ଉଦ୍‌ଘାଟନର ମାସକ ପରେ ବି କେବଳ କୁଳପତି ନିଯୁକ୍ତ
କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ଅର୍ଥ ନିୟନ୍ତ୍ରକ, ଡିନ୍ ନାହାନ୍ତି
ବିଶ୍ବବିଦ୍ୟାଳୟ ଠିକ୍‌ ଢଙ୍ଗରେ କାର୍ଯ୍ୟ କରିବ ତ?

କଟକ : ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ଭବିଷ୍ୟତକୁ ନେଇ ଏବେ ଆଶଙ୍କା ପ୍ରକାଶ ପାଇଲାଣି। ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାର ଏକ ମାସରୁ ଅଧିକ ଦିନ ବିତି ଯାଇଥିଲେ ବି କେବଳ କୁଳପତି ନିଯୁକ୍ତ କରି ସରକାର ହାତବାନ୍ଧି ବସିଛନ୍ତି। ଅନ୍ୟ ଅଧିକାରୀ, କର୍ମଚାରୀ ତ ଦୂରର କଥା କୁଳସଚିବ, ପରୀକ୍ଷା ନିୟନ୍ତ୍ରକ ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ଏଯାଏ ନିଯୁକ୍ତି ସମ୍ଭବ ହୋଇପାରି ନାହିଁ। ଏଭଳି ସ୍ଥିତିରେ ଏହି ବିଶ୍ବବିଦ୍ୟାଳୟ ଆଗକୁ କିଭଳି ଠିକ୍‌ ଢଙ୍ଗରେ କାର୍ଯ୍ୟ କରିବ, ତାହାକୁ ନେଇ ସନ୍ଦେହ ବଢିବାରେ ଲାଗିଛି।

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ମଧୁସୂଦନ ଆଇନ ମହାବିଦ୍ୟାଳୟ (ଏମ୍‌ଏସ୍‌ ଲ କଲେଜ) ଗତ ଏପ୍ରିଲ ୨୮ ତାରିଖ ଅର୍ଥାତ ମଧୁ ଜୟନ୍ତୀରୁ ବିଧିବଦ୍ଧ ଭାବେ ବିଶ୍ବବିଦ୍ୟାଳୟ ରୂପେ କାର୍ଯ୍ୟକ୍ଷମ ହୋଇଛି। ଏହା ଓଡ଼ିଶାର ପ୍ରଥମ ଆଇନ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିବା ବେଳେ ଏହା ଅଧୀନରେ ୨୨ଟି ଆଇନ କଲେଜ ରହିଛି। ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର କମଲଜିତ୍‌ ସିଂ ଓ ପ୍ରଥମ କୁଳସଚିବ ଭାବେ କଲେଜର ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କୁମାର ନନ୍ଦ ଗତ ଏପ୍ରିଲ ୨୮ରେ ଦାୟିତ୍ବ ଗ୍ରହଣ କରିଥିଲେ। ଡକ୍ଟର ସୁକାନ୍ତ କୁମାର ନନ୍ଦ ଏମ୍ଏସ୍ ଲ କଲେଜର ପ୍ରିନ୍ସିପାଲ ଥିଲେ। ମାତ୍ର ଏହାର ଗୋଟିଏ ଦିନ ପରେ କୁଳସଚିବ ପଦରୁ ତାଙ୍କୁ ହଟାଇ ଦିଆଗଲା। ଏହା ମଧ୍ୟରେ ଏକ ମାସରୁ ଅଧିକ ଦିନ ବିତିଯାଇଥିଲେ ବି ସରକାରଙ୍କ ପକ୍ଷରୁ ଏହି ପଦବିରେ କୌଣସି ରାଜ୍ୟ ପ୍ରାଶାସନିକ ଅଧିକାରୀଙ୍କୁ ନିଯୁକ୍ତ କରାଗଲା ନାହିଁ। ସେହିପରି କଣ୍ଟ୍ରୋଲର ଅଫ୍‌ ଫାଇନାନ୍ସ ପାଇଁ ଓଡ଼ିଶା ଫାଇନାନ୍ସ ସର୍ଭିସରୁ କାହାରିକୁ ପଠାଗଲା ନାହିଁ। ଓଡ଼ିଶା ଏଜୁକେସନ୍ ସର୍ଭିସରୁ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ, ଡାଇରେକ୍ଟର ଅଫ୍‌ ରିସର୍ଚ୍ଚ ଓ ଡିନ୍‌ ଅଫ୍‌ ଷ୍ଟୁଡେଣ୍ଟସ୍‌ ୱେଲ୍‌ଫେୟାର୍‌ (ଡିଏସ୍‌ଡବ୍ଲୁ) କିମ୍ବା ଡେପୁଟି ରେଜିଷ୍ଟ୍ରାର ଭ‌ାବେ କାହାରିକୁ ବ୍ୟବସ୍ଥା ଅନୁଯାୟୀ ନିଯୁକ୍ତି ଦିଆଯାଇ ନାହିଁ।

ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦବି ଓଡ଼ିଶା ୟୁନିଭର୍ସିଟି ଆକ୍ଟ ଅନୁସାରେ ପୂରଣ ହେବାର ନିୟମ ରହିଛି। ଏହି ପଦବିଗୁଡିକ ପୂରଣ ହେବାପରେ ବିଶ୍ବବିଦ୍ୟାଳୟର ପରିଚାଳନା ପାଇଁ ନିଜସ୍ବ ଆକ୍ଟ ଅଫ୍‌ ଷ୍ଟାଚ୍ୟୁଟ୍‌ ତିଆରି ହେବ କିମ୍ବା କର୍ତ୍ତୃପକ୍ଷ ଇଚ୍ଛା କଲେ ଓଡ଼ିଶା ୟୁନିଭର୍ସିଟି ଫାଷ୍ଟ ଷ୍ଟାଚ୍ୟୁଟ୍‌ ଅନୁସାରେ ଏହାକୁ ପରିଚାଳନା କରିବା ପାଇଁ ସ୍ଥିର କରିବେ। ଏହାପରେ ବିଶ୍ବବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପତ୍ର ଲେଖିପାରିବେ। କର୍ତ୍ତୃପକ୍ଷଙ୍କ ନିଯୁକ୍ତି ପରେ ବିଶ୍ବବିଦ୍ୟାଳୟରେ ପିଜି ଓ ୟୁଜି ବିଭାଗକୁ ଅଲଗା କରାଯିବା ସହିତ ପିଜି କାଉନ୍‌ସିଲ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯିବ। ଏମ୍‌ଏସ୍‌ ଲ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାପରେ ଏହାର ପରିଚାଳନା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନେକ କାର୍ଯ୍ୟ କରିବାର ଅଛି। ହେ‌‌ଲେ ବିଭାଗ କେବଳ କୁଳପତି ନିଯୁକ୍ତି କରିଦେଇ ନିଜ ଦାୟିତ୍ବରୁ ହାତ ଧୋଇ ଦେଇଛି। ରାଜ୍ୟ ସରକାର ୨୦୧୮ରେ ଏମ୍‌ଏସ୍‌ ଲ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଘୋଷଣା କରି ଦୀର୍ଘ ତିନିବର୍ଷରୁ ଅଧିକ ସମୟ ପରେ ଏହାକୁ କାର୍ଯ୍ୟକାରୀ କଲେ। ଏବେ ଏ ପ୍ରକାର ସ୍ଥିତି ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି।

The post ତ୍ରିଶଙ୍କୁ ସ୍ଥିତିରେ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ first appeared on Sambad.

from ଜିଲ୍ଲା | Sambad https://ift.tt/3pyTUbv