ବଲାଙ୍ଗୀର : କରୋନା କଟକଣା ଯୋଗୁଁ ଅନେକ ଲୋକଙ୍କ ବ୍ୟବସାୟ ବଣିଜ ପ୍ରଭାବିତ ହୋଇଛି। ମହାମାରୀ ସମୟରେ ପରିବାର ଚଳାଇବା ପାଇଁ ସଂର୍ଘଷ କରୁଛନ୍ତି ଗରିବ ଗୁରୁବା। ଏଭଳି ପରିସ୍ଥିତିରେ ହାରିନଯାଇ ଜଣେ ବୀମା ଏଜେଣ୍ଟ ନିଜର ପରିଶ୍ରମ ବଳରେ ପାଲଟିଯାଇଛନ୍ତି ସଫଳ ଛତୁ ଚାଷୀ। ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ସେ ଚାଷୀ ଜଣକ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଆଟଗାଁର କାଳିନ୍ଦି ମାଝୀ।

ଏକ ଫାଇନାନ୍ସ କମ୍ପାନିରେ ବୀମା ଏଜେଣ୍ଟ ଭାବରେ କାମ କରୁଥିଲେ କାଳିନ୍ଦି। ଘରେ ଦୁଇ ପୁଅ, ଦୁଇ ଝିଅ ଓ ସ୍ୱାମୀ, ସ୍ତ୍ରୀଙ୍କୁ ନେଇ ଛଅଜଣିଆ ବଡ଼ ପରିବାର। କଷ୍ଟେମଷ୍ଟେ ପରିବାର ଚଳାଇନେଉଥିଲେ। କିନ୍ତୁ ଦାଉ ସାଧିଥିଲା କରୋନା ମହାମାରୀ। ବାରମ୍ବାର ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ବାଧାପ୍ରାପ୍ତ ହେଲା ବୀମା କାମ। ଫିଲ୍ଡ ୱାର୍କ ବନ୍ଦ ହୋଇଗଲା। ପରିବାର ଚଳାଇବା ଚିନ୍ତା ଘାରିଲା। ଗତ ଦୁଇମାସ ତଳେ କାଳିନ୍ଦି ନିଜ ଜମିରେ ଆରମ୍ଭ କଲେ ଛତୁ ଚାଷ। ସମ୍ବଲପୁରରୁ ପାଳଛତୁ ବିହନ ଆଣି ଜମିରେ ଚାଷ ଆରମ୍ଭ କଲେ। ଏହି କାମରେ ତାଙ୍କୁ ପୂରା ପରିବାର ସହେଯାଗ କରନ୍ତି। କିଏ ପାଳ କାଟେ ତ ପୁଣି କିଏ ପାଣି ସିଞ୍ଚନ କରିଥାନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୬ରୁ ୧୦ କେଜି ଛତୁ ଅମଳ କରୁଛନ୍ତି। ଯାହାକୁ ବଜାରରେ କିଲୋପ୍ରତିି ୩ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଦିନକୁ ତିନି ହଜାର ଟଙ୍କା ଛତୁ ବିକ୍ରି କରୁଥିବା ବେଳେ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି। ଏବେ ବେଶ୍‌ ସୁରୁଖୁରେ ପରିବାର ଚଳାଉଛନ୍ତି।

ବିନା କୌଣସି ସରକାରୀ ତାଲିମ ଓ ସହାୟତାରେ ନିଜେ ନିଜେ ଆତ୍ମନିର୍ଭର ହୋଇଛନ୍ତି। କରୋନା କାଳରେ ଜୀବିକା ହରାଇଥିବା ଲୋକେ କାଳିନ୍ଦିଙ୍କ ଠାରୁ ପ୍ରେରଣା ନେଉଛନ୍ତି। ସରକାରୀ ସାହାଯ୍ୟ ମିଳିଲେ ଅନ୍ୟମାନଙ୍କୁ ମଧ୍ୟ ଛତୁ ଚାଷ ସଂର୍ପକରେ ତାଲିମ ଦେବେ ବୋଲି କହିଛନ୍ତି।

The post ଲକ୍‌ଡାଉନ୍‌ରେ ବଦଳିଗଲା ପେସା, ବୀମା ଏଜେଣ୍ଟ ପାଲଟିଗଲେ ଛତୁ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3co29Bw