
୨୦୨୦-୨୧ ଆର୍ଥିକ ବର୍ଷରେ ୯୦% ଅଭିବୃଦ୍ଧି
ଋଣ ପରିମାଣରେ ୧୬,୧୩୧ କୋଟି ଟଙ୍କା ହ୍ରାସ
ରାଉରକେଲା: ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ସେଲ୍) ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କମ୍ପାନି ଆଲୋଚ୍ୟ ଆର୍ଥିକ ବର୍ଷରେ ୩,୮୫୦ ଟଙ୍କା ଶୁଦ୍ଧ ଲାଭ ହାସଲ କରିଛି। ଏହାସହ କମ୍ପାନିର ଋଣ ପରିମାଣରେ ୧୬,୧୩୧ କୋଟି ଟଙ୍କା ହ୍ରାସ ହୋଇଛି। କୋଭିଡ ୧୯ ମହାମାରୀ ଜନିତ ବୃହତ ଆହ୍ଵାନ ସତ୍ତ୍ୱେ ସେଲ୍ ସମସ୍ତ ପରିମାପକତାରେ ଉତ୍କୃଷ୍ଟ ପ୍ରଦର୍ଶନ ହାସଲ କରିଛି।
ଗତକାଲି କମ୍ପାନିର ବାର୍ଷିକ ତଥା ଚତୁର୍ଥ ତ୍ରୟୋମାସର ଫଳାଫଳ ଘୋଷଣା କରାଯାଇଥିଲା। ଗତ ଆର୍ଥିକ ବର୍ଷରେ ୧୩,୭୪୦ କୋଟି ଟଙ୍କା ଇବିଆଇଟିଡିଏ ଓ ୩,୮୫୦ କୋଟି ଟଙ୍କା କର ପରବର୍ତ୍ତୀ ଲାଭ ହାସଲ ହୋଇଛି। ଏଥିମଧ୍ୟରୁ କେବଳ ଚତୁର୍ଥ ତ୍ରୟୋମାସରେ ୬,୪୭୩ କୋଟି ଟଙ୍କା ଇବିଆଇଟିଡିଏ ଓ ୩,୪୪୪ କୋଟି ଟଙ୍କା କର ପରବର୍ତ୍ତୀ ଲାଭ ହାସଲ ହୋଇଥିଲା। ଏତଦ୍ବ୍ୟତୀତ ଗତ ବର୍ଷ ସମୁଦାୟ ଋଣ ପରିମାଣ ୧୬,୧୩୧ କୋଟି ଟଙ୍କା ହ୍ରାସ ପାଇ ୩୫,୩୫୦ କୋଟି ଟଙ୍କାରେ ପହଞ୍ଚିଥିଲା। ଚତୁର୍ଥ ତ୍ରୟୋମାସରେ ୪.୯୮ ନିୟୁତ ଟନ ଉତ୍ତପ୍ତ ଧାତୁ, ୪.୫୬ ନିୟୁତ ଟନ ଅଶୋଧିତ ଇସ୍ପାତ ଓ ୪.୪୨ ନିୟୁତ ଟନ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କରି ଯଥାକ୍ରମେ ୮%, ୬% ଓ ୧୧% ଅଭିବୃଦ୍ଧି ସହ କମ୍ପାନି ସର୍ବକାଳୀନ ଶ୍ରେଷ୍ଠ ତ୍ରୟୋମାସିକ ପ୍ରଦର୍ଶନ ରେକର୍ଡ ହାସଲ କରିଛି।
ପୂର୍ବ ବର୍ଷ ତୁଳନାରେ ୫% ଅଭିବୃଦ୍ଧି ସହିତ ସର୍ବକାଳୀନ ଶ୍ରେଷ୍ଠ ୧୪.୯୪ ନିୟୁତ ଟନ ବାର୍ଷିକ ବିକ୍ରି ହାସଲ କରିଥିବାବେଳେ କେବଳ ଚତୁର୍ଥ ତ୍ରୟୋମାସରେ ଅନୁରୂପ ପୂର୍ବ ଆର୍ଥିକ ବର୍ଷ ଅବଧି ତୁଳନାରେ ୧୬% ଅଭିବୃଦ୍ଧି ସହିତ ୪.୩୫ ନିୟୁତ ଟନ ବିକ୍ରୟ ହାସଲ କରିଛି; ଯାହାକି ସର୍ବକାଳୀନ ଶ୍ରେଷ୍ଠ ତ୍ରୟୋମାସିକ ବିକ୍ରି। କମ୍ପାନିର ପ୍ରଦର୍ଶନ ଉପରେ ଖୁସିବ୍ୟକ୍ତ କରି ସେଲ୍ ଅଧ୍ୟକ୍ଷ ସୋମା ମଣ୍ଡଳ କହିଛନ୍ତି, ଗତ ଆର୍ଥିକ ବର୍ଷରେ କମ୍ପାନୀ ଉଭୟ ଉତ୍ପାଦନ ଓ ଆର୍ଥିକ ପ୍ରଦର୍ଶନ କ୍ଷେତ୍ରରେ ସମତାଳରେ ଉନ୍ନତି ଆଣିଛି। ପ୍ରଥମାର୍ଦ୍ଧରେ କୋଭିଡ୍-୧୯ ମହାମାରୀ ଜନିତ ସୃଷ୍ଟି ହୋଇଥିବା ଗୁରୁତର ତଥା ଅପ୍ରତ୍ୟାଶିତ ଆହ୍ଵାନକୁ ଭ୍ରୂକ୍ଷେପ ନକରି ‘ଟିମ୍-ସେଲ୍’ ଦୃଢ ପ୍ରତିବଦ୍ଧତା ସହକାରେ କାର୍ଯ୍ୟ କରିଥିଲା।
ଦ୍ୱିତୀୟାର୍ଦ୍ଧରେ ଅର୍ଥନୈତିକ କାର୍ଯ୍ୟଧାରା ପୁନଶ୍ଚ ଗତି ଫେରିପାଇବା ସହିତ ଇସ୍ପାତ ଚାହିଦାରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଭିତ୍ତିଭୂମି ବ୍ୟୟ ଉପରେ ସରକାର ମଧ୍ୟ ଗୁରୁତ୍ୱ ଦେଉଥିବାରୁ ଆମେ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ସହିତ ବଜାର କୈନ୍ଦ୍ରିକ ଉତ୍ପାଦ ସାମଗ୍ରୀ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲୁ, ଯାହା କମ୍ପାନୀକୁ ଉଲ୍ଲେଖନୀୟ ପ୍ରଦର୍ଶନ ହାସଲରେ ସହାୟକ ହୋଇଛି। ବଜାର ଆବଶ୍ୟକତା ସହ ତାଳଦେଇ ମୂଲ୍ୟଯୁକ୍ତ ଉତ୍ପାଦ ସାମଗ୍ରୀ ଅଂଶରେ ବୃଦ୍ଧି ଆଣିବା, ସମଗ୍ର ପ୍ରତିଷ୍ଠାନ ମଧ୍ୟରେ ବ୍ୟବସ୍ଥିତ କ୍ରମ ଉନ୍ନତି ହାସଲ ପୂର୍ବକ ଉତ୍ପାଦନ ପରିମାଣରେ ବ୍ୟାପକ ବୃଦ୍ଧି ଆଣିବାକୁ ଲକ୍ଷ୍ୟ ରହିଛିବୋଲି କହିଛନ୍ତି।
The post ସେଲ୍ର ୩,୮୫୦ କୋଟି ଶୁଦ୍ଧ ଲାଭ first appeared on Sambad.from ଜିଲ୍ଲା | Sambad https://ift.tt/3iB8bD4
0 Comments