଇଁ ସଂରକ୍ଷିତ କରି ରଖିବାକୁ ବାପିଙ୍କର ଇଛା। ଉତ୍କଳୀୟ ସଂସ୍କୃତିର ବାର୍ତ୍ତା ବହନ କରୁଥିବା ପୁରଣା ବାଦ୍ୟଯନ୍ତ୍ରକୁ ସାଇତି ରଖିବା ପାଇଁ ସରକାର ଧ୍ୟାନ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

The post ବାପି ମହାପାତ୍ର: ବାଦ୍ୟଯନ୍ତ୍ର ସଂଗ୍ରହ କରିବା ଯାହାର ନିଶା first appeared on Sambad.

from ଜିଲ୍ଲା | Sambad https://ift.tt/3gfy7Rz