
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ମେଲାଣରେ ପୁଣି କାଠ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ମେଲାଣ ତାଲିବେଡ଼ା ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରୁ ମାଫିଆମାନେ ଗତକାଲି ୫ଟି ବଡ଼ଶାଳ ଗଛ କାଟିଛନ୍ତି। ସେମାନେ କାଟିଥିବା ଶାଳଗଛରୁ ଦୁଇଟି ଭଲ ଥିଲା। ଅନ୍ୟ ତିନିଟି କାଠଗଣ୍ଡି ପୋଲା ଥିଲା। ଯାହାର ମଝି ଅଂଶରେ ପୋକ ଲାଗି ଯାଇଥିଲା। ମାଫିଆମାନେ ଭଲ କାଠଗଣ୍ଡିକୁ ଖଣ୍ଡଖଣ୍ଡ କରି ନେଇଯାଇଥିବାବେଳେ ପୋଲା ଗଣ୍ଡିଗୁଡ଼ିକୁ ଛାଡ଼ି ଯାଇଥିଲେ। ଖବର ପାଖ ବନ ବିଭାଗ କର୍ମଚାରୀ ଆଜି ସେସବୁକୁ ଜବତ କରି ଘଟଗାଁ ରେଞ୍ଜ କାର୍ଯ୍ୟାଳୟକୁ ଆଣିଛନ୍ତି। ଜବତ କାଠର ଅନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ହେବ ବୋଲି ମେଲାଣ ବନରକ୍ଷୀ ଶ୍ରବଣ ପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ମେଲାଣ ଗ୍ରାମରେ ବନ ବିଭାଗ ପକ୍ଷରୁ ଏକ ବିଟ୍ ହାଉସ୍ ନିର୍ମାଣ କରାଯାଇଛି। ଏଠାରେ ବନରକ୍ଷୀ କିମ୍ବା ଫରେଷ୍ଟ ଗାର୍ଡ ରହିବା କଥା। ହେଲେ ବନ କର୍ମଚାରୀ ଏଠାରେ ନରହି ଘଟଗାଁରେ ରହୁଛନ୍ତି। ଫଳରେ ଉକ୍ତ ଅଞ୍ଚଳରୁ ବ୍ୟାପକ କାଠ ଓ ଅଙ୍ଗାର ଚୋରା ଚାଲାଣ ହେଉଛି। ଏ ସମ୍ପର୍କରେ ସୂଚନା ଦେବାକୁ ଲୋକେ ଫୋନ୍ କଲେ ବନ କର୍ମଚାରୀ ଫୋନ୍ ଉଠାଉ ନଥିବା ଅଭିଯୋଗ ହେଉଛି। ସେହିପରି ବନ ବିଭାଗ ପକ୍ଷରୁ ଉପରଠଉରିଆ ଭାବେ ପାଟ୍ରୋଲିଂ କରାଯାଉଛି। ଆଜିର କାଠ ଜବତ ସମ୍ପର୍କରେ ଫରେଷ୍ଟରଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିଲା। ଫରେଷ୍ଟଗାର୍ଡ କହିଛନ୍ତି, ମେଲାଣ ଜଙ୍ଗଲରୁ କାଠ ଜବତ କରାଯାଇଛି। ସେ ଓ ପାରା କର୍ମଚାରୀ ମିଳିତଭାବେ ଚଢ଼ଉ କରି କାଠ ଜବତ କରିଛନ୍ତି। ତେବେ ମାଫିଆମାନେ ଭଲ କାଠ ନେବା ପରେ ଛାଡ଼ି ଯାଇଥିବା ପୋଲା କାଠ ଜବତ କରାଯାଇଥିବା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।
The post ଅଟେଇ ଜଙ୍ଗଲରୁ ଶାଳଗଛ କାଟିଲେ ମାଫିଆ first appeared on Sambad.from ଜିଲ୍ଲା | Sambad https://ift.tt/3cQnyUm
0 Comments