
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ ନିଗମ (ଟିଡିସିସି)ର ଜିଲ୍ଲା ପ୍ରବନ୍ଧକ ଜୟପ୍ରକାଶ ମହାନ୍ତି ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ସେ ବୁଧବାର ସକାଳ ୫ଟାରେ ସୁନ୍ଦରଗଡ଼ ସହରରୁ ନିଜ ଅଫିସ ବଲେରୋରେ ବିପୁଳ ପରିମାଣର ଟଙ୍କା ନେଇ ଭୁବନେଶ୍ବର ଘରକୁ ଯାଉଥିବାବେଳେ ଧରାପଡ଼ିଛନ୍ତି। ତାଙ୍କ ଠାରୁ ନଗଦ ୧୮ ଲକ୍ଷ ୮୦ ହଜାର ୫ ଶହ ଟଙ୍କା ସହ ଝାରସୁଗୁଡ଼ା–ଭୁବନେଶ୍ବର ଇଣ୍ଟରସିଟି ରେଳର ଏକ ଟିକଟ ଜବତ କରାଯାଇଛି। ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବା ଏବଂ ତଦନ୍ତରେ ଏହା ବେନିୟମ ଉପାର୍ଜନ ଜଣାପଡ଼ିବା ପରେ ତାଙ୍କୁ ଗିରଫ କରି ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଟିଡିସିସି ଜିଲ୍ଲା ପ୍ରବନ୍ଧକ ଶ୍ରୀ ମହାନ୍ତି ବୁଧବାର ସକାଳୁ ବିପୁଳ ପରିମାଣର ଟଙ୍କା ନେଇ ଝାରସୁଗୁଡ଼ାରୁ ଇଣ୍ଟରସିଟି ରେଳରେ ଭୁବନେଶ୍ବର ନିଜ ଘରକୁ ଯିବେ ବୋଲି ଭିଜିଲାନ୍ସକୁ ପୂର୍ବରୁ ସୂଚନା ମିଳିଥିଲା। ଏହାପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍ସ ପ୍ରସ୍ତୁତ ହୋଇଥିଲା। ଭୋର୍ ୪ଟାରେ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସ୍ପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ବରେ ଏକ ଟିମ୍ ସୁନ୍ଦରଗଡ଼–ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ୱେ ମସ୍ନିକାନୀ ଟୋଲ ପ୍ଲାଜାରେ ଛକିଥିଲେ। ସେହିପରି ଭିଜିଲାନ୍ସ ଏସ୍ପି ବୀରେନ୍ଦ୍ର ନାଏକଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍ ଆଉ ଏକ ଚୋରାରାସ୍ତାରେ ଜଗିଥିଲେ। ସକାଳ ୫ଟା ବେଳକୁ ଶ୍ରୀ ମହାନ୍ତି ଅଫିସ ବଲୋରୋ (ଓଡି–୧୬ଏ ୫୬୭୬) ଟୋଲପ୍ଲାଜାରେ ପହଞ୍ଚିଥିଲେ। ଟୋଲ ଟିକସ୍ପୈଠ କରି ଆଗକୁ ବଢ଼ିବା କ୍ଷଣି ଭିଜିଲାନ୍ସ ଟିମ୍ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ପରେ ଟଙ୍କା ଭର୍ତ୍ତି ବ୍ୟାଗ ଠାବ ହୋଇଥିଲା। ସେତେବେଳେ ଶ୍ରୀ ମହାନ୍ତି ୧୯ ଲକ୍ଷ ଟଙ୍କା ଥିବା ପ୍ରକାଶ କରିଥିଲେ। ଏହାପରେ ତାଙ୍କୁ ଭିଜିଲାନ୍ସ ଅଫିସକୁ ଆଣି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିବା ସହ ଟଙ୍କା ଗଣି ୧୮ ଲକ୍ଷ ୮୦ ହଜାର ୫ ଶହ ଟଙ୍କା ଥିବା ଜାଣିବାକୁ ପାଇଥିଲେ। ତେବେ ଟଙ୍କା ସମ୍ପର୍କରେ ଶ୍ରୀ ମହାନ୍ତି କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।
ଅନ୍ୟପଟେ ଭିଜିଲାନ୍ସ ତାଙ୍କ ଦରମା ଜମାଖାତା ଯାଞ୍ଚ କରି ଅପ୍ରେଲ ୧୪ ତାରିଖରେ ୧୦ ହଜାର ଓ ୧୫ରେ ୭୫ ହଜାର ଟଙ୍କା ଉଠାଇଥିବା ଓ ୨.୯୨ ଲକ୍ଷ ଟଙ୍କା ଜମା ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଅବୈଧ ଭାବେ ଏତେ ଟଙ୍କା ସଂଗ୍ରହ କରି ଘରକୁ ନେଉଥିବା ଭିଜିଲାନ୍ସ ଏକପ୍ରକାର ସ୍ପଷ୍ଟ ହୋଇଥିଲା।
ପ୍ରକାଶଯୋଗ୍ୟ, ଶ୍ରୀ ମହାନ୍ତିଙ୍କ ନାମରେ ଟିଡିସିସି ପେଟ୍ରୋଲ ପମ୍ପ କମିଶନ ଅର୍ଥ ହେରଫେର୍ ଓ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହରେ ଜିଲ୍ଲାର ସରଳ ଆଦିବାସୀ, ବନବାସୀଙ୍କୁ ଶୋଷଣ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ରହିଥିଲା। ଆଗରୁ ମଧ୍ୟ ସେ ନିୟମିତ ଭାବେ ଟଙ୍କା ନେଇ ଘରକୁ ଯାଉଥିବା ଚର୍ଚ୍ଚା ରହିଥିଲା।
The post ଟିଡିସିସି ପ୍ରବନ୍ଧକଙ୍କ କାର୍ରୁ ୧୯ ଲକ୍ଷ ଜବତ, ଭୁବନେଶ୍ବର ଆସୁଥିବା ବେଳେ ବାଟରେ ଧରିଲା ଭିଜିଲାନ୍ସ first appeared on Sambad.from ଜିଲ୍ଲା | Sambad https://ift.tt/2TrZPCX
0 Comments