
କଟକ: ମହାନଗର ନିଗମରେ ଘରୋଇ ହସ୍ପିଟାଲରେ ଟିକାକରଣକୁ ନେଇ ଏବେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି। ସିଏମ୍ସି ଅଞ୍ଚଳର ବିଭିନ୍ନ ଘରୋଇ ହସ୍ପିଟାଲରେ କରୋନା ଟିକା ନେବାକୁ ଲୋକଙ୍କ ମୋବାଇଲକୁ ମେସେଜ୍ ଆସୁଥିବା ବେଳେ ଅନେକ ହସ୍ପିଟାଲରେ କିନ୍ତୁ ଗଲା ଏପ୍ରିଲ ମାସରୁ ଟିକା ଦାନ ହେଉନାହିଁ। ଏଭଳି ମେସେଜ୍ ପାଇ ଆଜି ଅନେକ ଲୋକ ସିଡିଏ ସ୍ଥିତ ଅଶ୍ବିନୀ ହସ୍ପିଟାଲକୁ ଯାଇ ନିରାଶ ହୋଇ ଫେରିଛନ୍ତି। ପ୍ରତ୍ୟେକ ଦିନ ଏଭଳି ଲୋକ ଫେରୁଥିବା ବେଳେ ସିଏମସିକୁ ଫୋନ କଲେ କୌଣସି ଉତ୍ତର ମିଳୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।
କରୋନା ଟିକାକରଣକୁ ସରଳ କରିବା ପାଇଁ ସିଏମ୍ସି ପକ୍ଷରୁ ସହରର ଘରୋଇ ହସ୍ପିଟାଲରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ସହରର ୧୦ଟି ହସ୍ପିଟାଲରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଗତ ୨୨ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଘରୋଇ ଡାକ୍ତରଖାନାରେ ଶହେ ଟଙ୍କା ସର୍ଭିସ ଚାର୍ଜ ଦେଇ ଟିକା ନେବାକୁ କୁହାଯାଇଥିଲା। ଘରୋଇ ହସ୍ପିଟାଲରେ ସେବା ନେବା ପାଇଁ ଅନେକ ଲୋକ ଗତ ସପ୍ତାହରେ ସ୍ଲଟ୍ ବୁକିଂ କରିଥିଲେ। ବିଶେଷ ଭାବେ ଅଶ୍ବିନୀ ହସ୍ପିଟାଲରେ ଟିକା ନେବାକୁ ଅଧିକ ଲୋକ ଅନ୍ଲାଇନ୍ରେ ବୁକିଂ କରିଥିଲେ। ସହରରେ ଟିକା ଶେଷ ହୋଇଯାଇଥିବା ବେଳେ ଏବେ ଘରୋଇ ଡାକ୍ତରଖାନାରେ ଟିକାକରଣକୁ ବନ୍ଦ ରଖାଯାଇଛି। ଟିକା ଶେଷ ହୋଇ ଆସୁଥିବା ବେଳେ ଗତ ୩୧ ତାରିଖରେ ସିଏମ୍ସି ପକ୍ଷରୁ ବିନା ପୂର୍ବ ସୂଚନାରେ ଅଫ୍ଲାଇନ୍ରେ ୧୨ଶହରୁ ଅଧିକ ଟିକା ଦିଆଯାଇଥିଲା।
ଉକ୍ତ ଟିକାକରଣ ବ୍ୟବସ୍ଥାରେ ପାତରଅନ୍ତର କରି ଟୋକନ୍ ଦେଇ ଅନେକ ଟିକା ନେଇଥିଲେ। ଗତ ୨୮ ତାରିଖରୁ ଅନ୍ ଲାଇନ୍ରେ ସ୍ଲଟ୍ ବୁକିଂ କରି ଲୋକେ ଟିକା ପାଉନଥିବା ବେଳେ ନିଗମ ପକ୍ଷରୁ ବିନା ସୂଚନାରେ ଅଫ୍ଲାଇନ୍ରେ ଲୋକଙ୍କୁ ଟିକା ଦେବାକୁ ଅନେକ ନାପସନ୍ଦ କରିଛନ୍ତି। ଆଜି ଅଶ୍ବିନୀ ହସ୍ପିଟାଲରେ ଅନ୍ଲାଇନ୍ରେ ବୁକିଂ କରିଥିବା ଶତାଧିକ ଲୋକଙ୍କୁ ଟିକା ନେବାକୁ ଆଜି ଡକାଯାଇଥିଲା। ଲୋକେ ସେଠାରେ ପହଞ୍ଚିବା ପରେ ଡାକ୍ତରଖାନାରେ ଟିକା ନଥିବା କୁହାଯାଇଥିଲା। ଲକ୍ଡାଉନ୍ରେ ଦୂରଦୂରାନ୍ତରୁ ଆସିଥିବା ଶତାଧିକ ଲୋକ ଟିକା ନନେଇ ଅସନ୍ତୋଷ ପ୍ରକାଶ କରି ଫେରିଥିଲେ। ମେ’ ୨୮ ତାରିଖରେ ସରୋଜିନୀ ଛାଟୋଇ ଅନ୍ ଲାଇନ୍ରେ ସ୍ଲଟ୍ ବୁକିଂ କରିଥିଲେ। ଜୁନ୍ ୧ରେ ଅଶ୍ବିନୀ ହସ୍ପିଟାଲରେ ଟିକା ନେବାକୁ ତାଙ୍କ ନିକଟକୁ ମେସେଜ୍ ଆସିଥିଲା। ମାତ୍ର ଆଜି ସେଠାରେ ପହଞ୍ଚିବା ପରେ ସେଠାରେ ଏପ୍ରିଲ ମାସରୁ ଟିକାକରଣ ବନ୍ଦ ଥିବା କୁହାଯାଇଥିଲା। ପ୍ରତ୍ୟେକ ଦିନ ଏଭଳି ଲୋକ ସେଠାକୁ ଆସି ଫେରୁଥିବା ସେ ଜାଣିବାକୁ ପାଇଥିଲେ। ସିଏମସିର ନିର୍ଦ୍ଧାରିତ ନମ୍ବରକୁ ସେ ଫୋନ୍ କରିଥିଲେ ବି କେହି ଉଠାଇ ନଥିଲେ। ଅନ୍ୟପଟେ ତାଙ୍କ ନିକଟକୁ ପୁଣି ଏକ ମେସେଜ୍ ଆସିଛି ଏବଂ ଜୁଲାଇ ୧ ତାରିଖରେ ଟିକା ନେବାକୁ ସୂଚନା ଦିଆଯାଇଛି।
ଏଭଳି ବିଚିତ୍ର ବ୍ୟବସ୍ଥାରେ ସାଧାରଣ ଲୋକ ସମସ୍ୟାରେ ପଡୁଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସିଏମସି କମିସନର ଅନନ୍ୟା ଦାସ କହିଛନ୍ତି ଯେ ଘରୋଇ ହସ୍ପିଟାଲ ଗୁଡିକୁ ସିଏମ୍ସି ପକ୍ଷରୁ ସୂଚନା ମଳିବା ପରେ ଟିକା ପାଇଁ ବୁକିଂ କରିଥିବା ଲୋକଙ୍କୁ ଡାକିବାକୁ କୁହାଯାଇଛି। ନିଗମ ପକ୍ଷରୁ ଏବେ କୌଣସି ଘରୋଇ ହସ୍ପିଟାଲକୁ ସୂଚନା ଦିଆଯାଇ ନାହିଁ। ବିନା ସୂଚନାରେ ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ଅନ୍ଲାଇନ୍ ବ୍ୟବସ୍ଥାରେ ଲୋକଙ୍କୁ ଟିକା ପାଇଁ କାହିଁକି ଡକାଗଲା ଏହାର ସମୀକ୍ଷା କରାଯିବ ବୋଲି ସିଏମ୍ସି କମିସନର ଅନନ୍ୟା ଦାସ କହିଛନ୍ତି। ଆଗାମୀ ଦିନରେ ଟିକା ଆସିଲେ ପୁଣି ଘରୋଇ ହସ୍ପିଟାଲରେ ଟିକାକରଣ ଆରମ୍ଭ ହେବ ବୋଲି ଶ୍ରୀମତି ଦାସ ସୂଚନା ଦେଇଛନ୍ତି। କିନ୍ତୁ ଅନଲାଇନ୍ ବୁକିଂରେ ମେସେଜ୍ ଆସୁଥିବା ବେଳେ ଏଥିରେ ଘରୋଇ ହସ୍ପିଟାଲ ଗୁଡିକର କେଉଁଠି ଦୋଷ ରହିଲା ବୋଲି ପ୍ରଶ୍ନ ଉଠୁଛି।
The post ଟିକାକରଣକୁ ନେଇ ବିଚିତ୍ର ସ୍ଥିତି; ଘରୋଇ ହସ୍ପିଟାଲରେ ବ୍ୟବସ୍ଥା ନଥାଇ ବି ଟିକା ପାଇଁ ଆସୁଛି ସ୍ଲଟ୍ ବୁକିଂ ମେସେଜ୍ first appeared on Sambad.from ଜିଲ୍ଲା | Sambad https://ift.tt/3iaCvUF
0 Comments