ବ୍ରହ୍ମଗିରି : ଚିଲିକାରେ ଥିବା ବିରଳ ଇରାୱାଡି ଡଲଫିନ୍‌ ଏବେ ସୁରକ୍ଷିତ ନୁହନ୍ତି। ଏମାନଙ୍କ ଜୀବନ ପ୍ରତି ସଂକଟ ମାଡ଼ି ଆସୁଥିବା ନେଇ ଆାଙ୍କା ସୃଷ୍ଟି ହୋଇଛି। ମାତ୍ର ୨୦ ଘଣ୍ଟା ଭିତରେ ବନ ବିଭାଗ ଚିଲିକାରୁ ଦୁଇଟି ଡଲଫିନ୍‌ ମୃତଦେହ ଉଦ୍ଧାର କରି ସାରିଲାଣି। ତାହା ପୁଣି ଡଲଫିନ୍ ଅଭୟାରଣ୍ୟ ଭାବରେ ପରିଚିତ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ।

ଗତକାଲି ଏକ ମାଈ ଡଲ୍‌ଫିନ୍ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଏକ ଅଣ୍ତିରା ଡଲଫିନ୍ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ସାତପଡ଼ା ରେଞ୍ଜ ଚିଲିକାର ମହିଷା ନାଳୀରେ ଏହି ଡଲଫିନ୍ ମୃତଦେହ ଜାଲ ବାଡ଼ରେ ଲାଗି ରହିଥିବା ଏକ ଡଙ୍ଗାରେ ଯାଉଥିବା କେତେକ ଯାତ୍ରୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେମାନେ ତୁରନ୍ତ ସାତପଡ଼ା ରେଞ୍ଜ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ଖବର ପାଇ ସାତପଡ଼ାରୁ ବନ ବିଭାଗର ଦୁଇଟି ଟିମ୍‌ ଓ ପ୍ରାଣୀ ଚିକିତ୍ସାଳୟର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚିଲିକା ପାଣିରୁ ଉଦ୍ଧାର କରାଯାଇ ରାଜହଂସ ବିଟ୍ ନିକଟ ଚକାନାଶିକୁ ଡଲଫିନ୍‌ ମୃତଦେହ ନିଆଯାଇଥିଲା।। ସେଠାରେ ମୃତଦେହ ବ୍ୟବଚ୍ଛେଦ କରିବା ପରେ ସେଠାରେ ପୋତି ଦିଆଯାଇଥିବା ବନ ବିଭାଗ କହିଛି। ଏନେଇ ସାତପଡ଼ା ରେଞ୍ଜ ଅଧିକାରୀ ମାନସ ରଞ୍ଜନ ମହାପାତ୍ର କହିଛନ୍ତି ଯେ ଆଜି ଚିଲିକାର ମହିଷା ନାଳୀରୁ ଏହି ଡଲଫିନ୍‌ ମୃତଦେହ ଉଦ୍ଧାର ହୋଇଛି। ଏହାର କି ଲମ୍ବ ୭ ଫୁଟ୍ ୬ ଇ‌ଞ୍ଚ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ସେ କହିଛନ୍ତି।

The post ୨୦ ଘଣ୍ଟାରେ ୨ ଡଲଫିନ୍‌ ମୃତଦେହ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3wjaDSw