ପୁରୀ: ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ‌ସେବକମାନଙ୍କ ଦ୍ବାରା ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା। ଶାସ୍ତ୍ରାନୁସାରେ ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାନ୍ତି। ଏହି ପରମ୍ପରା ତଥା ଶାସ୍ତ୍ର ଆଧାରରେ ଆଜି ଅଣସର ବାସରେ ଥିବା ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି କରାଯାଇଛି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରୀରରେ ଏହି ଔଷଧୀୟ ତୈଳ ମର୍ଦ୍ଦନ ହୋଇଛି। ଏହି ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ। ନବ‌ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏ ନେଇ ଆଜି ବଡ଼ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିଥିଲା। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡ଼ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହା ପରେ ବଡ଼ଓଡ଼ିଆ ମଠ ମହନ୍ତ ବଂଶୀଧର ଦାସଗୋସ୍ବାମୀଙ୍କ ସହ ଅନ୍ୟ ସାଧୁସନ୍ଥମାନେ ମହୌଷଧୀଯୁକ୍ତ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ନେଇଥିଲେ। ପ୍ରତିବର୍ଷ ଏଥିପାଇଁ ଶୋଭଯାତ୍ରାର ଆୟୋଜନ କରାଯାଇଥାଏ। ବଡ଼ଓଡ଼ିଆ ମଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ସହକାରେ ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିଥାଏ। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ପାଇଁ ନିରାଡ଼ମ୍ବର ପରିବେଶରେ ହାତଗଣତି ସାଧୁସନ୍ଥଙ୍କ ଗହଣରେ ତିନୋଟି ସେରିକିଆ ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଛି। ମହାପ୍ରଭୁ ହେଉଛନ୍ତି ଜୀବନ୍ତ ଠାକୁର। ମାନବଦେହୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ପରମ୍ପରା ରହି ଆସିଛି। ମହାରାଜ ପ୍ରତାପ ଦେବଙ୍କ ଅମଳରୁ ବଡ଼ଓଡ଼ିଆ ମଠକୁ ଫୁଲୁରି ତେଲ ସେବା ଦାୟିତ୍ୱ ଦିଆଯାଇଛି। ଫୁଲୁରି ସେବା ପରେ ଆସନ୍ତାକାଲିଠାରୁ ଅନ୍ୟାନ୍ୟ ଔଷଧୀୟ ଉପଚାର ଆରମ୍ଭ ହେବ।

କେମିତି ପ୍ରସ୍ତୁତ ହୁଏ ଫୁଲୁରି ତେଲ (ବକ୍ସ)
ମହାପ୍ରଭୁଙ୍କୁ ଲାଗି ହେଉଥିବା ଦିବ୍ୟ ଫୁଲୁରି‌ ତେଲର ପ୍ରସ୍ତୁତି ଶୈଳୀ ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ଏହି ତୈଳ ପାଇଁ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ। ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରାଯାଇଥାଏ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ସ୍ବତନ୍ତ୍ର ଶୈଳୀ ବ୍ୟବହାର କରିଥାନ୍ତି। ଯାହା ଆଜି ପର୍ଯ୍ୟନ୍ତ ଗୋପନ ରଖାଯାଇଛି। ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ। ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧୀକୁ ମାଟିରୁ ବାହାର କରାଯାଇଥାଏ। ପରେ କପଡ଼ାରେ ଛଣାଯାଇ ମାଟି ପାତ୍ରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ। ଗାରଦରେ ଦାଖଲ ପରେ ଦଇତାପତି, ପତି ମହାପାତ୍ର ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି।

The post ମହାପ୍ରଭୁଙ୍କୁ ଲାଗି ହେଲା ଫୁଲୁରି ତେଲ, ବଡ଼ଓଡ଼ିଆ ମଠରୁ ଗଲା ଏହି ମହୌଷଧୀ first appeared on Sambad.

from ଜିଲ୍ଲା | Sambad https://ift.tt/3Achuzy