ପୁଲିସ୍ ଇନ୍ସପେକ୍ଟର ପଦୋନ୍ନତି ପ୍ରସଂଗ: ଗ୍ରେଡେସନ୍ ତାଲିକାକୁ ନେଇ ଅଭିଯୋଗ ଉପରେ ନିଷ୍ପତ୍ତି ନିଅ: ହାଇକୋର୍ଟ

କଟକ : ପୁଲିସ ସବ୍‌ଇନ୍ସପେକ୍ଟରରୁ ଇନ୍ସପେକ୍ଟର ପଦକୁ ପଦୋନ୍ନତି ପ୍ରସଂଗରେ ନିଷ୍ପତ୍ତି ନିଆଯିବା ପୂର୍ବରୁ ଏ ସଂପର୍କିତ ଗ୍ରେଡେସନ୍ ତାଲିକାକୁ ନେଇ ରହିଥିବା ଆପତ୍ତି ଓ ଅଭିଯୋଗ ଉପରେ କର୍ତ୍ତୃପକ୍ଷ ବିଚାର କରି ନିଷ୍ପତ୍ତି ନେବେ। ତ୍ରୁଟିପୂର୍ଣ୍ଣ ଗ୍ରେଡେସନ୍ ଲିଷ୍ଟ ଆଧାରରେ ଇନ୍ସପେକ୍ଟର ପଦକୁ ପଦୋନ୍ନତି ଦିଆଯିବା ପାଇଁ ଆଶଙ୍କା ରହିଛି ଦର୍ଶାଇ ଦାୟର ‌ମାମଲାଗୁଡ଼ିକର ଶୁଣାଣି କରି ହାଇକୋର୍ଟ ଏପରି ନି‌ର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ କେତେକ ପୁଲିସ ସବ୍‌ଇନ୍ସପେକ୍ଟରମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଗ୍ରେଡେସନ୍ ତାଲିକାକୁ ନେଇ ରହିଥିବା ଅଭିଯୋଗ ଉପରେ ପୁଲିସ କର୍ତ୍ତୃପକ୍ଷ ଆଇନ ଅନୁସାରେ ନିଷ୍ପତ୍ତି ନେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଇନ୍ସପେକ୍ଟର ପଦୋନ୍ନତି ପାଇଁ ଯୋଗ୍ୟତା ହାସଲ ପ୍ରସଂଗକୁ କର୍ତ୍ତୃପକ୍ଷ ବିଚାରକୁ ନେଇ ନିଷ୍ପତ୍ତି ଗ୍ରହଣ କରିବେ। ଦେଢ଼ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ ହେବ। ଇନ୍ସପେକ୍ଟର ପଦୋନ୍ନତି ପ୍ରସଂଗରେ ନିଷ୍ପତ୍ତି ନିଆଯିବା ପୂର୍ବରୁ ଏହି ପ୍ରକ୍ରିୟା ଶେଷ କରାଯିବ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ସିଧାସଳଖ ପୁଲିସ୍ ସବ୍‌ଇନ୍ସପେକ୍ଟର ଭାବେ ନିଯୁକ୍ତି ପାଇଥିବା ଆବେଦନକାରୀ ଇନ୍ସପେକ୍ଟର ପଦୋନ୍ନତି ପାଇଁ ଆବଶ୍ୟକ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହିତ ଏ ସଂପର୍କିତ ଯୋଗ୍ୟତା ହାସିଲ କରିଥିଲେ ମଧ୍ୟ ସେମାନଙ୍କ ନାଁକୁ ଏଥିପାଇଁ ବିଚାରକୁ ନିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଥିଲା। ସାନି ନିଷ୍ପତ୍ତି ନିଆଯାଇ ଚୂଡାନ୍ତ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରାଯାଉ ଓ ଯେଉଁ ସବ୍‌ଇନ୍ସପେକ୍ଟରମାନେ ଇତିମଧ୍ୟରେ ଇନ୍ସପେକ୍ଟର ପଦୋନ୍ନତି ପାଇଁ ଯୋଗ୍ୟତା ହାସଲ କରିଛନ୍ତି ସେମାନଙ୍କୁ ତାଲିକାରେ ଉପଯୁକ୍ତ ସ୍ଥାନ ପ୍ରଦାନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଶ୍ବବିହାରୀ ମହାନ୍ତି ମାମଲା ପରିଚାଳନା କରୁଥିଲେ।

The post ପୁଲିସ୍ ଇନ୍ସପେକ୍ଟର ପଦୋନ୍ନତି ପ୍ରସଂଗ: ଗ୍ରେଡେସନ୍ ତାଲିକାକୁ ନେଇ ଅଭିଯୋଗ ଉପରେ ନିଷ୍ପତ୍ତି ନିଅ: ହାଇକୋର୍ଟ first appeared on Sambad.

from ଜିଲ୍ଲା | Sambad https://ift.tt/3ifvAJP

Post a Comment

0 Comments