
ପାଇକମାଳ : ଚଳିତ ରବି ଋତୁ ଧାନ ବିକ୍ରିରେ ଚାଷୀମାନେ ବହୁ ଅସୁବିଧା ଓ ଅବହେଳାର ଶିକାର ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ଅନେକ ଚାଷୀଙ୍କଠାରୁ ଏ ପର୍ଯ୍ୟନ୍ତ ଧାନ କିଣାଯାଇ ପାରି ନଥିବା ବେଳେ ଆଉ କିଛି ଦିନ ପରେ ସରକାରଙ୍କ ନିର୍ଦ୍ଦେଶାନୁସାରେ ଧାନ କିଣା ବନ୍ଦ ହୋଇଯିବ। ଯଦ୍ବାରା ଚାଷୀମାନେ କ୍ଷତି ସହ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଜଳ ଜଳ ହୋଇ ଦିଶିଲାଣି। ପାଇକମାଳ ଅଞ୍ଚଳର ଚାଷୀମାନେ ଜମିରୁ ଧାନ ଅମଳ କରି ବସ୍ତା ବାନ୍ଧି ଖଳାରେ ତ ପୁଣି କେଉଁଠି ଘର ବାରଣ୍ଡାରେ ଜମା କରି ଚାହିଁ ବସିଛନ୍ତି। ଏ ପର୍ଯ୍ୟନ୍ତ ସେମାନଙ୍କ ଟୋକନ୍ ଆସି ନଥିବାରୁ ଧାନ ବିକିବାକୁ ସେମାନେ ସକ୍ଷମ ହୋଇନାହାନ୍ତି। ବ୍ଳକର ଲଖମରା ସେବା ସମବାୟ ସମିତି ଅଧୀନରେ ଥିବା ଚାଷୀମାନଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
ବରଗଡ଼ ଯୋଗାଣ ଅଧିକାରୀଙ୍କ ପାଲା ପାଇଁ ଆଜି ଏ ଅବସ୍ଥା ବୋଲି ସେମାନେ ଅଭିଯୋଗ କରିଛନ୍ତି। ବୁକୁରାମୁଣ୍ଡା ଗ୍ରାମର ଜଣେ ଭିନ୍ନକ୍ଷମ ଚାଷୀ ସ୍ୱର୍ଗ ବାରିକ ମଧ୍ୟ ଏଭଳି ଟୋକନ ପାଲାରୁ ନିସ୍ତାର ପାଇନାହାନ୍ତି। ‘ସରକାର ତ ଆମର କଥା ଶୁଣୁନାହାନ୍ତି, ତେଣୁ ଏନ୍ତା ସରକାର୍ ଆମର ଆଉ ଦରକାର ନାଇଁନ’ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ସେହିପରି ଲଖମରା ସୋସାଇଟିର ଚାଷୀ ସଞ୍ଜୟ ଗଡ଼ତିଆ, ପ୍ରଦୀପ ପ୍ରଧାନ, ଲକ୍ଷ୍ମଣ ବେହେରା, ପିଲାବାଇ ପଟେଲ, ଜନକରାମ ଭୋଇ, ଡୋଳାମଣି ପ୍ରଧାନ, ସୁରେଖା ପ୍ରଧାନ ପ୍ରମୁଖ ଚାଷୀମାନେ ମଧ୍ୟ ଏ ପର୍ଯ୍ୟନ୍ତ ଟୋକନ ପାଇ ନଥିବାରୁ ଧାନ ବିକ୍ରି କରି ନ ପାରି ନାହିଁ ନଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବରଗଡ଼ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଯୋଗାଣ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଚାଷୀଙ୍କ ସହ ଅଂଚଳବାସୀ ଦାବି କରିଛନ୍ତି।
The post ଖଳା ଓ ଘର ବାରଣ୍ଡାରେ ଗଦା ହୋଇଛି ଧାନ, ଟୋକନ ନ ଆସିବାରୁ ବଢୁଛି ଚାଷୀ ଅସନ୍ତୋଷ first appeared on Sambad.from ଜିଲ୍ଲା | Sambad https://ift.tt/3vFWg9A
0 Comments