
ଗୋଳନ୍ଥରା/ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଗୋଳନ୍ଥରା ଥାନା ଅଧୀନ ପିତାତଳି ଗ୍ରାମରେ ରାଜନୈତିକ ଛକାପଞ୍ଝାରୁ ଦୁଇ ଗୋଷ୍ଠୀ ଭିତରେ ହିଂସା ଏବଂ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ପୁଲିସ ଆଜି ବିଜେଡି ନେତା ତଥା ପିତାତଳି ଗ୍ରାମର ରାଙ୍ଗା ରାଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ରାଙ୍ଗା ଘରେ ଥିବା ସୂଚନା ପାଇ ଥାନାଧିକାରୀ ବିବେକାନନ୍ଦ ମହନ୍ତ ସଦଳବଳେ ଚଢ଼ଉ କରିଥିଲେ। ଥାନା କେସ୍ ନମ୍ବର ୧୫୫ ଅନୁସାରେ ରାଙ୍ଗାଙ୍କୁ ଗିରଫ କରାଯାଇଛି।
ପିତାତଳି ଗ୍ରାମର ବାସିନ୍ଦା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରସିଙ୍ଗଲୁ ମୂର୍ତ୍ତି ଓ ୧୭ନମ୍ବର ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀ ରାଙ୍ଗା ରାଓଙ୍କ ମଧ୍ୟରେ ପୁରୁଣା ରାଜନୈତିକ ଗୋଷ୍ଠୀ ବିବାଦ ଲାଗିରହିଛି। ଗତ ୧୦ ତାରିଖରେ ହଠାତ୍ ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ। ପରସ୍ପରକୁ ଆକ୍ରମଣ କରିବା ସହ ବୋମାମାଡ଼ କରିଥିଲେ। ଏଥିରେ ୫ ଜଣ ଆହତ ହୋଇଥିଲେ। ଅନ୍ୟପଟେ ଯୁଧିଷ୍ଠିର ସେଠୀଙ୍କ ପତ୍ନୀ ଗୀତାଞ୍ଚଳି ସେଠୀଙ୍କ ଏତଲା ଅନୁଯାୟୀ ୧୦ ତାରିଖ ରାତିରେ ରାଙ୍ଗା ରାଓ ଓ ଅନ୍ୟ ତିନି ଜଣ ମିଶି କାତି ଓ ଖଣ୍ଡା ଧରି ତାଙ୍କ ଘର ଆଗରେ ଥିବା ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହାସହ ଯୁଧିଷ୍ଠିରଙ୍କୁ ହତ୍ୟା ଧମକ ଦେବା ସହ ଜାତିଆଣ ଆକ୍ଷେପ କରିଥିଲେ। ଗୀତାଞ୍ଜଳିଙ୍କ ଏତଲା କ୍ରମେ ଥାନାରେ କେସ୍ ନମ୍ବର ୧୫୮ ଅନୁସାରେ ମାମଲା ରୁଜୁ ହୋଇଛି। ସେହିପରି ନରସିଙ୍ଗଲୁ ଓ ୧୧ଜଣ ମିଶି ଗତ ଗୁରୁବାର ରାତିରେ ଧମକଚମକ ଓ ଜାତିଆଣ ଆକ୍ଷେପ କରିଥିବା ସମ୍ପର୍କରେ ମଧ୍ୟ ଶ୍ରୀମତୀ ସେଠୀ ଗୋଳନ୍ଥରା ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୧୫୯/୨୧ରେ ଏକ ମାମଲା ରୁଜୁ ହୋଇଛି।
The post ପିତାତଳି ବୋମାମାଡ଼ ଘଟଣା: ବିଜେଡି ନେତା ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3gxA63U
0 Comments