ଯାଜପୁର : କରୋନା ପ୍ରଭାବରେ ଅର୍ଥନୀତି ଭୁଶୁଡ଼ି ପଡିଥିବା ବେଳେ ଖଣି ଓ ଶିଳ୍ପ ମଧ୍ୟରେ ସମନ୍ବୟ ଅଭାବରୁ ଫେରୋକ୍ରମ ଶିଳ୍ପାନୁ‌ଷ୍ଠାନଗୁଡ଼ିକ ବନ୍ଦ ହେବା ସ୍ଥିତିକୁ ଚାଲିଆସିଲେଣି। ଏପରିକି ଆଜି ମଧ୍ୟ ଓଏମ୍ସି‌ର ଇ-ଅକ୍ସନ ଫେଲ୍ ମାରିଛି। ୩୧ହଜାର ୫ଶହ ମେଟ୍ରିକ୍ ଟନ୍ ବଦଳରେ ମାତ୍ର ୪ହଜାର ୮ଶହ ମେଟ୍ରିକ୍ ଟନ୍ କ୍ରୋମାଇଟ୍ ଅକ୍ସନ୍ ହୋଇଛି। କ୍ରୋମାଇଟ୍‌ର ମାତ୍ରାଧିକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଖଣି ଓ ଶିଳ୍ପାନୁଷ୍ଠାନର ସ୍ଥିତି ସଙ୍ଗିନ ହେବାରେ ଲାଗିଛି।

ପ୍ରକାଶଥାଉକି, ଦେଶର ୯୫ଭାଗ କ୍ରୋମାଇଟ୍ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ୍ କାଳିଆପାଣି କ୍ରୋମ ଉପତ୍ୟକାରେ ରହିଛି। ଏହା ଉପରେ ଓଡ଼ିଶାର ୧୪ଟି ଫେରୋକ୍ରମ କାରଖାନା ନିର୍ଭର କରୁଛି। ଅଥଚ ଏହାର ଉତ୍ପାଦନରେ ଶୋଚନୀୟ ଅବସ୍ଥା କାରଖାନାଗୁଡ଼ିକ ପାଇଁ ଚିନ୍ତାର କାରଣ ହୋଇଛି। ‌ସେହିପରି ମାତ୍ରାଧିକ ମୂଲ୍ୟବୃଦ୍ଧି ପରସ୍ଥିତିିକୁ ସଙ୍ଗିନ କରିଛି। କାଳିଆପାଣିରେ ଥିବା ୧୨ଟି କ୍ରୋମାଇଟ୍ ଖଣିରୁ ବାର୍ଷିକ ୬.୭ମିଲିୟନ ଟନ୍ କ୍ରୋମାଇଟ୍ ଉତ୍ପାଦନ ପାଇଁ ପରିବେଶ ଅନୁମତି ରହିଛି। ‌‌ ମାତ୍ର ୧.୩୨ମିଲିୟନ୍ ଟନ୍ କ୍ରୋମାଇଟ୍ ଉତ୍ପାଦନ ହେଉଛି। ଅଥଚ ଶିଳ୍ପାନୁଷ୍ଠାନ ଗୁଡ଼ିକ ପାଇଁ ୩.୨ମିଲିୟନ୍ ଟନ୍ କ୍ରୋମାଇଟ ଆବଶ୍ୟକ ହେଉଛି। ବିଶେଷକରି ଖଣି ନଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଏହି ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ୧.୮୭ ମିଲିୟନ୍ ଟନ୍ ଯୋଗାଣ ବଦଳରେ ମାତ୍ର ୦.୮୭ମିଲିୟନ୍ ଟନ୍ ଓଏମସି ଯୋଗାଇ ପାରୁଛି।

ଅନ୍ୟପକ୍ଷରେ, ଗତ ୫ମାସ ହେଲା ଖଣିଗୁଡ଼ିକ ନୂଆ ଟେଣ୍ଡର ହେବା ପରେ ପରେ ପରିସ୍ଥିତି ସଙ୍ଗିନ ହେବାରେ ଲାଗିଛି। କ୍ରୋମାଇଟ୍ ମୂଲ୍ୟ ମାତ୍ରାଧିକ ବୃଦ୍ଧି ହେତୁ ‌ଇ-ଅକ୍ସନରେ ଶିଳ୍ପାନୁଷ୍ଠାନ ଗୁଡ଼ିକ ଭାଗ ନେଇପାରୁନାହାନ୍ତି। ଫଳରେ ଆଜି ୩୧ହଜାର ୫ଶହ ମିଲିୟନ ଟନ୍ ରୁ ମାତ୍ର ୪ହଜାର ୮ଶହ ମିଲିୟନ୍ ଟନ୍ ଇ ଅକ୍ସନ ହୋଇପାରିଛି।

The post ଫେରୋକ୍ରମ ଉତ୍ପାଦନ ହ୍ରାସ: ଇସ୍ପାତ ଶିଳ୍ପ ପାଇଁ ଚିନ୍ତାଜନକ ସ୍ଥିତି first appeared on Sambad.

from ଜିଲ୍ଲା | Sambad https://ift.tt/2S9i6EM