
ବାରିପଦା :ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ବ୍ଲକ ଅଧୀନ ବାଙ୍କିଶୋଳରେ ଥିବା କିମ୍ସ କୋଭିଡ଼ ହସ୍ପିଟାଲ ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାରେ। ଅବଶ୍ୟ କୌଣସି ଭଲ କାରଣ ପାଇଁ ନୁହେଁ। ଏହି ହସ୍ପିଟାଲରେ ରୋଗୀମାନେ ଅତ୍ୟନ୍ତ ଅସହାୟ ଭାବେ ଉଲଗ୍ନ ଅବସ୍ଥାରେ ପଡ଼ି ମରିବାକୁ ନେଇ ତେଜିଛି ଅସନ୍ତୋଷ। ଏହି ଘଟଣାରେ ନିଆଁ ରେ ଘିଆ ଢାଳିବା ସଦୃଶ ହୋଇଛି ଗତକାଲିର ଜିଲ୍ଲା ପ୍ରଶାସନର ବୟାନ। ଏପରି ଉଲଗ୍ନ ହୋଇ ପଡିଥିବା ରୋଗୀଙ୍କ ମାନସିକ ଅଵସ୍ଥା ଭଲ ନଥିବା ଏବଂ ମଦ୍ୟପାନ ର ଅଭ୍ୟାସ କାରଣରୁ ଏପରି ହୋଇଥିବା ଭଳି ଜିଲ୍ଲା ପ୍ରଶାସନର ମନ୍ତବ୍ୟ ଆଜି ପୁରା ମୟୂରଭଞ୍ଜରେ ଅସନ୍ତୋଷର ନିଆଁ ଜାଳିଛି। ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ବିଭିନ୍ନ ରାଜନୈତିକ ଦଳ ଏବଂ ସଙ୍ଗଠନ। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସତ୍ୟକୁ ଚପାଇଦେବା ନିମନ୍ତେ ହୀନ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି । ଏନେଇ ଆଜି ଭିନ୍ନ ଭିନ୍ନ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଘଟଣାର ତଦନ୍ତ କରାଯିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
୨୪ ଘଣ୍ଟିଆ ଅନଶନ କରିବେ ଭଂଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା
ବାରିପଦା: କିମ୍ସ କୋଭିଡ ହସ୍ପିଟାଲର ଭୟଙ୍କର ଚିତ୍ର କୁ ନେଇ ଜିଲ୍ଲାପାଳ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭଂଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା। କର୍ତ୍ତବ୍ୟ ରେ ଅବହେଳା କରିଥିବା ଜିଲ୍ଲାପ୍ରଶାସନ ଏବଂ ଅଧିକାରୀଙ୍କ ବିରୋଧରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମସ୍ତଙ୍କୁ ସଚେତନ କରିବା ପାଇଁ୨୪ ଘଣ୍ଟିଆ ଅନଶନ କରିବେ ବୋଲି ଘୋଷଣା କରିଛନ୍ତି।
ବାଙ୍କିଶୋଳ କୋଭିଡ଼ ହସପିଟାଲରେ ରୋଗୀମାନଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦିଆଯିବା ସହ ରୋଗୀଙ୍କ ଚିକିତ୍ସାକୁ ନେଇ ମିଥ୍ୟା ତଥ୍ୟ ପ୍ରଦାନ କରୁଥିବା ଜିଲ୍ଲାପାଳ ପ୍ରଥମେ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଅବଗତ ହେବା, ରୋଗୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ବାଙ୍କିଶୋଳ କୋଭିଡ଼ ହସପିଟାଲରେ ଅବିଳମ୍ବେ ସିସି ଟିଭି କ୍ୟାମେରା ଖଞ୍ଜାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବାଙ୍କିଶୋଳ କୋଭିଡ଼ ହସପିଟାଲ ସମ୍ମୁଖରେ ରୋଗୀଙ୍କ ସମ୍ପର୍କରେ ଡିସପ୍ଲେ ମାଧ୍ୟମରେ ସିଧା ପ୍ରସାରଣ କରାଯିବା, ଜିଲ୍ଲାର ବାମନଘାଟି ଓ ପାଞ୍ଚପୀଢ଼ ଉପଖଣ୍ଡରେ ଅବିଳମ୍ବେ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯିବା, ଜିଲ୍ଲାରେ ୧୮ରୁ ୪୪ ବର୍ଷ ଯୁବ ବର୍ଗମାନଙ୍କୁ ଅବିଳମ୍ବେ କରୋନା ଟୀକା କରଣର ବ୍ୟବସ୍ଥା କରାଯିବା ଦାବୀ ନେଇ ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଆସନ୍ତାକାଲି ସନ୍ଧ୍ୟା ୬ରୁ ଜୁନ ୩ ସନ୍ଧ୍ୟା ୬ ପର୍ଯ୍ୟନ୍ତ ନିଜ ଘର ପ୍ରାଙ୍ଗଣରେ ୨୪ ଘଣ୍ଟା ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି ଶ୍ରୀ ଜେନା। ଏଥିସହିତ ଏଭଳି ସମ୍ବେଦନଶୀଳ ଘଟଣାରେ ଜିଲ୍ଲା ପ୍ରଶାସନ ଯେପରି ଅଶୋଭନୀୟ ଵ୍ୟଵହାର ପ୍ରଦର୍ଶନ କଲା ତାକୁ କଡା ଭାଷାରେ ନିନ୍ଦା କରିଛନ୍ତି। ଏହି ଅନଶନରେ ଜିଲ୍ଲାବାସୀ ତାଙ୍କୁ ପୁର୍ଣ୍ଣ ସହଯୋଗ କରିବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି।
