
ପୁରୀ : ନୂଆବର୍ଷରେ ନୂଆବୋହୂ ଭଳି ସଜେଇ ହୋଇଥିଲା ଐତିହାସିକ ଅଠରନଳା ସେତୁ। ଲକ୍ଷ୍ୟ ଥିଲା ନୂଆବର୍ଷରେ ରାଜ୍ୟ ତଥା ଦେଶବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଶ୍ରୀଜଗନ୍ନାଥ କଳା ଓ ସଂସ୍କୃତିର ଐତିହ୍ୟ ସହରକୁ ଭିନ୍ନ ଢଙ୍ଗରେ ସ୍ବାଗତ କରିବା। ଇତିମଧ୍ୟରେ ୬ ମାସ ବିତି ନାହିଁ, ପ୍ରାୟ ୧୯ ଲକ୍ଷ ଟଙ୍କାର ଅଠରନଳାର ସୌନ୍ଦର୍ଯ୍ୟୀକରଣ କାମ ନଷ୍ଟଭ୍ରଷ୍ଟ ହୋଇଗଲାଣି। ଚତୁଃପାର୍ଶ୍ବ ଜଙ୍ଗଲ ପାଲଟିବା ସହ ମୂଷା ନଈ ଦଳରେ ଭର୍ତ୍ତି ହୋଇ ଅସୁନ୍ଦର ଦିଶିଲାଣି। ଯେତେବେଳେ ଚାପ ପଡ଼ିଲା, ପୁନର୍ବାର ଖର୍ଚ୍ଚ କରି ଦଳ ଭର୍ତ୍ତି ମୂଷା ନଈରୁ ଦଳ ସଫା ସହ ଅନାବନା ଗଛ ସବୁ ସଫା କରିବା ଅଭିଯାନ ଆରମ୍ଭ ହୋଇଛି। ତଥାପି ସମ୍ପୂର୍ଣ୍ଣ ସଫା ହୋଇପାରିନି ଐତିହାସିକ ମୂଷା ନଈ।

୨୦୨୦ ମସିହା ଶେଷ ଆଡ଼କୁ ହଠାତ୍ ଅଠରନଳା ସେତୁ ଉପରେ ବାଡ଼ ପଡ଼ିଥିଲା। ଯାନବାହନ ଚଳାଚଳରେ ସମ୍ପୂର୍ଣ୍ଣ କଟକଣା ଲଗାଇ ଦିଆଗଲା। ଯେତେବେଳେ ପ୍ରଶାସନକୁ ପ୍ରଶ୍ନ କରାଗଲା, ସେ ସମୟରେ କୁହାଗଲା କି ପ୍ରତ୍ନତତ୍ତ୍ବ ବିଭାଗ ଏହି ସେତୁକୁ ଅସୁରକ୍ଷିତ ଘୋଷଣା କରିଛି। ଏହି ଦୃଷ୍ଟିରୁ ଅଠରନଳାରେ ଯାନବାହନ ଚଳାଚଳ ନିଷେଧ କରାଯାଇଛି। କିନ୍ତୁ ଅଠରନଳା ସେତୁ ଉପରେ ଯାନବାହନ ଚଳାଚଳ ବନ୍ଦ ହେବାର କିଛିଦିନ ବିତିଛି କି ନାହିଁ ହଠାତ୍ ଏହାର ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଗଲା। ଚାହୁଁ ଚାହୁଁ ହଜାର ହଜାର ସୋ’ ଗଛ ଗଦା ହୋଇଗଲା। ଯେଉଁ ଅଠରନଳା ସେତୁକୁ ପ୍ରତ୍ନତତ୍ତ୍ବ ବିଭାଗ ଅସୁରକ୍ଷିତ ଘୋଷଣା କରିଥିବା କୁହାଯାଇଥିଲା, ସେହି ସେତୁ ଉପରେ ଶହ ଶହ କ୍ବିଣ୍ଟାଲ ଓଜନର ଗଛ ଓ ମାଟି ଭର୍ତ୍ତି କୁଣ୍ଡ ସବୁ ଲଦି ଦିଆଗଲା। ଉଦ୍ୟାନ ବିଭାଗ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ସବୁ ଗଛ ଯୋଗାଇ ଦେଲା। ସୋ’ ଗଛ ବାବଦ ସମସ୍ତ ଖର୍ଚ୍ଚ ଉଦ୍ୟାନ ବିଭାଗ ବହନ କଲା। ପରେ ଓବିସିସିକୁ ଅନ୍ୟ ସବୁ କାମ ଦିଆଗଲା। ଓବିସିସି ପେଭର ରିଫିଲିଂ, ଅନାବନା ଗଛ, ଘାସ ସଫାଠାରୁ ଆରମ୍ଭ କରି ନାନାଦି ଭଗ୍ନାବଶେଷ ଉଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଲା। ଲୁହା ରେଲିଂ ସହ ଲାଇଟିଂ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କଲା। ଏପରିକି ହିସାବ କଲେ କେବଳ ଡିସେମ୍ବର ମାସ(ଡିସେମ୍ବର ୩୧ ସୁଦ୍ଧା)ରେ ଅଠରନଳା ସେତୁର ସୌନ୍ଦର୍ଯ୍ୟୀକରଣ ପାଇଁ ଓବିସିସି ୧୯.୧ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏ ଭିତରେ ୫ ମାସ ବିତି ନାହିଁ, ପୁଣି ଅସୁନ୍ଦର ଦିଶିଲାଣି ଅଠରନଳା।

ମୂଷା ନଈ ଚତୁଃପାର୍ଶ୍ବ ପୁଣିଥରେ ଜଙ୍ଗଲ ପାଲଟିଲାଣି। ପେଭର କାମ ସବୁ ଭାଙ୍ଗିଗଲାଣି। ଅନେକ ଜାଗାରେ ଗଛ ସବୁ ନଷ୍ଟ ବି ହୋଇଗଲାଣି। ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ରକ୍ଷଣାବେକ୍ଷଣ କଥା ସମ୍ପୂର୍ଣ୍ଣ ଭୁଲିଯାଇଛି ପ୍ରଶାସନ। ଆଉ ଆଗଭଳି ଲାଇଟ୍ ଜଳୁନି। ଏବେ ଘନ ଅନ୍ଧକାର ଭିତରେ ରହୁଛି ଅଠରନଳା। ନିର୍ଦ୍ଦିଷ୍ଟ ଠିକାଦାର-ଯନ୍ତ୍ରୀଙ୍କୁ ସୁହାଇଲା ଭଳି ଏହି କାମ କରାଯାଇଥିବା ସାଧାରଣରେ ଅଭିଯୋଗ ଉଠିଛି। ଏ ସମ୍ପର୍କରେ ଓବିସିସି ବରିଷ୍ଠ ଯନ୍ତ୍ରୀ ଇଂ. ପ୍ରଭାତ କୁମାର ପାଣିଗ୍ରାହୀ କହିଛନ୍ତି ଯେ ନୂଆବର୍ଷ ଉପଲକ୍ଷେ ଏହି ବିକାଶ କାର୍ଯ୍ୟ କରାଯାଇଥିଲା। ସେ ସମୟରେ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ ରକ୍ଷଣାବେକ୍ଷଣ ପାଇଁ କୌଣସି ଅନୁଦାନ ନଥିଲା। ସେ ସମୟରେ ଆମେ ଭଲ କାମ କରିଥିଲୁ। ଏବେ ଅନ୍ୟ ଯନ୍ତ୍ରୀଙ୍କ ଅଧୀନରେ ଏହି ଦାୟିତ୍ବ ରହିଥିବା ଇଂ. ପାଣିଗ୍ରାହୀ କହିଛନ୍ତି। ନୂଆ କରି ଦାୟିତ୍ବ ନେଇଥିବା ନିର୍ବାହୀ ଯନ୍ତ୍ରୀ ଇଂ. ସୁନ୍ଦର ମାଧବ ପାଢ଼ୀ କହିଛନ୍ତି ଯେ ପୂର୍ବରୁ ଯାହା କିଛି ଖର୍ଚ୍ଚ ହୋଇଥିଲା, ସେ ସମ୍ପର୍କରେ ମୁଁ ଜାଣିନି। ଏବେ ମୂଷା ନଈ ଯେହେତୁ ଦଳ ଭର୍ତ୍ତି ସହ ଅନାବନା ଗଛ ଉଠି ଯାଇଥିଲା, ସେଥିପାଇଁ ପୁନର୍ବାର ଖର୍ଚ୍ଚ କରି ଏହାକୁ ସଫା କରାଯାଉଥିବା ଇଂ. ପାଢ଼ୀ କହିଛନ୍ତି।
The post ୫ ମାସରେ ‘ଅଠରନଳା’ ସୌନ୍ଦର୍ଯ୍ୟୀକରଣ ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3qxdrJC
0 Comments