
ପୁରୀ: ସମୁଦ୍ରକୂଳ ଆସୁଥିବା ପର୍ଯ୍ୟଟକଙ୍କୁ ‘ରାଜୁ’ ନିଜ ପିଠିରେ ସବାର କରି ଢେର୍ ବୁଲାଏ। ତା’ ପିଠି ଉପରେ ଝୁଲିଝୁଲି ବୁଲିବା ବେଳେ କୁନି ପର୍ଯ୍ୟଟକ ବିଭୋର ହୁଅନ୍ତି। ସେଲ୍ଫି ନିଅନ୍ତି। ଆଲବମ୍ରେ ଏହି ମଜାଦାର ମୁହୂର୍ତ୍ତକୁ ସାଇତିବା ପାଇଁ ଫଟୋ ଉଠାନ୍ତି। ପ୍ରତିବଦଳରେ ପର୍ଯ୍ୟଟକମାନେ ରାଜୁର ମାଲିକକୁ କିଛି ପାଉଣା ଦିଅନ୍ତି। ‘କାଳୁ’ ବି ମାଲିକ କଥା ଗୋଟିଗୋଟି ମାନେ। ପିଠି ଉପରେ ପର୍ଯ୍ୟଟକଙ୍କୁ ବସାଇ ବହେ ବୁଲାଇ ଆଣିଲେ, ତାକୁ ତା’ ମାଲିକ ଶ୍ରଦ୍ଧା କରେ। ଦିନକୁ ୨ ବକତ ଖାଇବାକୁ ଦିଏ। ଏବେ କିନ୍ତୁ ତାଙ୍କୁ ଆଗଭଳି ଦୁଇ ବକତ ଖାଇବା ମିଳୁନି।
ଏହି ରାଜୁ ଓ କାଳୁ ମଣିଷ ନୁହନ୍ତି, ବରଂ କିଛି ପରିବାରର ମଙ୍ଗ ଧରିଥିବା ଦୁଇ ଓଟ। ତାଙ୍କ ମାଲିକ (ପ୍ରଶାନ୍ତ ମଲ୍ଲିକ) ହିଁ ଶ୍ରଦ୍ଧାରେ ନାଁ ଦେଇଥିଲେ ରାଜୁ ଓ କାଳୁ। କିନ୍ତୁ ଯେବେଠୁ କରୋନା ପର୍ଯ୍ୟଟକଙ୍କ ଆଗମନରେ ତାଲା ଠୁଙ୍କି ଦେଇଛି, ସେବେଠୁ ସେମାନେ ଆଉ ଖାଇବାକୁ ପାଉନାହାନ୍ତି।
ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ମନୋରଂଜନ କରୁଥିବା ଏଭଳି ଶହେରୁ ଊର୍ଦ୍ଧ୍ବ ଓଟ ଓ ଘୋଡ଼ାଙ୍କ ଅବସ୍ଥା ଏବେ ଠିକ୍ ରାଜୁ ଓ କାଳୁଙ୍କ ଭଳି। କରୋନା ପ୍ରଥମ ଲହରୀରେ ଖାଦ୍ୟ ଅଭାବରୁ କିଛି ଘୋଡ଼ା ଓ ଓଟ ପ୍ରାଣ ହରାଇବାରୁ ଏକ ସ୍ବେଚ୍ଛାସେବୀ ସଂସ୍ଥା ଆସି କିଛି ଖାଦ୍ୟ ଦେଇଥିଲା। କିନ୍ତୁ ଅବସ୍ଥା ସୁଧୁରୁଥିବା ବେଳେ ଦ୍ବିତୀୟ ଲହରୀ ଅବସ୍ଥା ପୁଣି ସଂକଟାପନ୍ନ କରିଦେଲା। ସମୁଦ୍ରକୂଳସ୍ଥିତ ମା ଦକ୍ଷିଣକାଳୀ ଘୋଟକ ପରିଚାଳନା ସଂଘର ସଦସ୍ୟ ପ୍ରଶାନ୍ତ ମଲ୍ଲିକ କୁହନ୍ତି, ଏଇ ଘୋଡ଼ା ଓ ଓଟଙ୍କ ଯୋଗୁ ଆମ ଭଳି ୨ଶହରୁ ଅଧିକ ପରିବାରର ଚୁଲି