
ଧର୍ମଗଡ଼ : ଟୋକନ ବାତିଲ ଯୋଗୁଁ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହୋଇଥିବା କୋକସରା ବ୍ଲକ୍ କାଶୀବାହାଲ ପେକ୍ସର ଚାଷୀମାନେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, କାଶୀବାହାଲ ମଣ୍ଡିର ୩୨ଜଣ ଚାଷୀ ଟୋକନ ପାଇ ନିର୍ଦ୍ଧାରିତ ଦିନ ମଣ୍ଡିକୁ ଧାନ ଆଣିଥିଲେ। ଏମାନଙ୍କୁ ୧୯ ମେରୁ ୨୫ ମେ ମଧ୍ୟରେ ଟୋକନ ଇସ୍ୟୁ କରାଯାଇଥିଲା। ସମସ୍ତେ ନିଜ ନିଜ ଧାର୍ଯ୍ୟ ତାରିଖ ଅନୁଯାୟୀ ମଣ୍ଡିକୁ ଧାନ ଆଣିଥିଲେ। ମଣ୍ଡିରେ ଏଣ୍ଟ୍ରି ବି ହେଲା। ମଣ୍ଡି ଏଣ୍ଟ୍ରିରୁ ୧୨ ଦିନ ମଧ୍ୟରେ ସେମାନଙ୍କ ଧାନ ବିକ୍ରି ହେବା କଥା। କିନ୍ତୁ ବିକ୍ରି ହୋଇ ପାରିଲାନି। ପରେ ପେକ୍ସ କର୍ତ୍ତୃପକ୍ଷ ସେମାନଙ୍କ ଟୋକନ ବାତିଲ ହୋଇଯାଇଥିବା ସୂଚନା ଦେଇଥିଲେ। ସେବେଠୁ ଏହି ୩୨ ଜଣ ଚାଷୀ ଏ ଅଫିସରୁ ସେ ଅଫିସ ଧାଇଁ ବୁଲୁଛନ୍ତି। ହେଲେ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରୁନି।
କୌଣସି ଭିତ୍ତିଭୂମି ନଥାଇ ସରକାର ସୁଧାର ନାଁରେ ସଂସ୍କାର ଆଣୁଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଗତ ଖରିଫ ସମୟରେ ଟୋକନ ଅବଧି ମାସେ ରହିଥିଲା। ତଥାପି ମଣ୍ଡିଗୁଡ଼ିକରେ ଧାନ ପଡ଼ିରହୁଥିବା ଦେଖିବାକୁ ମିଳୁଥିଲା। ଏବେ ତହିଁରେ କିଛି ସୁଧାର ନଆଣି ଟୋକନ ଅବଧିକୁ ୧୫ ଦିନକୁ ସଂକୁଚିତ କରିବାରୁ ମଣ୍ଡି ବ୍ୟବସ୍ଥାକୁ ଆହୁରି ବିଗାଡ଼ି ଦେଉଛି। ପୁଣି ଟୋକନ ସବୁ ଭୁବନେଶ୍ୱରରୁ ଇସ୍ୟୁ ହେବା ଆଉ ଏକ ସମସ୍ୟା ସୃଷ୍ଟି କରୁଛି। ଛତିଶଗଡ଼ ଢାଞ୍ଚାରେ ସରକାର ମଣ୍ଡି ବ୍ୟବସ୍ଥା ପରିଚଳାନା କରିବା ନେଇ ପ୍ରଚାର କରୁଥିଲେ ହେଁ ପ୍ରକୃତରେ ଏଠିକାର ମଣ୍ଡି ବ୍ୟବସ୍ଥା ମିଲର୍ସଙ୍କ ଉପରେ ହିଁ ନିର୍ଭର କରୁଛି। କଟନି ଛଟନି ପାଇଁ ମୂଲଚାଲ ହେଲା ପରେ ମିଲର୍ସ ଗାଡ଼ି ପଠାଉଛି। ମିଲର୍ସରାଜ ରୋକିବାକୁ ସରକାର ମିଲର୍ସଙ୍କୁ ମଣ୍ଡିକୁ ଆସିବା ବାରଣ କରିଛନ୍ତି। ତଥାପି ମିଲର୍ସଙ୍କ ଗାଡ଼ି ନଆସିବା ଯାଏ ଧାନ ଓଜନ ହୋଇପାରୁନାହିଁ।
ଧାନ ବିକ୍ରି କରି ନପାରି ଏବେ ଏହି ୩୨ ଜଣ ଚାଷୀ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଛନ୍ତି। ଏବେ ପୁଣି ଖରିଫ ଚାଷ ସମୟ ଆସିଲାଣି। ଏବେଳକୁ ବିହନ, ଖତ ସାର ପାଇଁ ଅର୍ଥର ଆବଶ୍ୟକତା ଥିବା ବେଳେ ଧାନ ବିକ୍ରି ନହେଲେ କୋଉ ସାହୁକାର ପାଖରେ ବାଧ୍ୟ ହୋଇ କମ ଦରରେ କିକ୍ରି କରି ଚାଷୀ ଅଭାବୀ ବିକ୍ରିର ଶିକାର ହେବେ। ପ୍ରଶାସନ ସେମାନଙ୍କ ଟୋକନର ନବୀକରଣ କରି ତାଙ୍କ ଧାନ ଉଠାଣ କରିବାକୁ ଚାଷୀ ଦନାର ଠାକୁର, ଧନେଶ୍ୱର ଶବର, ଭଗବାନ ପାଲି, ପ୍ରମିଳା ବେହେରା, ସଦାନନ୍ଦ ନାଗ, ସାମିନୀ ନାଗ, ତୁଳାରାମ ପୁଝାରୀ, ମଧୁସୂଦନ ବାଣୁଆ, ବିଘ୍ନେଶ୍ୱର ସରାଫ, ଡାଲିମ୍ବ ନିଆଲ, ଡମ୍ବରୁଧର ଚଣ୍ଡି, ମରୁତ ନାଗ, ଦୟାନିଧି ପୁଝାରୀ, ଟଙ୍କଧର ବଗର୍ତ୍ତି, ଶୁକ୍ରୁ ବର୍ଗର୍ତ୍ତି, ବୈଲୋଚନ ଚଣ୍ଡି, ବିଦ୍ୟାଧର ଚଣ୍ଡି ପ୍ରମୁଖ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଏନେଇ ଉପଜିଲ୍ଲାପାଳ ଦିବାକର ଟି.ଏସ୍.ଙ୍କୁ ପଚାରିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ଚାଷୀମାନଙ୍କ ଧାନ ମଣ୍ଡି ଏଣ୍ଟ୍ରି ହୋଇଛି ସେଗୁଡ଼ିକୁ ଟୋକନ ଇସ୍ୟୁ କରାଯାଇ ଧାନ ଉଠାଣ ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଅନ୍ୟପଟେ ଚାଷୀଙ୍କ ଦାବି ପ୍ରତି ପ୍ରଶାସନ ଅଣଦେଖା କଲେ କୋଭିଡ କଟକଣା ସତ୍ତ୍ୱେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ନେତା ଦିଗାମ୍ବର ଦୁରିଆ ଚେତାବନୀ ଦେଇଛନ୍ତି।
The post ମଣ୍ଡିରେ ପଡ଼ିରହିଛି ଧାନ, ବାତିଲ ହେଲାଣି ଟୋକନ, ଚାଷୀ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ first appeared on Sambad.from ଜିଲ୍ଲା | Sambad https://ift.tt/3wTgkXA
0 Comments