*ଅସନ୍ତୋଷ ବ୍ୟକ୍ତ କଲା ବିଜେପି, ହସ୍ପିଟାଲ ର କାରବାର ସମ୍ପର୍କରେ ସବିଶେଷ ସୂଚନା ରଖୁ ଜିଲ୍ଲା ପ୍ରଶାସନ*
ବାରିପଦା: ଆଜି ବିଜେପି ପକ୍ଷରୁ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନଙ୍କ ନେତୃତ୍ୱରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢ଼େଇ, ପୂର୍ଵତନ ଜିଲ୍ଳା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ବିଜୟ ଦାସ ପ୍ରମୁଖ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ବାଙ୍କିଶୋଳ କୋଭିଡ଼ ହସ୍ପିଟାଲରେ ବିପର୍ଯ୍ୟସ୍ତ ରୋଗୀ ସେବାକୁ ନେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ହସ୍ପିଟାଲ ର ବିଭିନ୍ନ କାରବାର ସମ୍ପର୍କରେ ସବିଶେଷ ତଥ୍ୟ ରଖିବା ସହିତ ଏପରି ଘଟଣା କାହିଁକି ଘଟିଲା ସେନେଇ ତଦନ୍ତ କରିବାକୁ ଦାବି କରିଛି। ଜଣାପଡ଼ିଛି ।

ଉତ୍ତମ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦାବି କଲା ଜାଗ ମୟୂରଭଞ୍ଜ ଜାଗ
ବାରିପଦା: କିମ୍ସ କୋଭିଡ ହସ୍ପିଟାଲରେ ଉତ୍ତମ ସ୍ୱାସ୍ଥ୍ୟ ଭିତ୍ତିଭୂମି ନଥିବା କାରଣରୁ ରୋଗୀଙ୍କୁ ଠିକ ସେବା ମିଳିପାରୁନାହିଁ। ଆବଶ୍ୟକ ସଂଖ୍ୟକ ଡାକ୍ତର ସହିତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ ରହିଛି ଏଠାରେ। ଏହି ହସ୍ପିଟାଲ କୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ରୋଗୀମାନେ ଅସହାୟ ଭାବରେ ଉଲଗ୍ନ ହୋଇ ପଡି ମରୁଛନ୍ତି। ଏନେଇ ଜିଲ୍ଳା ପ୍ରଶାସନ ବିହିତ ପଦକ୍ଷେପ ନେଇ ଏହାକୁ ସୁଧାରିବାକୁ ଦାବି କରିଛି ସାମାଜିକ ସଙ୍ଗଠନ ଜାଗ ମୟୂରଭଞ୍ଜ ଜାଗ। ସଙ୍ଗଠନ ର ମାର୍ଗଦର୍ଶକ ଅରୁଣ କୁମାର ବେହେରାଙ୍କ ନେତୃତ୍ୱରେ ସଭାପତି ସୋନାଲି ପ୍ରିୟଦର୍ଶନୀ ବେହେରା, ବୈଜୟନ୍ତି ବାସ୍କେ, ଚୁମକୀ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।
ନିରପେକ୍ଷ ତଦନ୍ତ ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ
ବାରିପଦା: ବାଙ୍କିଷୋଳ କିମ୍ସ କୋଭିଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ବିରୋଧରେ ଆଜି ଜିଲ୍ଲାପାଳଙ୍କୁ ଭେଟିଛନ୍ତି କଂଗ୍ରେସ ର ଏକ ପ୍ରତିନିଧି ଦଳ। ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ସ୍ପର୍ଶକାତର ଘଟଣା ରେ ଏକ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ହସପିଟାଲରେ ସିସି ଟିଭି ଲଗାଇଯିବା ଏବଂ ରୋଗୀମାନଙ୍କର ପରିବାରକୁ ପ୍ରତ୍ୟେକ ଦିନ ରୋଗୀ ସମ୍ପର୍କରେ ସଠିକ୍ ଖବର ପ୍ରଦାନ କରାଯିବା ନିମନ୍ତେ ଦାବି କରିଛି ଦଳ।
ଉଲ୍ଲେଖଯୋଗ୍ୟ ଯେ କିମ୍ସ କୋଭିଡ ହସ୍ପିଟାଲରେ ରୋଗୀମାନେ ଅସହାୟ ଅବସ୍ଥାରେ ହସପିଟାଲର ପାଇଖାନା ନିକଟରେ ଅର୍ଦ୍ଧଉଲଗ୍ନ ଓ ଉଲଗ୍ନ ଅବସ୍ଥାରେ ପଡିଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଆସିବା ପରେ ଘଟଣା କୁ ନେଇ ତାତି ବଢ଼ିବାରେ ଲାଗିଛି।
The post ଚର୍ଚ୍ଚାରେ ବାଙ୍କିଶୋଳ କୋଭିଡ଼ ହସପିଟାଲ, ବିଭିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ first appeared on Sambad.from ଜିଲ୍ଲା | Sambad https://ift.tt/3pbsTdO
0 Comments