ଓଡ଼ଗାଁ: ଜୀବନରେ ମାରିଦେବାକୁ ହୋଇଥିଲା ଷଡ଼ଯନ୍ତ୍ର। ସଂଘବଦ୍ଧ ଭାବେ ଜଣେ ଯୁବକକୁ ନେଇ ଏକ ବସ୍‌ର ଡିକି ଭିତରେ ଭର୍ତ୍ତି କରି ବାହାରୁ ଚାବି ମାରି ଦେଇଥିଲେ। କିନ୍ତୁ ଏହାକୁ ଓଡ଼ଗାଁ ଥାନା କର୍ମଚାରୀମାନେ ପଣ୍ତ କରିଦେଇଥିଲେ। ଗତକାଲି ସନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ ପୁଲିସ ପହଞ୍ଚି ଅଚେତ ଅବସ୍ଥାରେ ବସ୍‌ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି। ଆଜି ସକାଳୁ ସକାଳୁ ଘଟଣାସ୍ଥଳରୁ ବସ୍‌ଟି କୁଆଡ଼େ ଚମ୍ପଟ ମାରିଥିବା ନେଇ ଆଲୋଚନା ହେଉଛି। ଓଡ଼ଗାଁ ଇଣ୍ତିଆନ୍ ପେଟ୍ରୋଲ ପମ୍ପ୍‌ଠାରେ ଏଭଳି ଘଟଣା ଘଟିଛି।

ଘଟଣାରୁ ପ୍ରକାଶ, ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ବେଙ୍ଗେଇସାହିର ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କ ପୁଅ ମିଲନ୍ କୁମାର ଷଡ଼ଙ୍ଗୀ (୨୭) ପ୍ରତିଦିନ ଭଳି ଗତକାଲି ଇଣ୍ତିଆନ୍ ପେଟ୍ରୋଲ ପମ୍ପ୍‌ରେ କାମ କରିବାକୁ ଆସିଥିଲେ। ସନ୍ଧ୍ୟା ୫ଟାରେ ଡ୍ୟୁଟି ସାରି ନିଜ ସ୍କୁଟି ଧରି ଘରକୁ ଯିବାକୁ ବାହାରିଥିଲେ। ହଠାତ୍ ସେଠାରୁ ମିଲନ୍ କୁଆଡ଼େ ନିଖୋଜ ହୋଇଯାଇଥିଲେ। ସ୍କୁଟିରେ ଚାବି ଲାଗିଥିବା ଜାଣି ପେଟ୍ରୋଲ ପମ୍ପ୍‌ର ଅନ୍ୟ କର୍ମଚାରୀମାନେ ମିଲନ୍‌ଙ୍କୁ ଫୋନ୍ ଲଗାଇଥିଲେ ମାତ୍ର ସେ ଫୋନ୍ ନ ଉଠାଇବାରୁ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ଓଡ଼ଗାଁ ଥାନାରେ ପେଟ୍ରୋଲ ପମ୍ପ୍‌ ମାଲିକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଓଡ଼ଗାଁ ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଖାନତଲାସୀ ଆରମ୍ଭ କରିଥିଲେ। ସେଠାରେ ଲକ୍‌ଡାଉନ୍‌ ଯୋଗୁ ଅଟକି ରହିଥିବା ‘ଫ୍ରେଣ୍ଡ୍‌ସ’ ନାମକ ଯାତ୍ରୀବାହୀ ବସ୍‌ର ଭିତର ବାହାର ସବୁଆଡ଼େ ଖୋଜାଖୋଜି କରିଥିଲେ।

କିନ୍ତୁ ମିଲନଙ୍କୁ ନ ପାଇବାରୁ ଏଏସ୍‌ଆଇ ସଂଜୟ କୁମାର ପରିଡ଼ା ବସ୍‌ର ଡିକି ଖୋଲିଥିଲେ। ଡିକି ଭିତରେ ଅଚେତ ଅବସ୍ଥାରେ ମିଲନ୍‌ଙ୍କୁ ଉଦ୍ଧାର କରାଯାଇଥିଲା। ଡିକି ଭିତରେ ୩ ଘଣ୍ଟା କାଳ ମିଲନ୍ ରହିଯିବାରୁ ଅଣନିଶ୍ବାସୀ ହୋଇ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଓଡ଼ଗାଁ, ନୟାଗଡ଼ ଏବଂ ପରେ ଭୁବନେଶ୍ବର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ତାଙ୍କ ସଂପର୍କୀୟମାନେ କହିଛନ୍ତି। ତେବେ ମିଲନଙ୍କୁ କିଏ, କାହିଁକି ବସ୍‌ ଡିକି ଭିତରେ ନେଇ ବନ୍ଦ କରି ରଖିଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

The post ବନ୍ଦ ଅବସ୍ଥାରେ ଅଣନିଶ୍ବାସୀ କେଇଘଣ୍ଟା, ବସ୍‌ ଡିକିରୁ ଅପହୃତ ଯୁବକ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3fHdMpu