ପଡ଼ିଆ : ହାତରେ କଲମ ଧରି ଭବିଷ୍ୟତ ଗଢ଼ିବା ବଦଳରେ ପରିବାର ଲୋକଙ୍କ ପେଟକୁ ଦାନା ଯୋଗାଇବା ପାଇଁ ହଳ ଧରିବାକୁ ବାଧ୍ୟ ହୋଇଛନ୍ତି ଜଣେ ଆଦିବାସୀ ଝିଅ। ସେ ହେଉଛନ୍ତି, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ତେଗଡ଼ାପଲ୍ଲୀ ଗ୍ରାମର ସୋମେ ମାଡ଼ି (୨୦)।

ଗତ ୯ ବର୍ଷ ପୂର୍ବେ ସୋମେଙ୍କ ବାପା ସାବେରୀ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ। ଏହାର କିଛିବର୍ଷ ପରେ ଗତ ୨୦୧୮ ମସିହାରେ ମା’ ଇର୍ମେଙ୍କ ଶରୀର ଦୁର୍ବଳ ହୋଇପଡ଼ିବାରୁ ସୋମେ ନିଜର ପାଠପଢ଼ା ଓ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ। ଏପରି ସ୍ଥିତିରେ ମଧ୍ୟ ସୋମେ ଅସୁସ୍ଥ ମା’ ଓ ଦୁଇ କୁନି କୁନି ଭାଇ ଭଉଣୀଙ୍କ ଦେଖାଶୁଣା କରିବା ସହ ପାଠ ପଢ଼ି ଯୁକ୍ତ ଦୁଇ ପାସ୍ କଲେ। ଏ ପଟେ ପରିବାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ିବାରୁ ମା’ ଓ ଛୋଟ ଭାଇ ଭଉଣୀଙ୍କ ପେଟକୁ ଦାନା ଯୋଗାଇବା ସହ ଛୋଟ ଭାଇ ରମେଶକୁ ପାଠ ପଢ଼ାଇବା ପାଇଁ ନିଜେ କଲମ ଛାଡ଼ି ହଳ ଧରିବାକୁ ସ୍ଥିର କଲେ ସୋମେ।

ଚାଷ କରିବା ଶିଖିନଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ପଚାରି ଚାଷ କରୁଛନ୍ତି। ଝିଅ ପିଲା ହେଲେ ମଧ୍ୟ ସୋମେ ଚଳିତ ବର୍ଷ ପ୍ରଥମ ବର୍ଷା ପରେ ନିଜ ଜମିରେ ହଳ କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ନିଜର ଭବିଷ୍ୟତ ଗଢ଼ିବା ସମୟରେ ପରିବାରର ପ୍ରତିପୋଷଣ କରି ଆସୁଥିବା ଦୁର୍ଗମ ଅଞ୍ଚଳର ଏହି ଝିଅ ବାସ୍ତବରେ ସମାଜ ପାଇଁ ପ୍ରେରଣାଦାୟୀ।

The post କଲମ ଛାଡ଼ି ହଳ ଧରିଲେ ଆଦିବାସୀ ଝିଅ first appeared on Sambad.

from ଜିଲ୍ଲା | Sambad https://ift.tt/3gJdqxQ