ଜୟପୁର: ଚାଷୀଙ୍କୁ କାଳ ହେଲା ପ୍ରାକ୍ ମୌସୁମୀ ବର୍ଷା । ବିଭିନ୍ନ ମଣ୍ଡିରେ ପଡ଼ି ରହିଥିବା ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଆଜି ହୋଇଥିବା ପ୍ରାକଃ ମୌସୁମୀ ବର୍ଷାରେ ଭିଜି ଯାଇଛି। ଏହି ଅପ୍ରତ୍ୟାଶିତ ବର୍ଷା ପାଇଁ ପୂର୍ବ ପ୍ରସ୍ତୁତି ନଥିବାରୁ ବହୁ ଚାଷୀ ନିଜ ଧାନକୁ ପଲିଥିନ୍ ବି ଘୋଡ଼ାଇ ପାରି ନାହାନ୍ତି। ତିନ୍ତି ଯାଇଛି ସେମାନଙ୍କ ୬ ମାସର ପରିଶ୍ରମ ଓ କଷ୍ଟୋପାର୍ଜିତ ଫସଲ। ସେମାନଙ୍କ ସବୁ ଆଶାକୁ ଧୋଇ ଦେଇଛି ବର୍ଷା।

ଆଜି ଡଙ୍ଗରପାଉଁଶି ମଣ୍ଡିରେ ପ୍ରାୟ ୨ହଜାର କୁଇଣ୍ଟାଲ, କଙ୍ଗା ମଣ୍ଡିରେ ୨ହଜାର କୁଇଣ୍ଟାଲ, ପଲକାପୁଟରେ ୩ହଜାର କୁଇଣ୍ଟାଲ ଧାନ ଓଦା ହୋଇଛି। ସେଭଳି ଅନ୍ୟାନ୍ୟ ମଣ୍ଡିରେ ବି ପ୍ରାୟ ୫ହଜାରି କୁଇଣ୍ଟାଲ ଧାନ ବସ୍ତା ଓଦା ହୋଇଥିବା ଚାଷୀଙ୍କ ନିକଟରୁ ସୂଚନା ମିଳିଛି। ଏହାରି ମଧ୍ୟରେ ଆଜି ୧୧ଟି ଲ୍ୟାମ୍ପ, ୧୭ଟି ମହିଳା ସ୍ବୟଂ ସହାୟକ ଦଳ, ୨ଟି ପାଣିପଂଚାୟତ ଜରିଆରେ ୬୪୫୮ଜଣ ଚାଷୀଙ୍କ ଠାରୁ ୫ଲକ୍ଷ ୭୭ହଜାର ୬୯୩ କୁଇଣ୍ଟାଲ ଧାନ କିଣାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଆଉ ଧାନ ବିକିବା ପାଇଁ ଚାଷୀଙ୍କ ହାତରେ ମାତ୍ର ରହିଛି ୨୦ଦିନ। ତେଣୁ ଚାଷୀ ବାଧ୍ୟ ହୋଇ ନିଜ ନିଜ ମଣ୍ଡିରେ ଧାନ ଆଣି ଜମା କରି ରଖୁଛନ୍ତି। ଟୋକେନର ଧାର୍ଯ୍ୟ ଅବଧି ସମୟ ସରି ଆସୁଥିଲେ ହେଁ ଚାଷୀଙ୍କ ଧାନ କିଣାଯାଉନି। ଧାନ ଉଠାଇବାକୁ ପର୍ଯ୍ୟାପ୍ତ ପରିମାଣର ଟ୍ରକ ମିଳୁ ନଥିବା କହି ମଣ୍ଡିରେ ଧାନ କିଣୁନାହାନ୍ତି କ୍ରୟକାରୀ ସଂସ୍ଥା। ପୂର୍ବରୁ ବିନା କାରଣରେ କଟ୍ନିଛଟ୍ନି କରୁଥିବା ମିଲର୍ସ ମାନଙ୍କୁ ଏବେ ଓଦା ଧାନରେ କଟ୍ନିଛଟ୍ନି କରିବାର ଅପୂର୍ବ ସୁଯୋଗ ମିଳି ଯାଇଛି। ଅନ୍ୟପକ୍ଷରେ ଟୋକାନ ସମସ୍ୟା ଓ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଧାନ ବିକ୍ରି କରିପାରିନଥିବା ଚାଷୀ ଏବେ ବର୍ଷାରେ ହଇରାଣ ହେଉଛନ୍ତି ।

ଏଭଳି ସ୍ଥିତିରେ ଅନେକ ଚାଷୀଙ୍କର ଅନଲାଇନ ଟୋକନ ସମୟସୀମା ଶେଷ ହୋଇଯାଇଥିବାବେଳେ ଏପଟେ ଚାଷୀଙ୍କ ପେଟରେ ଲାତ ମାରିଛି ଆଜିକାର ବର୍ଷା । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ଆଗକୁ ଆହୁରି ବର୍ଷା ଥିବା ପାଣିପାଗ ବିଭାଗ ସୂଚନା ଦେଉଥିବାରୁ ଚାଷୀଙ୍କ ମଧ୍ୟରେ ଭାଲେଣି ପଡ଼ିଗଲାଣି । ରାଜ୍ୟସରକାର ତୁରନ୍ତ ଟୋକେନର ଧାର୍ଯ୍ୟ ସମୟକୁ ବୃଦ୍ଧି କରିବା ସହ ପ୍ରତ୍ୟେକ ଦିନ ମଣ୍ଡିରେ ଅଧିକାରୁ ଅଧିକା ଧାନ କିଣାଯାଉ ବୋଲି ଚାଷୀ ମାନେ ଦାବି କରିଛନ୍ତି।

The post ଚାଷୀଙ୍କୁ କାଳ ହେଲା ପ୍ରାକ୍ ମୌସୁମୀ ବର୍ଷା: ମଣ୍ଡିରେ ଥିବା ଧାନ ବସ୍ତା ଭିଜିଗଲା first appeared on Sambad.

from ଜିଲ୍ଲା | Sambad https://ift.tt/3xbtMpC