ଜଳେ। ଓଟ, ଘୋଡ଼ାଙ୍କ ପେଟକୁ ଦାନା ଯାଏ। କିନ୍ତୁ ଲକ୍ଡାଉନ ପରଠୁ ଫାଇନାନ୍ସରୁ ଋଣ ଆଣି ଘର ଚଳାଉଛୁ। ସେଇଥିରେ ଖାଇପିଇ ବଞ୍ଚିବା ସହ ନିଜେ ପାଳିଥିବା ୩ ଓଟ ଓ ଗୋଟେ ଘୋଡ଼ାକୁ ଗୋଟିଏ ବେଳା ଖାଇବାକୁ ହେଉଛି। ଓଟଟିଏ ଦିନକୁ ୨୦ କେଜି ଦାନା ଖାଉଥିଲେ ହେଁ ଏବେ ତାକୁ ୫-୬ କେଜି ଦେଇପାରୁଛି। କ’ଣ ବି କରିପାରିବି, ନିଜେ ତ ବଞ୍ଚିବା ମୁସ୍କିଲ୍ ହୋଇଗଲାଣି।
ସମୁଦ୍ରକୂଳରେ ଘୋଡ଼ା କି ଓଟ ପିଠିରେ ବସୁଥିବା ପର୍ଯ୍ୟଟକମାନେ ୪୦ ଟଙ୍କା କିମ୍ବା ୫୦ ଟଙ୍କା ପାଉଣା ଦିଅନ୍ତି। ଦିନତମାମ କେବେ ୫ଶହ ତ କେବେ ସିଜିନ୍ ସମୟରେ ଦେଢ଼ ହଜାର ଟଙ୍କା ଆୟ ହୁଏ। ତେବେ ଦୁଇଜଣ ମଣିଷ ସେମାନଙ୍କ ପାଇଁ ନିୟୋଜିତ ହେଉଥିବାରୁ ସେମାନେ ମଜୁରି ନିଅନ୍ତି। ଓଟର ଖାଦ୍ୟ ବାବଦରେ ଦିନକୁ ଦୁଇଶହରୁ ଅଢ଼େଇଶହ ଟଙ୍କା ଖର୍ଚ୍ଚ ହୋଇଯାଏ। ତେଣୁ ଯାହା ଆୟ ହୁଏ ବେଶି କିଛି ସଞ୍ଚୟ ରୁହେନାହିଁ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ପୂର୍ବଥର ଯେବେ କରୋନା ଆସିଲା, ଅନେକ ଘୋଡ଼ା ଓ ଓଟକୁ ଖାଦ୍ୟ ଦେଇପାରିଲେ ନାହିଁ। ଖାଦ୍ୟ ଅଭାବରୁ ୩୦ରୁ ଅଧିକ ଓଟ ଓ ଘୋଡ଼ାଙ୍କର ମୃତ୍ୟୁ ହେବାରୁ ଅନେକ ଏହି ବେପାରରୁ ମୁହଁ ଫେରାଇ ନେଲେ। ଅନ୍ତତଃ ପ୍ରଶାସନ କିମ୍ବା କେହି ବଦାନ୍ୟ ବ୍ୟକ୍ତି ଯଦି ଏହି ପୋଷା ଜନ୍ତୁମାନଙ୍କ ପେଟକୁ ଦାନା ଦେବାରେ ସହଯୋଗ କରନ୍ତେ, ପୁଣି ପର୍ଯ୍ୟଟକଙ୍କୁ ସବାର କରିବାକୁ ରାହା ପାଇଯାଆନ୍ତେ ବୋଲି ମା ଦକ୍ଷିଣକାଳୀ ଘୋଟକ ପରିଚାଳନା ସଂଘର ସମ୍ପାଦକ ଲକ୍ଷ୍ମଣ ମଲ୍ଲିକ କହିଛନ୍ତି।
The post ଓଟ, ଘୋଡ଼ା ପୋଷୁଥିଲେ, ଏବେ… first appeared on Sambad.from ଜିଲ୍ଲା | Sambad https://ift.tt/3wuDbbT
0 Comments