କାଳିଆପାଣି : ଟମକା ଥାନା ନଛିପୁରା ପଞ୍ଚାୟତ ଅନ୍ତର୍ଗତ ଖରଡ଼ାବନ୍ଦୀ ଗାଁରେ ବଧୂହତ୍ୟା ଅଭିଯୋଗ ହୋଇଛି। ମୃତକ ଜଣକ ସେହି ଗାଁର ବିଏସଏଫ୍‌ ଯବାନ ସୁରେଶ କୁମାର ମୁଦୁଲିଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି(୩୧) ବୋଲି ସୂଚନା ମିଳିଛି। ଅଧିକ ଯୌତୁକ ଦାବିରେ ସ୍ବାମୀ, ଶ୍ବଶୁର, ଶାଶୂ ଓ ନଣନ୍ଦ ତାଙ୍କ ଭଉଣୀକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ମୃତକଙ୍କ ଭାଇ ପ୍ରସନ୍ନ କୁମାର ଜେନା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅଭିଯୁକ୍ତମାନେ ବଳପୂର୍ବକ ଭଉଣୀକୁ ବିଷ ପିଆଇ ହତ୍ୟା କରିଥିବା ନେଇ ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ତାଙ୍କ ଏତଲାକୁ ଭିତ୍ତିକରି ଥାନାରେ ଏକ କେସ୍ ୭୦/୨୧ ରୁଜୁ ‌ହୋଇଛି। ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ସଦଳବଳ ଖରଡ଼ାବନ୍ଦୀରେ ପହଞ୍ଚି ମୃତଦେହ ଜବତକରି ଏହାର ପଞ୍ଚନାମା କରାଇଥିଲେ। ‌ଏହାକୁ ବ୍ୟବଛେଦ ପାଇଁ ପଠାଇବା ପରେ ପୁଲିସ ମୃତକ ମହିଳାଙ୍କ ସ୍ବାମୀ ସୁରେଶ(୩୫) ଓ ଶ୍ବଶୁର ନୀଳମଣି ମୁଦୁଲିଙ୍କୁ ଗିରଫ କରିଥିବା କହିଛି।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଖାଲପାଳ ଗାଁର ଶଂକର୍ଷଣ ଜେନାଙ୍କ ଝିଅ ଶ୍ରଦ୍ଧାଞ୍ଜଳି ଗତ ୨୦୧୮ ମସିହା ଜୁନ ମାସରେ ସୁରେଶଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଦେଢ଼ବର୍ଷ ବୟସର ପୁଅଟିଏ ଅଛି। ଆଗାମୀ ସପ୍ତାହରେ ନଣନ୍ଦଙ୍କ ବିବାହ ଦିନ ସ୍ଥିର ହୋଇଥିଲା। ଗତ ୨୩ ତାରିଖରେ ଶ୍ରଦ୍ଧାଞ୍ଜଳି ବିଷପାନ କରିଥିବା ଜଣାପଡ଼ିବା ପରେ ପ୍ରଥମେ ତାଙ୍କୁ ସାଇଁକୁଳ ଡାକ୍ତରଖାନା ଓ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

The post ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଓ ଶ୍ୱଶୁର ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3dkuVn4