ଭଞ୍ଜନଗର: କରୋନା ମହାମାରୀ ସମାଜର ପ୍ରତିଟି କ୍ଷେତ୍ରକୁ ପ୍ରଭାବିତ କରିଥିବା ବେଳେ ବିଶେଷ କରି ବହୁ ଯୁବକ ଯୁବତୀ ଚାକିରୀ ହରାଇଛନ୍ତି। ବର୍ତ୍ତମାନ ରାଜ୍ୟ ସରକାର ପୁଲିସ୍ ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ର ପାଇଁ ନିଯୁକ୍ତି ସୁଯୋଗ ବାହର କରିଛନ୍ତି। ଲକ୍ଷାଧିକ ଆଶାୟୀ ଚାକିରୀ ଖଣ୍ଡିଏ ପାଇବା ପାଇଁ ଦିନରାତି ଏକ କରିଦେଇଛନ୍ତି। ପରୀକ୍ଷା ପାଇଁ ଜୋର୍ସୋର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଆବଶ୍ୟକୀୟ କାଗଜପତ୍ର ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ ସରକାରୀ ଅବହେଳା ଯୋଗୁ ଭଞ୍ଜନଗର ଉପଖଣ୍ଡ ଶତାଧିକ ଯୁବକ ଯୁବତୀ ଚାକିରୀ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପୁଲିସ୍ ଚାକିରୀ ପାଇଁ ଆସନ୍ତାକାଲି ଶେଷ ଦିନ ରହିଥିବାରୁ ଆଜି ଶତାଧିକ ଆଶାୟୀ ଉପଜିଲ୍ଲାପାଳଙ୍କୁ ଭେଟି ସେମାନେ କିଭଳି ପଞ୍ଜିକରଣ କରିବେ ସେ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଥିଲେ।

ସରାକରୀ ଚାକିରୀ ପାଇଁ ଉପନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକରଣ ବାଧ୍ୟତା ମୂଳକ ହୋଇଛି। କିନ୍ତୁ ଭଞ୍ଜନଗର ଉପନିୟୋଜନ କାର୍ଯ୍ୟାଳୟ ସଂପୂର୍ଣ୍ଣ ତାଲା ବନ୍ଦ ହୋଇ ରହିଛି। ମାସର ପ୍ରତ୍ୟୋକ ସୋମବାର କାର୍ଯ୍ୟାଳୟ ଖୋଲା ବୋଲି କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଫଳକ ଲାଗିଥିଲେ ମଧ୍ୟ ସୋମବାର ମଧ୍ୟ ଏହି କାର୍ଯ୍ୟାଳୟ ଖୋଲୁ ନାହିଁ। ପ୍ରତିଦିନ ଶହ ଶହ ଯୁବକ ଯୁବତୀ ପଞ୍ଜିକରଣ କରିବା ପାଇଁ ଖର୍ଚ୍ଚାନ୍ତ ହୋଇ ଦୂର ଦୂରାନ୍ତରୁ ଆସୁଥିବା ବେରଳେ ନିରାଶ ହୋଇ ଫେରୁଛନ୍ତି। ପଞ୍ଜିକରଣ କରିପାରୁନଥିବାରୁ ସରକାର ବାହାର କରିଥିବା ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେବେ ବୋଲି ଚିନ୍ତା ପଡି ଯାଇଛନ୍ତି।

ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ସରକାରୀ ଚାକିରୀ ପ୍ରଦାନ ଓ ଏଥିପାଇଁ ନାମ ପଞ୍ଜିକରଣ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିଲା କର୍ମ ନିୟୋଜନ ସଂସ୍ଥା। ଦିନ ଥିଲା ଏହି କାର୍ଯ୍ୟାଳୟ ମାଧ୍ୟମରେ ପଞ୍ଜିକୃତ ଯୁବକ ଯୁବତୀ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ସୁଯୋଗ ପାଉଥିଲେ। ହେଲେ ବିଗତ କିଛି ବର୍ଷ ହେଲା ଭଞ୍ଜନଗର ଉପ ନିୟୋଜନ କାର୍ଯ୍ୟାଳୟ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି। ଭଞ୍ଜନଗର ଉପଖଣ୍ଡର ୮ଟି ବ୍ଲକର ଛାତ୍ରଛାତ୍ରୀ ଏଠାକୁ ପଞ୍ଜିକରଣ ପାଇଁ ଆସୁଛନ୍ତି। କିନ୍ତୁ ସେହି ପଞ୍ଜିକରଣ ପାଇଁ ମଧ୍ୟ ବାରମ୍ବାର ଦୌଡିବାକୁ ପଡୁଛି। ଗୋଟିଏ ଦିନର କାମ ପାଇଁ ମାସମାସ ଧରି ଦୌଡିବାକୁ ପଡୁଛି। ଏହି କାର୍ଯ୍ୟାଳୟର ନିଜସ୍ବ ଗୃହ ନଥିବା ବେଳେ ସ୍ଥାନୀୟ ଏଲଆସି କଲୋନୀ ପ୍ରଥମ ଲାଇନର ଗୋଟିଏ ଭଡା ଘରେ କାର୍ଯ୍ୟାଳୟ ଚାଲିଛି। କିନ୍ତୁ ତାହା ସବୁଦିନ ତାଲା ବନ୍ଦ ହୋଇ ରହୁଛି।

