ମାଲକାନଗିରି : ନକ୍ସଲ ପରିଚୟ ଦେଇ ଚାଲିଥିଲା ବଟି ଆଦାୟ। ଟାର୍ଗେଟ୍‌ରେ ଥିଲେ ଠିକାଦାର, ରାଜନେତା ଏବଂ ବ୍ୟବସାୟୀ। ଏମିତି ଗୋଟିଏ ଗ୍ୟାଙ୍ଗ୍‌ର ପର୍ଦାଫାସ କରିଛି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୁଲିସ।

ସୂଚନା ଅନୁଯାୟୀ, ଦନ୍ତେୱାଡ଼ା ଏସ୍‌ପି‌ ଅଭିଷେକ ପଲ୍ଲବଙ୍କ ନିକଟକୁ ଏକାଧିକ ବଟି ଆଦାୟ ଘଟଣା ନେଇ ଅଭିଯୋଗ ଆସିଥିଲା। ନକ୍ସଲ ନାମରେ ବେଧଡ଼କ ଟଙ୍କା ଆଦାୟ ଚାଲିଥିବା ବେଳେ ଏହା ପଛରେ ଗୋଟିଏ ଗ୍ୟାଙ୍ଗ ରହିଥିବା ଖୋଳତାଡ଼ କରିବାରୁ ଏସ୍‌ପି‌ ଜାଣିବାକୁ ପାଇଥିଲେ। ବାଚେଲି ଥାନା ଅନ୍ତର୍ଗତ ଦୁଗେଲି ଗାଁ ନିକଟସ୍ଥ ଜଙ୍ଗଲରେ ଏହି ଗ୍ୟାଙ୍ଗର ଗତିବିଧି ରହିଥିବା ଗୁଇନ୍ଦା ସୂତ୍ରରୁ ଜାଣିବା ପରେ ଏସ୍‌ପିଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଦୁଗେଲି ଗାଁରେ ପହଞ୍ଚିଥିଲା।

ଏହାପରେ ଗ୍ରାମବାସୀଙ୍କ ସହ ଜଙ୍ଗଲକୁ ଯାଇ ଗୋଟିଏ ଗାତରେ ପୋତା ଯାଇଥିବା ବ୍ୟାଗ୍ ବାହାର କରାଯାଇଥିଲା। ଏହା ବିସ୍ଫୋରକ ହୋଇଥିବା ମନେକରି ଯବାନମାନେ ଏହାକୁ ସତର୍କତାର ସହ ବାହାର କରିଥିଲେ। ବ୍ୟାଗ୍ ତଳକୁ ରହିଥିବା ଦୁଇଟି ବନ୍ଧୁକ ବି ଗାତରୁ ବାହାରିଥିଲା। ଏହି ବନ୍ଧୁକ ଦୁଇଟି ଦେଖିବାକୁ ଏକେ-୪୭ ଭଳି। କିନ୍ତୁ ତାହାକୁ କାଠରେ ତିଆରି କରି ରଙ୍ଗ ଦିଆଯାଇଥିଲା। ସେହିପରି ବ୍ୟାଗ୍ ଭିତରୁ ନକ୍ସଲ ପିନ୍ଧୁଥିବା ଭଳି ପୋଷାକ ରହିଥିଲା। ଏଥିରୁ ସ୍ପଷ୍ଟ ହୋଇଯାଇଥିଲା ଯେ ନକଲି ନକ୍ସଲଙ୍କ ଗ୍ୟାଙ୍ଗ ହିଁ ବଟି ଆଦାୟ ପାଇଁ ଏଭଳି କାରସାଦି କରିଥିଲା।

ନକଲି ନକ୍ସଲଙ୍କ ଏହି ଗାଁ ସରପଞ୍ଚ, ଠିକାଦାର ଏବଂ ବ୍ୟବସାୟୀଙ୍କୁ ଟାର୍ଗେଟ କରୁଥିଲେ। ରାତି ଅଧରେ ପହଞ୍ଚି ସେମାନଙ୍କୁ ଅପହରଣ କରି ଟଙ୍କା ମାଗୁଥିଲେ। ଅନ୍ଧାର ଯୋଗୁ ଏମାନଙ୍କୁ ଚିହ୍ନଟ କରିବା କିମ୍ବା ବନ୍ଧୁକ ଅସଲି ନା ନକଲି ଜାଣିବା ସମ୍ଭବ ହେଉ ନଥିଲା। ଯାହାଫଳରେ ଭୟରେ ଲୋକେ ଟଙ୍କା ଦେଉଥିଲେ। ତେବେ ଗ୍ରାମବାସୀ ଏହି ନକଲି ନକ୍ସଲଙ୍କ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଚିହ୍ନିଥିବା ଜଣାପଡ଼ିଛି। ତେଣୁ ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଗିରଫ କରିବାକୁ ଏସ୍‌ପି‌ ଅଭିଯାନ ଆରମ୍ଭ କରିଛନ୍ତି।

The post ନକଲି ନକ୍ସଲଙ୍କ ବଟି ଆଦାୟ, ମିଳିଲା କାଠରେ ନିର୍ମିତ ଏକେ-୪୭ first appeared on Sambad.

from ଜିଲ୍ଲା | Sambad https://ift.tt/3vPq58L