ବାରିପଦା/ଶୁଳିଆପଦା: ରାଜ୍ୟ ସରକାରଙ୍କ ପୁଣି ଏକ ହୀନ ଚକ୍ରାନ୍ତ ଏବଂ ଚଞ୍ଚକତା। ହିତାଧିକାରୀଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ। ମାତ୍ର ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଦଳରେ ଇନ୍ଦିରା ଆବାସ ସହିତ ବିଜୁ ପକ୍କା ଘରର ଲୋଗୋ ଲଗାଯାଇଛି। ଯାହାକୁ ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାର ହୀନ ରାଜନୀତି କରୁଥିବା ଅଭିଯୋଗ କରିଛି।
ପୂର୍ବରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଚୋରୀ କରୁଥିବା ରାଜ୍ୟ ସରକାର ଏବେ ଦିନ ଦ୍ବିପ୍ରହରରେ ପ୍ରଶାସନ ସହିତ ମିଶି ସିନାଚୋରି କରୁଥିବା ଅଭିଯୋଗ କରିଛନ୍ତି ପୁର୍ବତନ ବିଜେପି ଜିଲ୍ଳା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର। ହିତାଧିକାରୀଙ୍କୁ ଭକୁଆ ବନାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଓ୍ବାର୍କ ଅର୍ଡର ଦେଇ ଫଳକରେ ଲେଖୁଛନ୍ତି ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଯୋଜନା।ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ରାଜ୍ୟ ସରକାର ଓଡିଶାବାସୀଙ୍କୁ ପୁଣି ଏକ ନୂଆ ରୁପରେ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୋରଡା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ମହାପାତ୍ର।ଏଥି ସହିତ ଏହି ଚଞ୍ଚକତା ପାଇଁ ଶୁଳିଆପଦା ବିଡ଼ିଓ ଏବଂ ଚୁହାଟ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ବିରୋଧରେ ଶୁଳିଆପଦା ଥାନାରେ ଏତଲା ଦେଇଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ବଳରାମ ସାହୁ। ସୁଚନା ମୁତାବକ ଶୁଳିଆପଦା ବ୍ଲକ୍ ଚୁହାଟ ପଞ୍ଚାୟତ ଅଧିନ ଚୁହାଟ ଗ୍ରାମର କଳାବତୀ ରାୟ (୨୦୧୮-୧୯) ଓ ହାଣ୍ଡିଭଙ୍ଗା ଗ୍ରାମର ଦୁଲାରୀ ମୁର୍ମୁଙ୍କୁ (୨୦୧୯-୨୦) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ମିଳିଥିଲା।
Sambad
କାର୍ଯ୍ୟାଦେଶ ମିଳିବା ପରେ ହିତାଧିକାରୀ ନିଜର ଗୃହ ନିର୍ମାଣ ଶେଷ କରିଥିଲେ। ଏହାପରେ ତାଙ୍କ ଘରେ ପ୍ରଧାନମନ୍ତ୍ରୀ ଆବାସ ସୁଚନା ଫଳକ ପାଖରେ ପଞ୍ଚାୟତ ପ୍ରଶାସନ ତରଫରୁ ଇନ୍ଦିରା ଆବାସ ଓ ବିଜୁ ପକ୍କା ଘରର ଲଗୋ ଲଗାଯାଇଥିଲା। ଗ୍ରାମର ସଚେତନ ନାଗରିକ ମାନେ ଏହାକୁ ଦେଖି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବିଜେପି ଯୁବ ମୋର୍ଚ୍ଚା ସଭାପତି ବଳରାମ ସାହୁ ଏବାବଦରେ ଖବର ପାଇ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ସହିତ ହିତାଧିକାରୀଙ୍କ ଘରେ ପହଞ୍ଚି ଅଭିଯୋଗର ସତ୍ୟତା ଥିବା ଜାଣି ପାରିଥିଲେ।
ଏହାପରେ ଯୁବ ମୋର୍ଚ୍ଚା ସଭାପତିଙ୍କ ଦ୍ଵାରା ଶୁଳିଆପଦା ଥାନାରେ ଏକ ଏତଲା ଦିଆଯାଇଛି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରାଯାଉଥିବାର ଅଭିଯୋଗ କରାଯାଇଛି। ଶୁଳିଆପଦା ବିଡ଼ିଓ ଓ ଚୁହା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ନାମରେ ଏତାଲା ଦିଆଯାଇଥିବା ଦେଖିବାକୁ ମିଳିଛି। କେବଳ ଚୁହାଟ ନୁହେଁ ବ୍ଲକର ପ୍ରତ୍ୟେକ ଗାଁରେ ଏହିଭଳି ଲଗୋ ଲାଗିଥିବାରୁ ଶ୍ରୀ ମହାପାତ୍ର ତାହାକୁ ତୀବ୍ର ସମାଲୋଚନା କରିଛନ୍ତି।ଆଜିବି ଇନ୍ଦିରା ଆବାସ ଯୋଜନା କଉଠୁ ଆସିଲା ବୋଲି ଚର୍ଚ୍ଚା ହେଉଛି। ତେବେ ଏବାବଦରେ ଶୁଳିଆପଦା ବିଡ଼ିଓ ପରୀକ୍ଷିତ ଜେନାଙ୍କୁ ପଚାରିବାରୁ ଏନେଇ ତଦନ୍ତ ହେବ। ପରେ ଘଟଣାର ସତ୍ଯତା ଥିଲେ ଉକ୍ତ ଲଗୋକୁ ପରିବର୍ତ୍ତନ କରି ଉଚିତ ଲୋଗୋ ଲଗାଯିବା ସହିତ ପଞ୍ଚାୟତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଡିଓ ଶ୍ରୀ ଜେନା।
The post ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଦଳରେ ଫଳକରେ ଲାଗିଛି ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଲୋଗୋ first appeared on Sambad.

from ଜିଲ୍ଲା | Sambad https://ift.tt/3iVdbm9