ନୂଆଗାଁ: ସତରେ ବିଚିତ୍ର ଏ ଦୁନିଆ! କେଉଁଆଡ଼େ ଚାଲିଯିବାର ୧୨ ବର୍ଷ ପରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଗୁମୀ ଗ୍ରାମର ଜଣେ ବ୍ୟକ୍ତି ଘରକୁ ଫେରିଛନ୍ତି। ଖାଲି ଫେରିନାହାନ୍ତି, ଯେଉଁ ସ୍ମୃତିଶକ୍ତି ସେ ହରାଇଥିଲେ ତାହା ମଧ୍ୟ ଫେରିପାଇଛନ୍ତି। ହେଲେ ତାଙ୍କୁ ଅପେକ୍ଷା କରିବା ପାଇଁ ପତ୍ନୀ ନଥିଲେ। ଅନ୍ୟତ୍ର ବିବାହ କରି ଘରସଂସାର କରୁଛନ୍ତି। ସେ ଫେରିବା ପରେ ଗଁାରେ ଖୁସିର ଲହରି ଖେଳିଯାଇଛି ସତ, କିନ୍ତୁ ନିଜ ପାରିବାରିକ ସଂସାରକୁ ଫେରିପାଇବାର ଅଶା ଟିକକ ତାଙ୍କର ମଉଳି ଯାଇଛି।

ଏହି ବ୍ୟକ୍ତି ଜଣକ ହେଲେ, ଗୁମୀ ଗ୍ରାମର ଫକୀର ନାୟକଙ୍କ ପୁଅ ଜନନାୟକ। ଜନନାୟକ ମସ୍ତିଷ୍କ ରୋଗରେ ପୀଡ଼ିତ ହୋଇ ୧୨ ବର୍ଷ ତଳୁ ଦୁଇ ପିଲା ଓ ସ୍ତ୍ରୀଙ୍କୁ ଛାଡ଼ି ଘରୁ କେଉଁଆଡ଼େ ଚାଲିଯାଇଥିଲେ। ଘର ଲୋକେ, ଗ୍ରାମବାସୀ ଓ ବନ୍ଧୁବାନ୍ଧବଙ୍କ ସହଯୋଗରେ ସବୁଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା। ବହୁ ଖୋଜିବା ପରେ ନିରାଶ ହୋଇ ନିଜ ଭାଗ୍ୟକୁ ଆଦରି ଖୋଜାଖୋଜି ବନ୍ଦ କରି ଦେଇଥିଲେ। ସ୍ବାମୀ ଘର ଛାଡ଼ି ଯିବାର କିଛିଦିନ ପରେ ସ୍ତ୍ରୀ ଦୁଇ ପିଲାଙ୍କୁ ଧରି ଘରଛାଡ଼ି ଚାଲିଗଲେ। ପରେ ଅନ୍ୟତ୍ର ବିବାହ କରିଥିବା ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ। ଏପରି ଘଟଣା ପରେ ଦୀର୍ଘ ୧୨ ବର୍ଷ ପରେ ମୁମ୍ବାଇରୁ ଗୁମୀ ଗ୍ରାମକୁ ଖବର ଆସିଲା ଯେ, ଜନ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ସହ ପୂର୍ବ ସ୍ମୃତି ସବୁ ଫେରିପାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଜନ ମସ୍ତିଷ୍କାଘାତର ଶିକାର ହୋଇ ଏଣେ ତେଣେ ବୁଲୁଥିବା ଦେଖି ମୁମ୍ବାଇର ଏକ ଅଗ୍ରଣୀ ସାମାଜିକ ସଂଗଠନ ଶ୍ରଦ୍ଧା ଫାଉଣ୍ଡେସନ ତାଙ୍କୁ ଉଦ୍ଧାର କରିବା ସହ ସେ କିଭଳି ସୁସ୍ଥ ହେବେ ସେମାନେ ଲାଗିପଡ଼ିଥିଲେ। ଜନ ସୁସ୍ଥ ହେବା ସହ ଟ୍ରେନ୍‌ ଯୋଗେ ଘରକୁ ଫେରିଥିବା ଜଣାପଡ଼ିଛି। ଏହି ଘଟଣାରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସେ ଭୁବନେଶ୍ବର ରେଲ୍‌ୱେ ଷ୍ଟେସନରେ ପହଞ୍ଚିବା ପରେ ସେଠାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପହଞ୍ଚି ତାଙ୍କୁ ସ୍ବାଗତ କରିବା ସହ ଯୁବନେତା ସଂଜୀବ କୁମାର ଡାକୁଆଙ୍କ ସହଯୋଗରେ ଗୁମୀସ୍ଥିତ ନିଜ ବାସଭବନରେ ପହଞ୍ଚାଇବାର ବ୍ୟବସ୍ଥା କରାଇଥିଲେ। କିନ୍ତୁ ଦୁଃଖର ବିଷୟ ଜନ ଗ୍ରାମରେ ପହଞ୍ଚିବା ପରେ ନିଜ ପରିବାରରେ ଭାଇଭାଉଜଙ୍କୁ ଛାଡ଼ି ଦେବାପରେ ଆଉ କେହି ନଥିବା ଜାଣିବାକୁ ପାଇଥିଲେ।

The post ୧୨ ବର୍ଷ ପରେ ଗାଁକୁ ଫେରିଲେ ଅନ୍ୟତ୍ର ବିବାହ କରିସାରିଛନ୍ତି ସ୍ତ୍ରୀ first appeared on Sambad.

from ଜିଲ୍ଲା | Sambad https://ift.tt/3j1sqtx