
ପୁରୀ: ଶ୍ରୀମନ୍ଦିର ସୁରକ୍ଷାରେ ଆଜି ଢିଲା ଦେଖାଯାଇଛି। ସମସ୍ତ କଟକଣାକୁ ବେଖାତିର୍ କରି ଏନ୍ଡିଆର୍ଏଫ୍ର ଜଣେ ଅଧିକାରୀ ସପରିବାର ଏକ ଗାଡ଼ିରେ ଶ୍ରୀମନ୍ଦିର ସମ୍ମୁଖ ଅରୁଣସ୍ତମ୍ଭ ନିକଟରେ ପହଞ୍ଚିଥିଲେ। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ଏଗାରଟା ସମୟରେ ଏନ୍ଡିଆର୍ଏଫ୍ ଏବଂ ପୁଲିସ ଲେଖା ରହିଥିବା ଏକ ଗାଡ଼ି ହଠାତ୍ ବଡ଼ଦାଣ୍ଡରେ ଆସି ସିଧାସଳଖ ଅରୁଣସ୍ତମ୍ଭ ପାଖରେ ପହଞ୍ଚିଥିଲା।
ଏକ ଦମ୍ପତି ଏବଂ ଜଣେ ଛୋଟ ପିଲା ଗାଡ଼ିରୁ ବାହାରି ପତିତପାବନଙ୍କର ଦର୍ଶନ କରିଥିଲେ। ଏହିସମୟରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଘଟଣାସ୍ଥଳରେ ପହଞ୍ଚିବା ସହିତ କ୍ୟାମେରାରେ ସୁଟିଂ ପାଇଁ ଉଦ୍ୟମ କରିଥିଲେ। ଏହାଦେଖି କେତେକ ପୁଲିସ ବାବୁ ସେଠାରେ ପହଞ୍ଚି ଚାଲିଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଏହି କାର୍ଟି ସେଠାରୁ ଚାଲି ଯାଇଥିଲା। ପରେ କାର୍ରେ ଏନ୍ଡିଆର୍ଏଫ୍ର ଜଣେ ବରିଷ୍ଠ ପଦାଧିକାରୀ ଥିଲେ ଏବଂ ସେ କୌଣସି ଡ୍ୟୁଟିରେ ନୁହଁ ବରଂ ନିଜ ପରିବାରକୁ ନେଇ ଆସି ଦର୍ଶନ କରିଥିବା ଜଣାପଡ଼ିଥିଲା। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ କେବଳ ରାଷ୍ଟ୍ରପତିଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଗାଡ଼ିଯିବା ପାଇଁ ବାରଣ ରହିଛି। ସୁରକ୍ଷା ଟିମ୍ ମୁତୟନ ଥିବାବେଳେ ଏନ୍ଡିଆର୍ଏଫ୍ ଅଧିକାରୀ କିଭଳି ଅରୁଣସ୍ତମ୍ଭ ନିକଟରେ ପହଞ୍ଚିଲେ, ତାହାକୁ ନେଇ ଚର୍ଚ୍ଚା ହୋଇଛି।
The post ଶ୍ରୀମନ୍ଦିର ସୁରକ୍ଷାରେ ଢିଲା: ଅରୁଣ ସ୍ତମ୍ଭ ନିକଟରେ ପହଞ୍ଚିଲା ଏନ୍ଡିଆର୍ଏଫ୍ ଅଧିକାରୀଙ୍କ ଗାଡ଼ି first appeared on Sambad.from ଜିଲ୍ଲା | Sambad https://ift.tt/2TW8iP4
0 Comments