ବଲାଙ୍ଗୀର : ପ୍ରସ୍ତାବିତ ଲୋୟର ସୁକତେଲ ପ୍ରକଳ୍ପ ଡ୍ୟାମ୍‌ ନିକଟ ଯେଉଁସବୁ ଗାଁର ଲୋକମାନେ ଦ୍ୱିତୀୟ କିସ୍ତି ଟଙ୍କା ନେଇ ସାରିଲେଣି ସେମାନଙ୍କୁ ବିସ୍ଥାପନ କରି ସ୍ଥାନାନ୍ତରଣ ପାଇଁ ପ୍ରଶାସନ ଯୋଜନା ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମଙ୍ଗଳବାର ସକାଳୁ ଏ ନେଇ ପ୍ରକ୍ରିୟା ଆରମ୍ଭ କରିବ ପ୍ରଶାସନ। ଏଥିପାଇଁ ପ୍ରଶାସନ ଗାଁ ଗାଁରେ ଡାକବାଜି ଯନ୍ତ୍ରରେ ପ୍ରଚାର ସହ ନୋଟିସ ମଧ୍ୟ ଲଗାଇଛି। ଜନଶୁଣାଣି କରି ପ୍ରତ୍ୟେକ ପରିବାର ଓ ବ୍ୟକ୍ତିବିଶେଷଙ୍କ ଗୁହାରି ଶୁଣିବାକୁ ନିୟମ ଥିଲେ ବି ପ୍ରଶାସନ କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁ ବୋଲି କହିଛନ୍ତି ବିସ୍ଥାପିତ ହେବାକୁ ଥିବା ଗାଁ ଲୋକ। କରୋନା ସମୟରେ ପ୍ରଶାସନ ନାଲିଆଖି ଦେଖାଇ ଧମକ ଦେଉଥିବା ଏମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡ୍ୟାମ୍‌ ସାଇଟ ପରଧିଆପାଲି ଓ ଅନ୍ୟ ଗାଁର ଲୋକ ପ୍ରଶାସନ ସହ ମୁହାଁମୁହିଁ ହୋଇଛନ୍ତି। ଅନ୍ୟ ପଟେ ପ୍ରକଳ୍ପର କାମ ଜାରି ରହିଥିବା ବେଳେ ଆଗକୁ ଏହାକୁ ତ୍ୱରାନ୍ୱିତ କରାଯିବ ବୋଲି ଲୋୟର ସୁକତେଲ କାର୍ଯ୍ୟାଳୟ ପକ୍ଷରୁ କହାଯାଇଛି।

ପରଧିଆପାଲି ଗ୍ରାମବାସୀ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ପ୍ରେସ୍‌ ଇସ୍ତାହାରରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଟାର୍ଗେଟ କରିଛନ୍ତି। ଜିଲ୍ଲାପାଳ କାହା କଥା ନଶୁଣି ଲୋକଙ୍କୁ କଦର୍ଯ୍ୟ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ହେଲା, ଲୋୟର ସୁକତେଲ ପ୍ରକଳ୍ପର ସପକ୍ଷବାଦୀ ଭାବରେ ସେମାନେ ମୂଳରୁ ରହିଆସିଥିଲେ। ବର୍ତ୍ତମାନ କିନ୍ତୁ ଜିଲ୍ଲାପାଳ ତାଙ୍କ ଉପରେ ଦମନଲୀଳା ଚଳାଇଛନ୍ତି। ମହିଳା ଓ ନିରୀହ ଗ୍ରାମବାସୀଙ୍କୁ ନାଲିଆଖି ଦେଖାଉଛନ୍ତି। ପ୍ରଥମ କରି ଜଣେ ଜିଲ୍ଲାପାଳଙ୍କଠାରୁ ଅତି କଦର୍ଯ୍ୟ ଭାଷା ପାଉଛୁ ବୋଲି ପରଧିଆପାଲି ଗାଁ ଲୋକେ କହିଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଜୀବନ ଜୀବିକା ସ୍ଥାଣୁ। ଏଭଳି ସମୟରେ ସମଗ୍ର ଗାଁକୁ ଜେସିବି ଲଗାଇ ସ୍ଥାନାନ୍ତରଣ କରିବା ଚିନ୍ତା କେତେଦୂର ଯୁକ୍ତିଯୁକ୍ତ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

