
ମୁରିବାହାଲ : ମୁରିବାହାଲ ଅଂଚଳରୁ ଗୋଲ ଚାଲାଣକୁ ବିରୋଧ କରିବା ଘଟଣାକୁ ନେଇ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି। କଣ୍ଟାବାଞ୍ଜି ଏସ୍ଡିପିଓ ସରୋଜ ମହାପାତ୍ର ଏହାର ତଦନ୍ତ କରୁଛନ୍ତି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ ହିନ୍ଦୁ କେଶରୀୟା ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ, ମୁରିବାହାଲ ବ୍ଲକ୍ ସଭାପତି ସଞ୍ଜିତ କମ୍ପ, ଉପସଭାପତି ଶ୍ରୀକାନ୍ତ ଭୋଇ, ବଲାଙ୍ଗୀରରୁ ଆସିଥିବା ଶଙ୍କର୍ଷଣ ଆଚାର୍ଯ୍ୟ, ଅନିଲ ପତି ଓ ଗାଡ଼ି ଡ୍ରାଇଭର ଜୟରାମ ପୋଢ଼ ବେଆଇନ ଗୋରୁ ଚାଲାଣ ସମ୍ପର୍କରେ ଥାନାକୁ ଅଭିଯୋଗ କରିବାକୁ ଶନିବାର ଆସିଥିଲେ। ଏହି ସମୟରେ ବେଆଇନ ଗୋରୁ ବେପାରୀମାନେ ବହୁ ସଂଖ୍ୟକ ଗୋରୁ ମୁରିବାହାଲ-ହଳଦୀ ରାସ୍ତାରେ ଟିଟିଲାଗଡ଼ ନେଉଥିବା ବେଳେ ପାହାଡ଼ ପାଖରେ କେଶରୀୟା ବାହିନୀ ସଦସ୍ୟମାନେ ପ୍ରତିବାଦ କରିଥିଲେ। ଫଳରେ ଘଣ୍ଟବାହାଲ ଗ୍ରାମର ଗୋରୁ ବେପାରୀ ଅନ୍ତ ଛୁରା, କାର୍ତ୍ତିକ ଛୁରା, ଡେବ୍ରିଆ ଛୁରା, ବିରାଟ ଛୁରା, ରାଜୀବ ଛୁରା ଓ ରାଜେଶ ଛୁରାଙ୍କ ସହ ଅନ୍ୟ ୧୫ଜଣ ଟାଙ୍ଗିଆ, ଭୁଜାଲି, ଲୁହାଛଡ଼ ଆଦି ମାରଣାସ୍ତ୍ରରେ ସନ୍ତୋଷ, ଶ୍ରୀକାନ୍ତ ଓ ସଞ୍ଜିତଙ୍କୁ ଆକ୍ରମଣ କରିଥିଲେ। ଏନେଇ ହିନ୍ଦୁ କେଶରୀୟା ବାହିନୀ ପକ୍ଷରୁ ଏତଲା ଦିଆଯାଇଛି।
ସେହିପରି ଗୋରୁ ବେପାରୀ କାର୍ତ୍ତିକ, ବୀରେନ୍ଦ୍ର ଓ ରତ୍ନାକର ମୁରିବାହାଲ ଥାନାରେ ଦେଇଥିବା ଏତଲା ଅନୁସାରେ, ସେମାନେ କଣ୍ଟାବାଞ୍ଜି ଗୋରୁ ବଜାରରୁ ଗୋରୁ ଧରି ଆସୁଥିବା ବେଳେ ବନବାହାଲ ଗ୍ରାମର ଶ୍ରୀକାନ୍ତ ଓ ଡଙ୍ଗରପଡ଼ା ଗ୍ରାମର ସଞ୍ଜିତ ପ୍ରମୁଖ ଜାତିକୁ ଆକ୍ଷେପ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ୫ପାଞ୍ଚ ଲକ୍ଷ ଟଙ୍କା ଚାନ୍ଦା ମାଗିଥିଲେ। ଏହାପରେ ଆକ୍ରମଣ କରି ଟଙ୍କା ପଇସା ଲୁଟପାଟ କରିଥିଲେ ବୋଲି ଏତଲାରେ ଦର୍ଶାଇଥିବା ଆଇଆଇସି ଜ୍ୟୋତିରାଣୀ ଦାସ ପ୍ରକାଶ କରିଛନ୍ତି। ଗୁରୁତର ଆହତ ସନ୍ତୋଷ ଭୋଳ, ସଞ୍ଜିତ କମ୍ପ ଓ ଶ୍ରୀକାନ୍ତ ଭୋଇ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
The post ବେଆଇନ ଗୋରୁ ଚାଲାଣକୁ ବିରୋଧ କରିବାରୁ ଗଣ୍ଡଗୋଳ, ଉଭୟ ପକ୍ଷରୁ ଏତଲା first appeared on Sambad.from ଜିଲ୍ଲା | Sambad https://ift.tt/34P3OvZ
0 Comments