ଦଶରଥପୁର : ଦଶରଥପୁର ବ୍ଲକ୍‌ର ବିରିପଟା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଘଟଣାରେ ସୋମବାର ପୁଲିସ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳପୁର ପୁଲିସ ସନ୍ଧାନୀ କୁକୁର ସହାୟତାରେ ପଞ୍ଚାୟତ କାର୍ଯ୍ୟାଳୟରୁ ତଦନ୍ତ ଆରମ୍ଭ କରିଥିଲେ। ଚୋରମାନେ ଭାଙ୍ଗିଥିବା ତାଲା ଓ ଛାଡ଼ି ଯାଇଥିବା ଏକ ଛୁରୀକୁ ସନ୍ଧାନୀ କୁକୁର ଶୁଙ୍ଘି ପଞ୍ଚାୟତର ବରେଇଁ ଗାଁ ଆଡ଼କୁ ଯାଇଥିଲା। ଏହି ଗ୍ରାମର କୈଳାସ ଜେନାଙ୍କ ଘରେ ସନ୍ଧାନୀ କୁକୁର ଅଟକିବା ସହ ବିଭିନ୍ନ ସ୍ଥାନରେ ଶୁଙ୍ଘାଶୁଙ୍ଘି କରିଥିଲା। ଫଳରେ କୈଳାସ ଜେନାଙ୍କ ପୁଅ ଖଗେଶ୍ୱର(୩୩)କୁ ପୁଲିସ ଥାନାକୁ ଆଣି ଅଟକ ରଖିଛି। ଅନ୍ୟ ପକ୍ଷରେ କଟକର ଏକ ଅନୁସନ୍ଧାନକାରୀ ଟିମ୍‌ର ଏଏସଓ ଦିଲ୍ଲୀପ କୁମାର ସୁବୁଦ୍ଧି ଓ କନେଷ୍ଟବଳ ପବିତ୍ର କୁମାର ପଣ୍ଡା ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟରେ ତଦନ୍ତ କରିଥିଲେ।

ପଞ୍ଚାୟତ କାର୍ଯ୍ୟାଳୟରେ ଲାଗିଥିବା ଇଣ୍ଟରନେଟର ବିଦ୍ୟୁତ୍‌ ସଂଯୋଗ ଗତ ୨୬ ତାରିଖ ରାତି ପ୍ରାୟ ୨.୪୫ରେ ବିଚ୍ଛିନ୍ନ କରାଯାଇଥିଲା। ତେଣୁ ଚୋରମାନେ ଏହି ସମୟରେ ବିଦ୍ୟୁତ୍‌ କାଟି ଚୋରି କରିଥିବା ସନ୍ଦେହ କରାଯାଉଛି। ମଙ୍ଗଳପୁର ଥାନା କେସ୍‌ ନମ୍ବର ୩୨୧/୨୧ ଦଫା ୪୫୭, ୩୮୦ରେ ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ହରିଶ ସିଂ ତଦନ୍ତ କରୁଛନ୍ତି। କେତେ ଫାଇଲ ଚୋରି ହୋଇଛି ବୋଲି ପିଇଓ ବୀରେନ୍ଦ୍ର କୁମାର ମଲ୍ଲିକଙ୍କୁ ପଚାରିବାରୁ କାର୍ଯ୍ୟାଳୟ ଭିତରକୁ ଯିବାକୁ ପୁଲିସ ବାରଣ କରିଥିବାରୁ ସେ ସମ୍ପର୍କରେ ତଥ୍ୟ ଜଣାପଡିନାହି ବୋଲି କହିଛନ୍ତି।

ଅଭିଯୋଗ ଅନୁଯାୟୀ ଗତ ୨୬ ତାରିଖ ଅପରାହ୍ଣ ୫ଟାରେ ପିଇଓ ଶ୍ରୀ ମଲ୍ଲିକ କାର୍ଯ୍ୟାଳୟରେ ତାଲା ପକାଇ ଘରକୁ ଯାଇଥିଲେ। ହେଲେ ୨୭ ତାରିଖ ସକାଳୁ ଗେଟ୍‌ ତାଲା ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ସେ ସରପଞ୍ଚ ମନୋରଞ୍ଜନ ଦାସଙ୍କୁ ଜଣାଇବା ପରେ ଦୁହେଁ କାର୍ଯ୍ୟାଳୟରେ ପଶି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। କାର୍ଯ୍ୟାଳୟରୁ ଏକ ଲାପଟପ, ଇନଭର୍ଟର, ବ୍ୟାଟେରି, ଗ୍ରାଇଣ୍ଡର, ଫ୍ୟାନ୍, ଉନ୍ନୟନ ମୂଳକ କାର୍ଯ୍ୟର କେତେକ ଫାଇଲ, କ୍ୟାସ୍‌ ବୁକ୍‌, ରେଜିଷ୍ଟର ସମେତ ନଗଦ ୧୮ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରାଯାଇଥିଲା।

The post ବିରିପଟା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ଘଟଣା: ସନ୍ଧାନୀ କୁକୁର ସହାୟତାରେ ତଦନ୍ତ, ଜଣେ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3jnq0Wr