କଟକ : କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଅବହେଳା ଏବଂ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଶବ ପ୍ରତି ଅସମ୍ମାନ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ମୟୂରଭଞ୍ଜ ଓ ବଲାଙ୍ଗୀର ଘଟଣାକୁ କେନ୍ଦ୍ରକରି ବରିଷ୍ଠ ସାମ୍ବାଦିକ କାଳିପଦ ମିଶ୍ରଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାଏର୍‌ କରାଯାଇଛି।

ଦାଖଲ ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଅନେକ ସମୟରେ ଚିକିତ୍ସାରେ ଅବହେଳା ଓ ରୋଗୀଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ହେଉଛି। ମୟୂରଭଞ୍ଜ ଜିଲ୍ଲା ବାରିପଦା ବାଙ୍କିଶୋଳା କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ପ୍ରତି ଅବହେଳା ଚରମ ସୀମା ଟପି ଯାଇଥିଲା। କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ପାଇଖାନା ପାଖରେ ବିନା କୌଣସି ବସ୍ତ୍ରରେ ଚଟାଣରେ ପଡି ରହିଥିବା ଫଟୋ ଦେଖିବାକୁ ମିଳିଥିଲା। ଏଥିସହିତ କିଏ ବେଡ୍ ତଳେ ତ  ଆଉ କିଏ ଅଇଁଠା ଖାଦ୍ୟ ପାଖରେ ଗଡୁଥିଲେ। ଏଭଳି କରୁଣ ଦୃଶ୍ୟ କୋଭିଡ୍‌ ହସ୍ପିଟାଲରେ ରୋଗୀଙ୍କ ପ୍ରତି ହେଉଥିବା ଅବହେଳା ସଂପର୍କରେ ଚିତ୍ର ସ୍ପଷ୍ଟ କରିଥିଲା। ଏ ନେଇ ଦୈନିକ ‘ସମ୍ବାଦ’ରେ ମେ ୩୧ରେ ପ୍ରକାଶିତ ରିପୋର୍ଟକୁ ରିଟ୍ ଆବେଦନ ସହିତ ସଂଲଗ୍ନ କରାଯାଇଛି।

ସେହିଭଳି କରୋନା ସଂକ୍ରମଣରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ‌ଅନେକ ସମୟରେ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଉନାହିଁ। ସଂକ୍ରମିତଙ୍କ ମୃତ୍ୟୁ ହେବାପରେ ବହୁ ସମୟରେ ପରିବାର ସଦସ୍ୟଙ୍କୁ ଅବଗତ କରାଯାଉନାହିଁ। ଶବ ସଂସ୍କାର ସମୟରେ ମଧ୍ୟ ଉପଯୁକ୍ତ ନୀତି ନିୟମ ପାଳନ କରାଯାଉନାହିଁ। ବଲାଙ୍ଗୀର ଜିଲ୍ଲାରେ ଶ୍ମଶାନରେ ଏକାଧିକ ଶବ ଏକତ୍ର ଦାହ କରାଯାଉଥିବା ନେଇ ଅଭିଯୋଗ ରହିଛି। ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତିଭୂଷଣ ଚୌଧୁରୀ ପରିଚାଳନା କରୁଛନ୍ତି।

The post ରୋଗୀଙ୍କୁ ଅବହେଳା, ଶବକୁ ଅସମ୍ମାନ; ହାଇକୋର୍ଟରେ ଜନସ୍ବାର୍ଥ ମାମଲା first appeared on Sambad.

from ଜିଲ୍ଲା | Sambad https://ift.tt/3zIpqZ3