Sudhir Mishra Bolangir

ଗାଁକୁ ସଂପୂର୍ଣ୍ଣ ସ୍ଥାନାନ୍ତରଣ କରିବା ପୂର୍ବରୁ ପ୍ରଶାସନ ଆପତ୍ତି ଅଭିଯୋଗ ଶୁଣାଣି କରି ବିହିତ ପଦକ୍ଷେପ ନେବାକୁ ଏମାନେ ଦାବି କହିଛନ୍ତି। ଅନ୍ୟପଟେ ଲୋୟର ସୁକତେଲ କାର୍ଯ୍ୟାଳୟର ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ‘ଡ୍ୟାମ୍‌ ସାଇଟ୍‌ ଭିଲେଜ’ ପରଧିଆପାଲି, କଏଣ୍ଡାପାଲି ଓ ଖୁଣ୍ଟପାଲିରେ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲିଛି। ଗତ ଖରା ମାସରେ ଗାଁଗୁଡ଼ିକୁ ଜୋନ୍‌ ଅଫିସର ଯାଇ କ୍ୟାମ୍ପ କରିଥିଲେ। ସମସ୍ତଙ୍କୁ କ୍ଷତିପୂରଣ ଟଙ୍କା ବଣ୍ଟନ କରାଯାଇଥିଲା। ଅଧିକାଂଶ ଲୋକ ଦ୍ୱିତୀୟ କିସ୍ତି ଟଙ୍କା ନେଲେଣି। ପରଧିଆପାଲିର ୨୦୦ରୁ ଅଧିକ ପରିବାରକୁ ଟଙ୍କା ଦିଆସରିଛି। ସେହିପରି କଏଣ୍ଡାପାଲି ଗାଁର ୧୦୦ରୁ ଅଧିକ ପରିବାର ଅନେକ ଦିନ ହେଲା ଦ୍ୱିତୀୟ କିସ୍ତି ନେଇସାରିଲେଣି। ଯାହା କିଛି ସମସ୍ୟା ଥିଲା ତାକୁ ସମାଧାନ କରି ସେମାନେ ପାଇବାକୁ ଥିବା ପ୍ରାପ୍ୟ ଦିଆସରିଛି। ଖୁଣ୍ଟପାଲିରେ ମଧ୍ୟ ୧୦୦ ପରିବାରକୁ ସ୍ଥାନାନ୍ତରଣ କରାଯିବ। ସବୁ ଗାଁରେ ଜୋନ୍‌ ଅଫିସର କ୍ୟାମ୍ପ କରିଥିଲେ। ଏବେ ସ୍ଥାନାନ୍ତରଣ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କୁ ଜ୍ଞାନ ଗଡ଼ତ୍ୟାଙ୍କ ଚିଠି
ଲୋୟର ସୁକତେଲ ପ୍ରକଳ୍ପ ସପକ୍ଷରେ ଆରମ୍ଭରୁ ନାହାନ୍ତି ଜ୍ଞାନ ଗଡ଼ତ୍ୟାଙ୍କ ପରିବାର। ସଂଗ୍ରାମ ପରିଷଦ ସହ ଜଡ଼ିତ ରହି ବଡ଼ ଡ୍ୟାମ୍‌ ବଦଳରେ ଛୋଟ ଛୋଟ ବ୍ୟାରେଜ କରି ଜଳସେଚନ ସୁବିଧା କରିବାକୁ ଦାବି କରି ଆସୁଛନ୍ତି। ଏଣୁ ତାଙ୍କ ଜମି ଓ ଘର ଛାଡ଼ିବାକୁ ସେ ମୂଳରୁ ନାରାଜ। ଜମି ଅଧିଗ୍ରହଣ ବାବଦରେ ତାଙ୍କ ପରିବାରର କୌଣସି ସଦସ୍ୟ ଏଯାଏ ଟଙ୍କାଟିଏ ବି ଗ୍ରହଣ କରି ନାହାନ୍ତି। ଏପଟେ ପ୍ରଶାସନ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କଲା ପରେ ସେ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି। ପ୍ରଶାସନ ପ୍ରଥମେ ସ୍ପେସାଲ୍‌ କୋର୍ଟ ମାଧ୍ୟମରେ ତାଙ୍କର ସମସ୍ତ ଅଭିଯୋଗ ଶୁଣୁ ଏବଂ ପରବର୍ତ୍ତୀ ପଦକ୍ଷେପ ନେବାକୁ ସେ କହିଛନ୍ତି। ତାଙ୍କ ସବୁ ଦାବିକୁ ନେଇ ଆଲୋଚନା ହେଉ, ସମସ୍ତ ଅଭିଯୋଗର ନ୍ୟାୟ ବିଚାର କରି ପ୍ରଶାସନ ଆଗାମୀ ପଦକ୍ଷେପ ନେଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

The post ଲୋୟର ସୁକତେଲ ପ୍ରକଳ୍ପ: କରୋନା ସମୟରେ ଗାଁ ଛାଡ଼ିବାକୁ ବିସ୍ଥାପିତଙ୍କ ବିରୋଧ first appeared on Sambad.

from ଜିଲ୍ଲା | Sambad https://ift.tt/3joPH9e