ଏହି କାର୍ଯ୍ୟାଳୟରେ ଜଣେ କନିଷ୍ଠ ନିୟୋଜନ ଅଧିକାରୀ, ଜଣେ ବରିଷ୍ଠ କିରାଣୀ ଓ ଜଣେ ପିଅନ ପଦବୀ ରହିଥିବା ବେଳେ ସମସ୍ତ ପଦବୀ ଖାଲି ପଡିଛି। ବିନା ଅଧିକାରୀ ଏବଂ ବିନା ନିଜସ୍ବ କୋଠାରେ ଏହି କାର୍ଯ୍ୟାଳୟ କିଭଳି ସେବା ପ୍ରଦାନ କରୁଥିବ ସହଜରେ ଅନୁମେୟ। ବ୍ରହ୍ମପରୁ ନିୟୋଜନ ଅଧିକାରୀଙ୍କୁ ପାଖାପାଖା ଗତ ୨ ବର୍ଷ ହେବ ଏହି କାର୍ଯ୍ୟଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଥିବାରୁ ସେ ପ୍ରତ୍ୟୋକ ମାସ ପ୍ରଥମ ସୋମବାର ଦିନ ଆସି ପଞ୍ଜିକରଣ କରି ଚାଲି ଯାଉଛନ୍ତି। ତାଙ୍କୁ ଛତ୍ରପୁର କାର୍ଯ୍ୟାଳୟର ମଧ୍ୟ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଗତ କିଛ ମାସ ହେବ ସେ ମଧ୍ୟ ଏଠାକୁ ସଂପୂର୍ଣ୍ଣ ଆସିବା ବନ୍ଦ କରିଦେଇଥିବାରୁ କାର୍ଯ୍ୟାଳୟରେ ସବୁଦିନ ତାଲା ଝୁଲୁଥିବା ବହୁ ଆଶାୟୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ଜିଲ୍ଲା ନିୟୋଜନ ଅଧିକାରୀଙ୍କ ସହ କଥା ହୋଇ ଫୋନ୍ ଦ୍ବାରା କିଛି ଆଶାୟୀଙ୍କ ପଞ୍ଜିକରଣ ନବୀକରଣ ବ୍ୟବସ୍ଥା କରାଇଥିବା ବେଳଳେ ଅନ୍‌ଲାଇନ୍‌ ମାଧ୍ୟମ ନୂଆଁ କରି ପଞ୍ଜିକରଣ କରୁଥିବା ପିଲାମାନେ ଆବେଦନ କରି ଆଗାମୀ ୨୦ ଦିନ ଭିତରେ ପ୍ରମାଣପତ୍ର ଯାଞ୍ଚ କରାଇ ନେବାକୁ କହିଥିାଲେ।

ଏହି କାର୍ଯ୍ୟାଳୟରୁ ଯୁବକଯୁବତୀ ଚାକିରୀ ସମ୍ବନ୍ଧୀୟ କୌଣସି ସୂଚନା ମଧ୍ୟ ପାଇପାରୁ ନାହାନ୍ତି। ଜିଲ୍ଲା ମୁଖ୍ୟାଳୟ ଠାରୁ ୧୦୦ କିମି ଦୂରରେ ଏହି କାର୍ଯ୍ୟାଳୟ ରହିଥିବାରୁ ସଂପୂର୍ଣ୍ଣ ସୁପ୍ତ ହୋଇ ରହୁଥିବା ଅତ୍ୟନ୍ତ ପରିତାପର ବିଷୟ ପାଲଟିଛି। ନାମ ପଞ୍ଜିକରଣ କରି ଦେବା ପରେ କୌଣସି ସୁଫଳ ମଧ୍ୟ ମିଳିପାରୁ ନାହିଁ। ରାଜ୍ୟ ସରକାର ଦକ୍ଷତା ବିକାଶ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି କିନ୍ତୁ ସେହି ଅନୁପାତରେ ଯୁବବ ଯୁବତୀ ଚାକିରୀ ପାଇପାରୁ ନଥିବା ବେଳେ ଘରୋଇ କମ୍ପାନୀରେ କାମ କରିବାକୁ ବାହାର ରାଜ୍ୟକୁ ଯାଉଛନ୍ତି।

The post ଚାକିରୀ ଆଶାୟୀ ଯୁବକ ଯୁବତୀଙ୍କ ସହ ସାଂଘାତିକ ଖେଳ; ତାଲା ବନ୍ଦ, ବିନା ଅଧିକାରୀରେ ଉପନିୟୋଜନ କାର୍ଯ୍ୟାଳୟ first appeared on Sambad.

from ଜିଲ୍ଲା | Sambad https://ift.tt/35F7Gju