ବାରିପଦା: ୨୦୧୭ ଏପ୍ରିଲ ମାସରୁ ଦୀର୍ଘ୪ ୪ ବର୍ଷ ହେବ ନିଖୋଜ ଥିବା ବାରିପଦାର ଯୁବକ ବିଶ୍ଵଜିତ ବେହେରା ଓରଫ ଡେଭିଡ ହତ୍ୟା ମାମଲାରେ ବାରିପଦା ଟାଉନ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡର ଯୁବକ ବଂଶୀଧର ପାତ୍ର ଏବଂ ମୃତକ ଯୁବକଙ୍କ ପଡ଼ୋଶୀ ନରେନ୍ଦ୍ର ପାତ୍ର। ସେହିପରି ଗତକାଲି ଟାଉନ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ ଝାଡ଼ଖଣ୍ଡ ଯାଇ ହତ୍ୟାକାଣ୍ଡ ସ୍ଥଳରେ ଛାନଭିନ କରିଥିଲା। ଏହି ଅବସରରେ ସେଠାରେ ମୃତ ଡେଭିଡଙ୍କୁ ପ୍ରଥମେ ଆକ୍ରମଣ କରାଯାଇଥିବା ଟାଙ୍ଗିଆ ଦରପୋଡା ଅବସ୍ଥାରେ ମିଳିଥିଲା। ଏଥିସହିତ ମୃତକଙ୍କ ପିନ୍ଧା ଡ୍ରେସ ମଧ୍ୟ ଜବତ କରିଛି ପୁଲିସ। ବିଶ୍ଵଜିତଙ୍କ ହତ୍ୟା ଘଟଣାରେ ଝାଡ଼ଖଣ୍ଡର ମହାତ୍ମା ଗାନ୍ଧୀ ମେଡିକାଲ କଲେଜ ଥାନାରେ ଏକ ଅଜଣା ଶବ ଉଦ୍ଧାର ହୋଇଥିବା ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ବାରିପଦା ପୁଲିସ ବିଶ୍ଵଜିତଙ୍କ ହତ୍ୟା ମାମଲା ତଦନ୍ତରେ ସାମିଲ କରିଥିବା ସୂଚନା ଦେଇଛନ୍ତି ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ବଂଶୀ ନିଜ ଦୋଷ ସ୍ୱୀକାର କରିଛି। ଦୀର୍ଘ ଚାରି ବର୍ଷର ହତ୍ୟା ମାମଲାକୁ ସମାଧାନ କରିବାରେ ପଞ୍ଚମ ତଦନ୍ତକାରୀ ଅଧିକାରୀ ହେଉଛନ୍ତି ଶ୍ରୀ ସେନାପତି।

ତେବେ ଏହା ଏକ ଦଳଗତ ସଫଳତା। ଜଣେ ଅସହାୟ ପିତାଙ୍କୁ ନ୍ୟାୟ ଦେବାକୁ ବାରିପଦା ଟାଉନ ଥାନା ପୁଲିସର ଏହା ଏକ ପ୍ରୟାସ ବୋଲି କହିଛନ୍ତି ଆଇଆଇସି ଶ୍ରୀ ସେନାପତି। ସେହିପରି ମୃତ ଯୁବକଙ୍କ ପିତା ପର୍ଶୁରାମ ବେହେରା ଦୋଷୀ ମାନେ ଯେପରି ଦୃଢ଼ ଦଣ୍ଡ ପାଇବାକୁ ନିବେଦନ କରିଛନ୍ତି। ସେହିପରି ଏହି ମାମଲାରେ ଜଡିତ ନରେନ୍ଦ୍ର ପାତ୍ରଙ୍କ ପତ୍ନୀଙ୍କୁ ମଧ୍ୟ ତଦନ୍ତରେ ସାମିଲ କରିବାକୁ ଦାବି କରିଛନ୍ତି ଶ୍ରୀ ବେହେରା। ଉଲ୍ଲେଖଯୋଗ୍ୟ ଯେ ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୮, ଭଂଜପୁର ଯମୁନା ଦେଇପୁରର ପର୍ଶୁରାମ ବେହେରାଙ୍କ ବଡ଼ ପୁଅ ବିଶ୍ଵଜିତ ୧୫ ଏପ୍ରିଲ, ୨୦୧୭ରୁ ନିଖୋଜ ଥିଲେ। ସେବେଠୁ ତାଙ୍କର କୌଣସି ପତ୍ତା ମିଳୁନଥିଲା। ଗତ ଶୁକ୍ରବାର ରାତିରେ ବାରିପଦା ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ବିଶ୍ଵଜିତ ଙ୍କ ହତ୍ୟାକାରୀକୁ ଝାଡ଼ଖଣ୍ଡ ଢୋଲଭୁମଗଡ଼ ଚିରୁଗୁଡାରୁ ଗିରଫ କରିଛି। ଯାହାଫଳରେ ଦୀର୍ଘ ଚାରି ବର୍ଷ ହେବ ବିଶ୍ଵଜିତଙ୍କୁ ନେଇ ଲାଗିରହିଥିବା ସସପେନ୍ସର ଅନ୍ତ ଘଟିଛି। ପଡୋଶୀ ମହିଳାଙ୍କ ସହିତ ଅନୈତିକ ସମ୍ପର୍କକୁ ନେଇ ମହିଳାଙ୍କ ସ୍ୱାମୀ ତଥା ଶିକ୍ଷକତା କରୁଥିବା ନରେନ୍ଦ୍ର ପାତ୍ର ଏବଂ ସମ୍ପର୍କୀୟ ଭାଇ ବଂଶୀଧର ପାତ୍ର ହତ୍ୟା କରିଥିବା ପୁଲିସ ପକ୍ଷରୁ ପ୍ରକାଶ।

The post ଝାଡ଼ଖଣ୍ଡରେ ବାରିପଦାର ଯୁବକ ହତ୍ୟା ମାମଲା: ଅଭିଯୁକ୍ତ ବଂଶୀ ଓ ନରେନ୍ଦ୍ର ଗିରଫ, କୋର୍ଟ ଚାଲାଣ first appeared on Sambad.

from ଜିଲ୍ଲା | Sambad https://ift.tt/3gjLjFd