ବିଳମ୍ବିତ ରାତିରେ ଆଖିବୁଜା ଗୁଳି, ଗହଣା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବାଲେଶ୍ୱର: ଗହଣ‍ା ବ୍ୟବସାୟୀଙ୍କ ଘରେ ଆଖିବୁଜା ଗୁଳିଚାଳନା। ଡକାୟତଙ୍କ ଗୁଳିରେ ୫ ଜଣ ଗୁରୁତର। ବାଲେଶ୍ବର ଜିଲ୍ଲା ସୋର ଥାନା ସାଉଡ଼ ଫାଣ୍ଡି ଅଧିନ ସାଉଡ଼ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ଏଭଳି ଆତଙ୍କ ରଚିଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗହଣା ବ୍ୟବସାୟୀ ସନାତନ କାମିଳାଙ୍କ ଘରେ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ କରିଥିଲେ। ଏହି ସମୟରେ ସନାତନଙ୍କ ପଡ଼ୋଶୀ ଡକାୟତମାନଙ୍କୁ ବାଧା ଦେଇଥିଲେ। ଫଳରେ ଡକାୟତ ଓ ପଡ଼ୋଶୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା।

ଏହାପରେ ଡକାୟତ ଦଳ ଗୋଟିଏ ପରେ ଗୋଟିଏ ୫ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗହଣା ବ୍ୟବସାୟୀ ସନାତନଙ୍କ ପରିବାରର ଓ ପଡ଼ୋଶୀଙ୍କ ମଧ୍ୟରୁ ୫ ଜଣ ଆହତ ହୋଇ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନ‍ା ମିଳିଛି।

ବ୍ୟବସାୟୀଙ୍କ ଘରୁ ଲୁଟେରାମାନେ ୨୫୦ ଗ୍ରାମ ସୁନା ଓ ୫କେଜିରୁ ଉର୍ଦ୍ଧ୍ବ ରୁପା ନେଇ ଫେରାର ହୋଇଯାଇଥିବା ବେଳେ ବାଇକ୍ ଓ ହେଲମେଟ୍ ଛାଡ଼ି ଚମ୍ପଟ ମାରିଥିବା ଜଣ‍ାପଡ଼ିଛି। ଏ ନେଇ ସୋର ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

The post ବିଳମ୍ବିତ ରାତିରେ ଆଖିବୁଜା ଗୁଳି, ଗହଣା ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3fZfjGo

Post a Comment

0 Comments