ସୁନ୍ଦରଗଡ଼ : ନିଜ ଜିଲ୍ଲାରେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଚାଲାଣ ଅଥବା ଦାଦନ ଖଟି ଯାଉଥିବା ଶିକ୍ଷିତ ଆଦିବାସୀ ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବାକୁ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭିନ୍ନ ତାଲିମ ସଂସ୍ଥା ଜରିଆରେ କୁଶଳୀ ବିକାଶ ତାଲିମ ପ୍ରଦାନ କରିଥିଲେ। କିନ୍ତୁ ବାସ୍ତବରେ କିଛି ଯୁବକଯୁବତୀଙ୍କୁ ନାମକୁ ମାତ୍ର ତାଲିମ ଦିଆଯାଇଥିବା ବେଳେ ଅଧିକାଂଶ ନଥିପତ୍ରରେ ହିଁ ତାଲିମ ନେଇଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ମିଳିବା ପରେ ଗତ ୨୦୧୯ ଜୁନ୍ରେ ଅଭିଯୋଗ ଓ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲ। କିନ୍ତୁ ବିଡ଼ମ୍ବନା, ଅଭିଯୋଗର ୨ ବର୍ଷ ପରେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ତଦନ୍ତ ମଧ୍ୟ କରି ନାହିଁ। ଆଦିବାସୀ ଯୁବକଯୁବତୀଙ୍କୁ ୨୦୧୬ରୁ ୨୦୧୮ ବର୍ଷ ମଧ୍ୟରେ କମ୍ପ୍ୟୁଟର ହାର୍ଡୱେର୍, ଗାଡ଼ି ଚାଳନା, ଆତିଥ୍ୟ ଓ ସ୍ବାସ୍ଥ୍ୟ ଯତ୍ନ, ଡିଟିପି, ଟାଲି, ମୋବାଇଲ ମରାମତି, ସିକ୍ୟୁରିଟି ଗାର୍ଡ, ସିଲେଇ, ରୂପଚର୍ଯ୍ୟା, ଘରୋଇ ବିଦ୍ୟୁତକରଣ ଆଦି ତାଲିମ ଦିଆଯାଇଥିବା ବିଭାଗୀୟ ନଥିପତ୍ରରେ ଦର୍ଶାଯାଇଛି। ୨୦୧୬-୧୭ ବର୍ଷରେ ବିଭିନ୍ନ ପର୍ଯ୍ୟାୟରେ ରୂପଚର୍ଯ୍ୟାରେ ୭୬ ଜଣ, ସିଲେଇରେ ୫୩ ଜଣ, ଅତିଥିଚର୍ଚ୍ଚାରେ ୧୦୩, ମୋବାଇଲ ମରାମତିରେ ୯୮, ସିକ୍ୟୁରିଟି ଗାର୍ଡରେ ୫୦ ଜଣ, ଗାଡ଼ି ଚାଳନାରେ ୯୧ ଜଣ, ସ୍ବାସ୍ଥ୍ୟଯତ୍ନରେ ୧୧୩ ଜଣ, ଡିଟିପିରେ ଶହେ ଜଣ, ଟାଲିରେ ୨୧୨, ଡାଟା ଏଣ୍ଟ୍ରି ଅପରେଟର୍ରେ ୩୦ ଜଣ, ବିଦ୍ୟୁତ ମରାମତିରେ ୨୫ ଜଣଙ୍କୁ ତାଲିମ ଦିଆଯାଇଥିବା ଦର୍ଶାଯାଇଛି। ସେହିପରି ୨୦୧୭-୧୮ ବର୍ଷରେ ସୌନ୍ଦର୍ଯ୍ୟ ଚିକିତ୍ସା ଓ କେଶଚର୍ଯ୍ୟାରେ ୫୦ ଜଣ, ଗାଡ଼ିଚାଳନା ଓ ମରାମତିରେ ୫୦ ଜଣ, ଗହଣା ଗଢ଼ଣ ତାଲିମରେ ୨୫ ଜଣ, ସ୍ବାସ୍ଥ୍ୟ ଯତ୍ନରେ ୨୫ ଜଣ, ଅତିଥିଚର୍ଚ୍ଚାରେ ୩୦, କେଶ, ଚର୍ମ ଓ ପ୍ରାସାଧାନରେ ୨୦ ଜଣ, ସିକ୍ୟୁରିଟି ଗାର୍ଡରେ ୫୦ ଜଣଙ୍କୁ ତାଲିମ ଦିଆଯାଇଥିବା ଦର୍ଶାଯାଇଛି। ଏଥିପାଇଁ ତାଲିମ ପ୍ରଦାନକାରୀ ସଂସ୍ଥା ଇଟି ଆଣ୍ଡ ଟି କମ୍ପାନି, ଏସ୍ଆଇଟିଡି, ଏଆଇଏସଇସିଟି, ଡାଟା ପ୍ରୋ କମ୍ପ୍ୟୁଟର ପ୍ରାଇଭେଟ ଲିମିଟେଡ, ଉପାସନା ଏଜୁକେସନ ଟ୍ରଷ୍ଟ, ଏଏସ୍ଟିଏମ୍ ସ୍କିଲ ପ୍ରାଇଭେଟ, ଖୋର୍ଦ୍ଧା ସ୍କୁଲ ଅଫ୍ ନର୍ସିଂ, ପ୍ଲାନେଟ ସଲ୍ୟୁସନ, ପୁରୀ ସ୍କୁଲ ଅଫ୍ ନର୍ସିଂ, ଶିକ୍ଷା ଭାରତୀ, ଏଡବ୍ଲ୍ୟୁଏସ୍ ଆଦିକୁ ୨.୨୦ କୋଟି ଟଙ୍କା ଦିଆଯାଇଥିବା ଉଲ୍ଲେଖ ରହିଛି। ଟଙ୍କା ସବୁ ତାଲିମ ପ୍ରଦାନ କରିଥିବା ସଂସ୍ଥାକୁ ପଠାଯାଇଥିବା ଦର୍ଶାଯାଇଥିଲେ ମଧ୍ୟ ପ୍ରକୃତରେ ବହୁ ପରିମାଣର ଅର୍ଥ ସଂସ୍ଥା ସହ ମିଶି ମିଥ୍ୟା ବିଲ୍ରେ ଚଳୁ କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରେ ଥିବା ତାଲିକାରେ ନିଜ ନିଜ ନାମକୁ ଦେଖି ଜିଲ୍ଲାର ବହୁ ଯୁବକଯୁବତୀ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ଆମ ନାମରେ ଟଙ୍କା ସବୁ ଚଳୁ କରି ନେଇଥିବା ବେଳେ ଆମେ ବେରୋଜଗାରୀ ହୋଇ ବସିଛୁ ବୋଲି ସେତେବେଳେ ଅଭିଯୋଗ କରିଥିଲେ। ଆଦିବାସୀ ବେକାରୀ ଯୁବକଯୁବତୀଙ୍କୁ କର୍ମ ନିଯୁକ୍ତି ତାଲିମ ଦେବା ନାମରେ ବାଟମାରଣା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ତା’ର ତଦନ୍ତ ନକରି ନିରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ଆଦିବାସୀ ଶିକ୍ଷିତ ଯୁବବର୍ଗଙ୍କ ତାଲିମ ଅର୍ଥ ହଡ଼ପ ମାମଲା, କାର୍ଯ୍ୟାନୁଷ୍ଠାନ ଛାଡ଼, ୨ ବର୍ଷ ପରେ ବି ତଦନ୍ତ ନୋହିଲା first appeared on Sambad.

from ଜିଲ୍ଲା | Sambad https://ift.tt/3cgktN8